BJP-BJD: ବିଜେପି-ବିଜେଡି କର୍ମୀ ମୁହାଁମୁହିଁ: ଧାରଣାରେ ବସିଲେ ବିଧାୟିକା ପ୍ରମିଳା ମଲ୍ଲିକ ଓ ସୁଜାତା ସାହୁ
ଯାଜପୁର ଜିଲ୍ଲାର ବନ୍ୟା ପରିସ୍ଥିତି ଅନୁଧ୍ୟାନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ସଡ଼କପଥରେ ଦଶରଥପୁର ବ୍ଲକ ଗସ୍ତରେ ଆସିଥିବା ବେଳେ ରାଜନୈତିକ ବିବାଦ ଓ ଉତ୍ତେଜନା ଦେଖାଦେଇଛି।

ଯାଜପୁର/ଦଶରଥପୁର: ଯାଜପୁର ଜିଲ୍ଲାର ବନ୍ୟା ପରିସ୍ଥିତି ଅନୁଧ୍ୟାନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ସଡ଼କପଥରେ ଦଶରଥପୁର ବ୍ଲକ ଗସ୍ତରେ ଆସିଥିବା ବେଳେ ରାଜନୈତିକ ବିବାଦ ଓ ଉତ୍ତେଜନା ଦେଖାଦେଇଛି। ମୁଖ୍ୟମନ୍ତ୍ରୀଙ୍କ ସହ ବନ୍ୟାଞ୍ଚଳ ପରିଦର୍ଶନରେ ଯିବାକୁ ଦୁଇ ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ ଓ ସୁଜାତା ସାହୁଙ୍କୁ ସୁଯୋଗ ଦିଆଯାଇନଥିବା ଅଭିଯୋଗକୁ ନେଇ ବିଜେଡି-ବିଜେପି କର୍ମୀଙ୍କ ମଧ୍ୟରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଘଟଣାକୁ ନେଇ ଯାଜପୁର ବିଧାୟିକା ସୁଜାତା ସାହୁ ଓ ଜିଲ୍ଲା ବିଜେଡି ସଭାପତି ସରୋଜ ମହାପାତ୍ର ଦଶରଥପୁର ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ଯାଜପୁର ଓ ବିଞ୍ଝାରପୁର ବିଧାୟିକାଙ୍କ ସହିତ ଆଲୋଚନା କରିଥିବା ବେଳେ ଘାଇ ପରିଦର୍ଶନ ପାଇଁ ଗଲାବେଳେ ସାଥୀରେ ନେଇ ନଥିବାରୁ ଏଭଳି ବିବାଦ ଉପୁଜିଛି।
ଧାରଣାରେ ବସିଲେ ବିଧାୟିକା ପ୍ରମିଳା ମଲ୍ଲିକ ଓ ସୁଜାତା ସାହୁ
ବିଜେପି କର୍ମୀଙ୍କ ଦ୍ବାରା ଅସମ୍ମାନ କରାଯାଇଥିବା ଅଭିଯୋଗ
ସୂଚନା ଥାଉକି, ଆଜି ଯାଜପୁର ଜିଲ୍ଲାପାଳ ଅମ୍ବର କୁମାର କର, ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ଓ ଯାଜପୁର ବିଧାୟିକା ସୁଜାତା ସାହୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ଉପସ୍ଥିତ ରହି ବନ୍ୟା ବିପନ୍ନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ପାଇଁ ଆମନ୍ତ୍ରଣ କରିଥିଲେ। ଉଭୟ ବିଧାୟିକା ତରପଦା ପଞ୍ଚାୟତର ପତିରିଠାରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ ଜଣାଇଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ପତିରିଠାରୁ ପାୱାର ବୋଟ୍ ଯୋଗେ କସପା ପଞ୍ଚାୟତର ରାମଚନ୍ଦ୍ରପୁର ଗ୍ରାମକୁ ଯାଇ ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିଥିଲେ। ପ୍ରଶାସନ ପକ୍ଷରୁ ୮ଟି ପାୱାର ବୋଟ୍ ବ୍ୟବସ୍ଥା କରାଯାଇଥିଲା, ଯେଉଁଥିରେ ମୁଖ୍ୟମନ୍ତ୍ରୀଙ୍କ ସମେତ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ, ରାଜ୍ୟସଭା ସାଂସଦ ମନମୋହନ ସାମଲ, ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରା, ବିଧାୟକ ହିମାଂଶୁ ଶେଖର ସାହୁ, ଅମର ନାୟକ, ଆକାଶ ଦାସନାୟକ, ବିଜେପି ନେତା ଗୌତମ ରାୟ, ବବିତା ମଲ୍ଲିକଙ୍କ ସମେତ ଜିଲ୍ଲାପାଳ ଓ ଏସ୍ପି ଯାଇଥିଲେ। ରାମଚନ୍ଦ୍ରପୁରରେ ମୁଖ୍ୟମନ୍ତ୍ରୀ ବନ୍ୟା ବିପନ୍ନଙ୍କ ସହ ଆଲୋଚନା କରି ସରକାରୀ ସହାୟତା ମିଳୁଛି କି ନାହିଁ ପଚାରି ବୁଝିଥିଲେ। ଆଗାମୀ ବର୍ଷ ଯେପରି ଦଶରଥପୁର ବ୍ଲକରେ ବନ୍ୟା ସମସ୍ୟା ନ ହୁଏ, ସେଥିପାଇଁ ପଦକ୍ଷେପ ନେବାକୁ ସ୍ଥାନୀୟ ଜନସାଧାରଣ ମୁଖ୍ୟମନ୍ତ୍ରୀଙ୍କୁ ଦାବି ଜଣାଇଥିଲେ।
ଅନ୍ୟପକ୍ଷରେ ପାୱାରବୋଟ୍ରେ ମୁଖ୍ୟମନ୍ତ୍ରୀଙ୍କ ଏହି ପରିଦର୍ଶନ ସମୟରେ ସ୍ଥାନୀୟ ବିଧାୟିକା ଭାବେ ଯିବାକୁ ସୁଯୋଗ ଦିଆଯାଇନଥିବା ଅଭିଯୋଗ କରି ଉଭୟ ଶ୍ରୀମତୀ ମଲ୍ଲିକ ଓ ଶ୍ରୀମତୀ ସାହୁ ନିଜର ଶହଶହ କର୍ମୀଙ୍କୁ ନେଇ କାଟିଆ-ବୈଶପାନ ମୁଖ୍ୟରାସ୍ତାରେ ଧାରଣାରେ ବସିଥିଲେ। ଏହାକୁ ନେଇ ଉଭୟ ଦଳର କର୍ମୀଙ୍କ ମଧ୍ୟରେ ବଚସା ଓ ଠେଲାପେଲା ହୋଇଥିଲା। ବନ୍ୟା ସମସ୍ୟା ଉପରେ ଆଲୋଚନା ପାଇଁ ସ୍ଥାନୀୟ ବିଧାୟକ ଭାବେ ଆମକୁ ସାଙ୍ଗରେ ନନେଇ ନିଜ ଦଳୀୟ ନେତା ଓ କର୍ମୀଙ୍କୁ ମୁଖ୍ୟମନ୍ତ୍ରୀ ସାଙ୍ଗରେ ନେବା କେତେ ଦୂର ଗ୍ରହଣୀୟ ବୋଲି ପ୍ରମିଳା ଅସନ୍ତୋଷ ପ୍ରକାଶ କରିଥିଲେ। ଉଭୟ ପକ୍ଷଙ୍କୁ ନିୟନ୍ତ୍ରଣ କରିବାରେ ପୁଲିସକୁ ନାକେଦମ୍ ହେବାକୁ ପଡ଼ିଥିଲା। ବିଜେପି କର୍ମୀ ଓ ନେତାମାନେ ଅସମ୍ମାନିତ କରିଥିବା ନେଇ ବିଧାୟିକା ଶ୍ରୀମତୀ ସାହୁ ଦଶରଥପୁର ଥାନା ଅଧିକାରୀ ସୁବ୍ରତ ସାହୁଙ୍କ ନିକଟରେ ଅଭିଯୋଗ କରିଥିବା ବେଳେ ଏହାକୁ ନେଇ ଅଞ୍ଚଳରେ ରାଜନୈତିକ ଉତ୍ତେଜନା ଲାଗିରହିଛି। ଲଗାତାର ୫ଟି ବନ୍ୟାରେ ଏହି ଅଞ୍ଚଳବାସୀ ନାହିଁନଥିବା ଦୁର୍ଦ୍ଦଶା ଭିତରେ ଘାଣ୍ଟିଚକଟି ହେଉଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ଉଭୟ ଦଳର ନେତା, କର୍ମୀଙ୍କ ଏଭଳି ମୁହାଁମୁହିଁ ଓ ନାରାବାଜିକୁ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଇଛି।
ସୌଜନ୍ୟ ସମ୍ବାଦ




