Electricity: ୩ ରାଜ୍ୟରେ କୃଷି-ସ୍ବତନ୍ତ୍ର ବିଦ୍ୟୁତ୍ କମ୍ପାନି: ଆଗକୁ ବଢ଼ିଲେ ତେଲେଙ୍ଗାନା, ମହାରାଷ୍ଟ୍ର, ହରିୟାଣା
ମହାଲେଖା ନିୟନ୍ତ୍ରକ ଓ ମହାସୀମକ୍ଷକ (ସିଏଜି)ଙ୍କ ରିପୋର୍ଟ ଅନୁସାରେ ୨୦୨୪-୨୫ରେ ରାଜ୍ୟଗୁଡ଼ିକ ବିଦ୍ୟୁତ୍ ସବ୍ସିଡି (ଶୁଳ୍କ ରିହାତି) ବାବଦରେ ୧.୮୯ କୋଟି ଟଙ୍କା ଖର୍ଚ୍ଚ କରିଥିଲେ।

ନୂଆଦିଲ୍ଲୀ: ମହାଲେଖା ନିୟନ୍ତ୍ରକ ଓ ମହାସୀମକ୍ଷକ (ସିଏଜି)ଙ୍କ ରିପୋର୍ଟ ଅନୁସାରେ ୨୦୨୪-୨୫ରେ ରାଜ୍ୟଗୁଡ଼ିକ ବିଦ୍ୟୁତ୍ ସବ୍ସିଡି (ଶୁଳ୍କ ରିହାତି) ବାବଦରେ ୧.୮୯ କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ଏହା ସେମାନଙ୍କ ମୋଟ୍ ସବ୍ସିଡି ଖର୍ଚ୍ଚର ୪୩.୩ ପ୍ରତିଶତ ଥିଲା। ଏହି ସବ୍ସିଡିର ଏସିଂହଭାଗ ରାଶି କୃଷି କ୍ଷେତ୍ରର ଗ୍ରାହକମାନଙ୍କୁ ମାଗଣାରେ ବିଜୁଳି ଯୋଗାଇବା ପାଇଁ ଦିଆଯାଇଥିଲା।
ମୋଟା ଅଙ୍କର ସବ୍ସିଡି ବିଲ୍କୁ ନେଇ ଚିନ୍ତିତ ଥିବା ତିନିଟି ରାଜ୍ୟ ତେଲେଙ୍ଗାନା, ମହାରାଷ୍ଟ୍ର ଓ ହରିୟାଣାରେ କୃଷି କ୍ଷେତ୍ର ପାଇଁ ସ୍ବତନ୍ତ୍ର ବିଦ୍ୟୁତ୍ ବଣ୍ଟନ କମ୍ପାନି (ଡିସ୍କମ୍) ଗଠନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହା ପଛର ଲକ୍ଷ୍ୟ ହେଉଛି ଅନ୍ୟାନ୍ୟ ବିଦ୍ୟୁତ୍ ଗ୍ରାହକଙ୍କଠାରୁ କୃଷି କ୍ଷେତ୍ରକୁ ଅଲଗା କରିବା ଓ ସେମାନଙ୍କୁ ଏକ ସ୍ବତନ୍ତ୍ର କମ୍ପାନି ଜରିଆରେ ସେବା ଯୋଗାଇବା। ଚଳିତ ବର୍ଷ ଜୁଲାଇରେ ତେଲେଙ୍ଗାନା ବିଦ୍ୟୁତ୍ ନିୟାମକ ଆୟୋଗ ‘ତେଲେଙ୍ଗାନା ରାଇତୁ ପାୱାର ଡିଷ୍ଟ୍ରିବ୍ୟୁସନ କମ୍ପାନି ଲିମିଟେଡ୍’କୁ ବିଦ୍ୟୁତ୍ ବଣ୍ଟନ ଲାଇସେନ୍ସ ମଞ୍ଜୁର କରିଥିଲେ। ଏହା ରାଜ୍ୟର ତୃତୀୟ ଡିସକମ୍ ଭାବେ କାର୍ଯ୍ୟ କରିବ। ରାଜ୍ୟର ସମସ୍ତ କୃଷି କ୍ଷେତ୍ରର ବିଦ୍ୟୁତ୍ ସଂଯୋଗ ଓ କିଛି ଜଳ ଯୋଗାଣ ସଂଯୋଗ ଏହି କମ୍ପାନି ଅଧୀନକୁ ଆସିବ।
ପ୍ରାୟ ୨୯ ଲକ୍ଷ ବିଦ୍ୟୁତ୍ ଗ୍ରାହକ ଏହି କମ୍ପାନି ଅଧୀନରେ ରହିବେ। ଚଳିତ ବର୍ଷ ନଭେମ୍ବର ସୁଦ୍ଧା ଏହି ଡିସ୍କମ୍ କାର୍ଯ୍ୟକ୍ଷମ ହେବା ଆଶା କରାଯାଉଛି। ମହାରାଷ୍ଟ୍ର ସରକାର ମଧ୍ୟ ଚଳିତ ବର୍ଷ ଏପ୍ରିଲ୍ରେ ମହାରାଷ୍ଟ୍ର ରାଜ୍ୟ ବିଦ୍ୟୁତ୍ ବିତରଣ କମ୍ପାନି ଲିମିଟେଡ୍ଠାରୁ କୃଷି ବିଦ୍ୟୁତ୍ ବିତରଣ ବ୍ୟବସାୟକୁ ଅଲଗା କରିଥିଲେ। ଏଥି ସହିତ ଏମ୍ଏସ୍ଇବି ସୋଲାର ଆଗ୍ରୋ ପାୱାର ଲିମିଟେଡ୍ ନାମରେ ଏକ ନୂଆ ସଂସ୍ଥା ଗଠନ କରାଯାଇଛି ଯାହା କେବଳ କୃଷି କ୍ଷେତ୍ରର ଗ୍ରାହକଙ୍କ ଦାୟିତ୍ବରେ ରହିବ। ମୁଖ୍ୟମନ୍ତ୍ରୀ ସୋଲାର କୃଷି ବାହିନୀ ଯୋଜନା ଅଧୀନରେ ସ୍ଥାପନ କରାଯାଉଥିବା ସୌର ଶକ୍ତିକୁ ଏହି ସଂସ୍ଥା ଜରିଆରେ କୃଷି କ୍ଷେତ୍ରର ଗ୍ରାହକଙ୍କୁ ଯୋଗାଇ ଦେବାକୁ ମଧ୍ୟ ମହାରାଷ୍ଟ୍ର ଯୋଜନା ରଖିଛି।
ସୌଜନ୍ୟ ସମ୍ବାଦ




