ଛାତ୍ରଙ୍କ ଆଗରେ ନଇଁଲେ ଝାଡ଼ଖଣ୍ଡ ସରକାର ; ଜେଏସଏସସି-ସିଜିଏଲ ପରୀକ୍ଷା ରଦ୍ଦ

ରାଞ୍ଚି : ପରିଶେଷରେ ଛାତ୍ରଛାତ୍ରୀଙ୍କ ଆଗରେ ଝାଡ଼ଖଣ୍ଡ ସରକାର ମୁଣ୍ଡ ନୁଆଇଁଛନ୍ତି। ଆନ୍ଦୋଳନର ୨୪ ଦିନରେ ଜେପିଏସସି ପରେ ଜେଏସଏସସି-ସିଜିଏଲ ପରୀକ୍ଷାକୁ ସରକାର ରଦ୍ଦ କରିଦେଇଛନ୍ତି। ଆଜି ରାତିରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀଙ୍କ ସହ ୪ ଘଣ୍ଟା ପର୍ଯ୍ୟନ୍ତ ବୈଠକ କରିବା ପରେ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ସୋରେନ କହିଛନ୍ତି ଯେ ଏସଆଇଟି ଓ ସିଆଇଡି ଯାଞ୍ଚରୁ ବିଚଳିତ କରିବା ଭଳି ତଥ୍ୟ ସାମନାକୁ ଆସିଛି। ତଦନ୍ତ ଜାରି ରହିଥିବାରୁ ଏ ବିଷୟରେ ଆଲୋଚନା କରିବା ସମ୍ଭବ ନୁହେଁ। ଏଥିରେ ଅନେକ କମ୍ପାନୀଙ୍କ ଜଟିଳ ଓ ମିଳିତ ନେଟୱର୍କ ସାମିଲ ରହିଛି। ଏହି ସବୁ କମ୍ପାନୀ ଅଲଗା ଅଲଗା ସମୟରେ କାମ କରୁଥିଲେ। ୨୦୧୪ରୁ ଆୟୋଜିତ ସବୁ ପରୀକ୍ଷାର ସିଆଇଡି ତଦନ୍ତ କରିବା ପାଇଁ ଘୋଷଣା କରିଛନ୍ତି। ଜେପିଏସସି ସିଭିଲ ସେବା ପରୀକ୍ଷାକୁ ନେଇ ଯୁବଗୋଷ୍ଠୀ ସବୁଠାରୁ ବଡ଼ ଦାବି କରୁଛନ୍ତି। ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ବରେ ଏହାର ତଦନ୍ତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ନେଇ ଆନ୍ଦୋଳନରତ ଛାତ୍ର ନେତା ଦେବେନ୍ଦ୍ର ନାଥ କହିଛନ୍ତି ଯେ ଟିକିନିଖି କରି ତଦନ୍ତ ହେବା ଉଚିତ। ଏଥିରେ ସମ୍ପୃକ୍ତ ପ୍ରତ୍ୟେକ ଦୁର୍ନୀତିଗ୍ରସ୍ତଙ୍କୁ ଧରାଯାଉ। ଏହି ଗୋଷ୍ଠୀ ପଛରେ ଥିବା ମାଷ୍ଟରମାଇଣ୍ଡକୁ ଗିରଫ କରାଯାଉ। ଅନ୍ୟ ଜଣେ ଛାତ୍ର ନେତା ରବୀନ୍ଦ୍ର ପାଶ୍ବାନ କହିଛନ୍ତି ଯେ ସିବିଆଇ ତଦନ୍ତ ଦାବିକୁ ନେଇ ସରକାର କୌଣସି ନିଷ୍ପତ୍ତି ନେଇନାହାନ୍ତି। ତେଣୁ ଆନ୍ଦୋଳନ ଜାରି ରହିବ। ଆମେ ଏକ ବଡ଼ ସଂଘର୍ଷରେ ବିଜୟୀ ହୋଇଛୁ, ମାତ୍ର ଆହୁରି ଲଢ଼େଇ ବାକି ରହିିଛି।
ଏହା ପୂର୍ବରୁ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଏକ ପତ୍ର ଲେଖିଥିଲେ। ଏଥିରେ ରାହୁଲ ଆନ୍ଦୋଳନକାରୀ ଛାତ୍ରଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟାର ସମାଧାନ କରିବାକୁ ହେମନ୍ତଙ୍କୁ ପରାମର୍ଶ ଦେଇଥିଲେ। ନିଜ ପତ୍ରରେ ରାହୁଲ ଦର୍ଶାଇ ଥିଲେ ଯେ ଛାତ୍ରମାନଙ୍କ ଆନ୍ଦୋଳନ ପଛରେ ଯୁକ୍ତିଯୁକ୍ତ କାରଣ ରହିଛି। ସେମାନେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ ଜାରି ରଖିଛନ୍ତି। ଏହାକୁ ଦୃଷ୍ଟିରେ ରଖି ସେମାନଙ୍କ ସହ ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଭାବେ ଆଲୋଚନା କରି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରିବା ଉଚିତ୍। ଆନ୍ଦୋଳନକାରୀ ଛାତ୍ରଙ୍କ ସମସ୍ୟାର ସମାଧାନ ପାଇଁ ଝାଡ଼ଖଣ୍ଡ ସରକାର ପୂର୍ବରୁ ସକାରାତ୍ମକ ମନୋଭାବ ପୋଷଣ କରିଥିବାରୁ ତାହାକୁ ରାହୁଲ ପ୍ରଶଂସା କରିଥିଲେ। ତେବେ ବର୍ତ୍ତମାନ ସୁଦ୍ଧା ଛାତ୍ରମାନେ ଆନ୍ଦୋଳନ ଜାରି ରଖିଥିବା ବେଳେ ମୁଖ୍ୟମନ୍ତ୍ରୀ ସେମାନଙ୍କ ସହ ସିଧାସଳଖ ଆଲୋଚନା କରିବା ଉଚିତ୍ ବୋଲି ରାହୁଲ ଦର୍ଶାଇ ଥିଲେ। ବିଜେପି ଓ ଆରଏସ୍ଏସ୍କୁ ସମାଲୋଚନା କରି ରାହୁଲ କହିଥିଲେ ଯେ ସେମାନଙ୍କ ଯୋଗୁଁ ଭାରତରେ ଶିକ୍ଷା ବ୍ୟବସ୍ଥାରେ ଅଧୋଗତି ହୋଇଛି। ସେମାନଙ୍କ ଦୁର୍ବଳ ନୀତି ଯୋଗୁଁ ଛାତ୍ରମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯୁବଶକ୍ତି ଦେଶର ଭବିଷ୍ୟତ ହୋଇଥିବାରୁ ସଙ୍କଟ ସମୟରେ ସେମାନଙ୍କ ନିକଟରେ ଛିଡ଼ା ହେବା ଏବଂ ସମର୍ଥନ ଦେବା ଆବଶ୍ୟକ ବୋଲି ରାହୁଲ ପତ୍ରରେ ଦର୍ଶାଇ ଥିଲେ।
ସୌଜନ୍ୟ ସମାଜ




