ମହାନଗର

ଘର ଭଡ଼ା ଭତ୍ତାକୁ ନେଇ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ନିଯୁକ୍ତି ପାଇଥିବା ସ୍ଥାନକୁ ମୁଖ୍ୟ କାର୍ଯ୍ୟାଳୟ ବୋଲି ଧରାଯିବ

କଟକ,୧୮/୦୮: ପୌର ସଂସ୍ଥା  ଅଧୀନରେ ଘର ଅଛି । ଯେଉଁ ସଂସ୍ଥା ଅଧୀନରେ  କାର୍ଯ୍ୟ କରୁଛନ୍ତି ଉକ୍ତ ସଂସ୍ଥାର କାର୍ଯ୍ୟାଳୟ ମଧ୍ୟ  ପୌର ସଂସ୍ଥା ଅଧୀନରେ ଆସୁଛି । ଏଥିପାଇଁ ତାଙ୍କୁ  ଘର ଭଡ଼ା ଭତ୍ତା ୪ %ରୁ ୮ % ଦିଆଯିବା ଲାଗି  କରିଥିବା ଆବେଦନକୁ ହାଇକୋର୍ଟ ଖାରଜ କରି  ଦେଇଛନ୍ତି । ହାଇକୋର୍ଟ  କହିଛନ୍ତି ଯେ, ପ୍ଲେସ୍‌  ଅଫ୍‌ ହେଡକ୍ୱାର୍ଟର ଅର୍ଥାତ  ନିଯୁକ୍ତି ମୁଖ୍ୟାଳୟର ଅର୍ଥ ମୁଖ୍ୟ କାର୍ଯ୍ୟାଳୟ ନୁହେଁ । ଯେଉଁ ସଂସ୍ଥାରେ ଜଣେ କର୍ମଚାରୀ କାମ କରୁଛନ୍ତି ଉକ୍ତ ସ୍ଥାନଟି ହେଉଛି  ନିଯୁକ୍ତି ମୁଖ୍ୟାଳୟ । ତେଣୁ  ଆବେଦନକାରୀଙ୍କୁ  ୮% ଭତ୍ତା ନଦେବା ଲାଗି ରାଜ୍ୟ ସରକାର  ନେଇଥିବା ନିଷ୍ପତ୍ତି ଠିକ୍‌ ବୋଲି ହାଇକୋର୍ଟ  ମତଦେବା ସହ ଆବେଦନକାରୀଙ୍କ ପିଟିସନ୍‌କୁ  ଖାରଜ କରି ଦେଇଛନ୍ତି । ସୁରେଶ ଚନ୍ଦ୍ର ପରିଜାଙ୍କ  ପକ୍ଷରୁ ଆଗତ ମାମଲାକୁ ଖାରଜ କରିବା  ଅବସରରେ ହାଇକୋର୍ଟର ବିଚାରପତି ଜଷ୍ଟିସ୍‌  ବି.ପି. ରାଉତରାୟ ଏହି ଆଦେଶ ଦେଇଛନ୍ତି ।

ମାମଲାରୁ ଜଣାଯାଇଛି ଯେ, ଆବେଦନକାରୀ  ଜଗତସିଂହପୁର ପୌରାଞ୍ଚଳ ଅନ୍ତର୍ଗତ ୭  ନମ୍ବର ୱାର୍ଡର ଓହଳ ଗ୍ରାମରେ ରହୁଥିବାବେଳେ ସ୍ଥାନୀୟ ସମଙ୍ଗର ବଜ୍ର ସେହ୍ନା ସରକାରୀ ଉଚ୍ଚ  ବିଦ୍ୟାଳୟରେ କନିଷ୍ଠ ସହାୟକ ନିଯୁକ୍ତି ପାଇଛନ୍ତି । ତାଙ୍କର ଯୁକ୍ତି ହେଉଛି, ସେ ପୌରାଞ୍ଚଳ ଭିତରେ ରହୁଥିଲାବେଳେ ତାଙ୍କ ମୁଖ୍ୟ କାର୍ଯ୍ୟାଳୟ  ଅର୍ଥାତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ  ମଧ୍ୟ ପୌରାଞ୍ଚଳ ମଧ୍ୟରେ ଆସୁଛି । ତେଣୁ ସେ ନିୟମ ଅନୁଯାୟୀ, ୪ %  ଘରଭଡ଼ା ଭତ୍ତା ପରିବର୍ତ୍ତେ  ୮ % ଘରଭଡ଼ା ଭତ୍ତା ପାଇବା ଉଚିତ୍‌ ।

ରାଜ୍ୟ  ସରକାର ଦର୍ଶାଇଥିଲେ ଯେ, ଆବେଦନକାରୀଙ୍କ ମୁଖ୍ୟ କାର୍ଯ୍ୟାଳୟ ହେଉଛି ତାଙ୍କ ସ୍କୁଲ୍‌ । ଯାହାକି  ପୌରାଞ୍ଚଳ ଅଧୀନରେ ଆସୁନାହିଁ । ହାଇକୋର୍ଟ  ରାୟରେ କହିଛନ୍ତି ଯେ, କୌଣସି କର୍ମଚାରୀଙ୍କ ମୁଖ୍ୟ କାର୍ଯ୍ୟାଳୟ ହେଉଛି ସେ ଯେଉଁଠି ନିଯୁକ୍ତି ପାଇଥାନ୍ତି ବା ଯେଉଁଠି କାର୍ଯ୍ୟ କରୁଥାନ୍ତି । ଯେଉଁଠି  ତାଙ୍କ ନିୟନ୍ତ୍ରଣ ଅଧିକାରୀ (କଣ୍ଟ୍ରୋଲିଂ ଅଫିସର)  ରହୁଛନ୍ତି ତାହା ତାଙ୍କର ମୁଖ୍ୟ କାର୍ଯ୍ୟାଳୟ  କୁହାଯାଇ ପାରିବ ନାହିଁ । ତେଣୁ ଆବେଦନକାରୀଙ୍କ  ମୁଖ୍ୟ କାର୍ଯ୍ୟାଳୟ ସମଙ୍ଗ ଛଡ଼ା ଅନ୍ୟ କୌଣସି  ସ୍ଥାନକୁ କୁହାଯାଇ ପାରିବ ନାହିଁ ବୋଲି  ହାଇକୋର୍ଟ ସ୍ପଷ୍ଟ କରିବା ସହ ଆବେଦନକାରୀଙ୍କ  ପିଟିସନ୍‌କୁ ଖାରଜ କରି ଦେଇଛନ୍ତି ।

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button