Flood Hits Bari ବରୀରେ ଦ୍ବିତୀୟ ବନ୍ୟା: ୨୯ ପଞ୍ଚାୟତ ଜଳବନ୍ଦୀ, ୮୪ ଗ୍ରାମର ୧,୨୦,୭୨୦ ଜଣ ବିପନ୍ନ
ବରୀରେ ଦ୍ବିତୀୟ ବନ୍ୟାରେ ସ୍ଥିତି ସଙ୍ଗିନ। ୨୯ ପଞ୍ଚାୟତର ୮୪ ରାଜସ୍ବ ଗ୍ରାମର ୧ ଲକ୍ଷ ୨୦ ହଜାର ୭୨୦ ଲୋକ ପ୍ରଭାବିତ। ୫୧ଟି ରନ୍ଧାଖାଦ୍ୟ କେନ୍ଦ୍ର ଓ ଓଡ୍ରାଫ୍ ଟିମ୍ ଜରିଆରେ ରିଲିଫ୍ ଜାରି।

ବରୀ: ବରୀରେ ଦ୍ବିତୀୟ ବନ୍ୟାର ଦ୍ବିତୀୟ ଦିନରେ ସ୍ଥିତି ସଂଗୀନ ହୋଇଛି। ୨୯ ପଞ୍ଚାୟତର ୮୪ ରାଜସ୍ବ ଗ୍ରାମର ୧ଲକ୍ଷ ୨୦ ହଜାର ୭୨୦ କ୍ଷତିଗ୍ରସ୍ତ ହୋଇଛନ୍ତି।
ପ୍ରଶାସନ ଠାରୁ ମିଳିଥିବା ସୂଚନାରେ, ଅନେକ ଜଳବନ୍ଦୀ ଗ୍ରାମରୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ସେମାନଙ୍କ ନିମନ୍ତେ ୫୧ ଟି ରନ୍ଧାଖାଦ୍ୟ କେନ୍ଦ୍ର ସ୍ଥାପନ କରାଯାଇଛି। ବିଚ୍ଛିନ ହୋଇପଡ଼ିଥିବା ଗ୍ରାମଗୁଡ଼ିକୁ ଓଡ୍ରାଫ୍ ଟିମ ଜରିଆରେ ସୁଖିଲା ଓ ରନ୍ଧାଖାଦ୍ୟ ପ୍ରଦାନ କରାଯାଉଛି। ଉପଜିଲ୍ଲାପାଳ ଶିବାନନ୍ଦ ସ୍ବାଇଁ ବରୀରେ ରହି ସମସ୍ତ ରିଲିଫ୍ ପରିଚାଳନା ଓ ବିପନ୍ନଙ୍କ ସ୍ଥିତି ଉପରେ ନଜର ରଖିଛନ୍ତି। କିମ୍ଭିରିଆଳ ପଞ୍ଚାୟତର ଲୋକମାନଙ୍କୁ ସ୍ଥାନାନ୍ତର କରାଯାଇ ରଖାଯାଇଥିବା ନବଭାରତୀ ବିଦ୍ୟାପୀଠର ରନ୍ଧାଖାଦ୍ୟ କେନ୍ଦ୍ରରେ ଖାଦ୍ୟର ମାନ ପରୀକ୍ଷା କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ଭୋଜନ କରିଛନ୍ତି।
ଗତକାଲି (ରବିବାର) ଠାରୁ ବରୀ କଳାମାଟିଆ ମୁଖ୍ୟରାସ୍ତାର ବରୀ ଠାକୁର ପାଟଣା ଠାରୁ କଳାମାଟିଆ ପର୍ଯ୍ୟନ୍ତ ୧୦ କିମି ରାସ୍ତାର ଅନେକ ସ୍ଥାନରେ ରାସ୍ତା ଉପରେ ବନ୍ୟାଜଳ ଚାଲିଥିବାରୁ ମୁଖ୍ୟ ରାସ୍ତାରେ ଏକ ପ୍ରକାର ଯୋଗାଯୋଗ ବିଚ୍ଛିନ୍ନ ହୋଇ ପଡ଼ିଥିଲା। ସେମାବାର ଦିନ ବରୁଁହା- ବରୀ ରାସ୍ତାର ଶଙ୍କାରିଗଡ଼ା ଓ ଚୁଡ଼ାକଳ ଛକ ଠାରୁ ମାଳଦା ପର୍ଯ୍ୟନ୍ତ ମୁଖ୍ୟରାସ୍ତାରେ ବନ୍ୟାଜଳ ପ୍ରବାହିତ ହେଉଛି। ଏହି ସମପରିମାଣର ବନ୍ୟାଜଳସ୍ତର ବୃଦ୍ଧି ଘଟେ ତେବେ ସଂଧ୍ୟା ସୁଧା ବରୀ ବାହ୍ୟ ଜଗତରୁ ବିଚ୍ଛନ୍ନ ହୋଇଯିବା ଆଶଙ୍କା ସୃଷ୍ଟି ହୋଇଛି।
ଅପରପକ୍ଷରେ ବ୍ରାହ୍ମଣୀ ନଦୀ ବନ୍ଧରେ ସୃଷ୍ଟି ହୋଇଥିବା ଘାଇଗୁଡ଼ିକ ଧୀରେ ଧୀରେ କାୟାବିସ୍ତାର କରୁଥିବା ଦେଖିବାକୁ ମିଳିଛି। ଯାହା ଫଳରେ ବାଙ୍କସାହି ଘାରର ପ୍ରଭାବରେ କିମ୍ଭିରିଆପାଳ ପଞ୍ଚାୟତ ସଂପୂର୍ଣ୍ଣ ପ୍ରଭାବିତ ହୋଇଛି। ବ୍ରାହ୍ମଣୀ ଓ ଖରତ୍ସୋତା ବନ୍ୟାରେ ଭଅଁରା,ବୋଦୁଅ,ରଂପା, ଉଦୟନାଥପୁର, ରତଳାଙ୍ଗ, ଅରଙ୍ଗାବାଦ,ବାଇଁଶିରିଆ, ଅଟିରା, ବରୀ, ଅଲିପୁର, ବାଲିବିଲି, ଚନ୍ଦନପୁର, ମନ୍ଦାରୀ, ସେରପୁର,ଗମୁ,ମହାକାଳପଡ଼ା, ଅମଠପୁର,ରତ୍ନଗିରି, ସାହୁପଡ଼ା,ଧାରପୁର, ଇଶାଣପୁର, ବାଲିଆ,ଗୋଳକୁଣ୍ଡ, ସ୍ବାଇଁଖଣ୍ଡ ପଞ୍ଚାୟତ ପ୍ରଭାବିତ ହୋଇଛି। କିନ୍ତୁ ବ୍ରାହ୍ମଣୀ, ଖରସ୍ରୋତା ସହିତ ବୈତରଣୀ ନଦୀ ବନ୍ୟାରେ ବରୀ ବ୍ଲକର ୪ଟି ପଞ୍ଚାୟତ ପ୍ରଭାବିତ ହୋଇଛି।
ସୌଜନ୍ୟ ସମ୍ବାଦ




