Gold Mine Collapse: କେନ୍ଦ୍ରୀୟ ଆଫ୍ରିକୀୟ ଗଣରାଜ୍ୟରେ ସୁନା ଖଣି ଧସିଲା: ୩୦ ଶ୍ରମିକ ମୃତ, ଅନେକ ମାଟି ତଳେ ପୋତି ହୋଇ ରହିଥିବା ଆଶଙ୍କା
ପଶ୍ଚିମ କେନ୍ଦ୍ରୀୟ ଆଫ୍ରିକୀୟ ଗଣରାଜ୍ୟର ଏକ ସୁନା ଖଣି ହଠାତ୍ ଧସି ପଡ଼ିବାରୁ ୩୦ ଜଣ ଖଣି ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ମାଟି ତଳେ ପୋତି ହୋଇ ରହିଥିବା ଆଶଙ୍କା କରାଯାଉଛି।

ବାଙ୍ଗୁଇ: ପଶ୍ଚିମ କେନ୍ଦ୍ରୀୟ ଆଫ୍ରିକୀୟ ଗଣରାଜ୍ୟର ଏକ ସୁନା ଖଣି ହଠାତ୍ ଧସି ପଡ଼ିବାରୁ ୩୦ ଜଣ ଖଣି ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ମାଟି ତଳେ ପୋତି ହୋଇ ରହିଥିବା ଆଶଙ୍କା କରାଯାଉଛି। ସେମାନଙ୍କୁ ଖୋଜା ଚାଲିଛି। ରିପୋର୍ଟ ଅନୁସାରେ, ନାନା-ମାମ୍ବେରେ ପ୍ରଦେଶର ଆବା ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି।
ଉଦ୍ଧାର କାର୍ଯ୍ୟ ଜାରି
ଅଧିକାରୀ ଏବଂ ସ୍ଥାନୀୟ ଲୋକଙ୍କ ଅନୁଯାୟୀ, ଖଣିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ମାଟି ତଳେ ପୋତି ହୋଇ ରହିଥିବା ଲୋକଙ୍କ ବଞ୍ଚିବା ସମ୍ଭାବନା ବହୁତ କମ୍ ବୋଲି କୁହାଯାଉଛି। ସମୟ ବିତିବା ସହିତ ସେମାନଙ୍କୁ ଜୀବିତ ପାଇବାର ସମ୍ଭାବନା କ୍ଷୀଣ ହେବାରେ ଲାଗିଛି। ଆବା ଉପ-ପ୍ରାନ୍ତର ଡେପୁଟି ମେୟର ସୁଲେମାନ ବି କହିଛନ୍ତି ଯେ,ସ୍ଥାନୀୟ ବାସିନ୍ଦା ଏବଂ ଉଦ୍ଧାରକାରୀ ଦଳ ଧସିଯାଇଥିବା ଖଣିରୁ ୩୦ ଜଣଙ୍କ ମୃତଦେହ ବାହାର କରିଛନ୍ତି। ଦୁର୍ଘଟଣାରେ ଆହତ ହୋଇଥିବା କିଛି ଖଣି ଶ୍ରମିକଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଭୟଙ୍କର ଦୁର୍ଘଟଣାରେ ସେ ବିଭିନ୍ନ ସଂଗଠନ ଏବଂ ଜନସାଧାରଣଙ୍କୁ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି।
ସରକାରୀ ମୁଖପାତ୍ର ଏଭାରିଷ୍ଟ ଙ୍ଗମାନା ମୃତକଙ୍କ ପରିବାର ପ୍ରତି ସମବେଦନା ପ୍ରକାଶ କରି କହିଛନ୍ତି, ଅଧିକାରୀମାନେ ପ୍ରଭାବିତ ଲୋକଙ୍କୁ ରିଲିଫ୍ ଏବଂ ସହାୟତା ଯୋଗାଇବା ପାଇଁ କାର୍ଯ୍ୟ କରୁଛନ୍ତି। କେନ୍ଦ୍ରୀୟ ଆଫ୍ରିକୀୟ ଗଣରାଜ୍ୟର ଛୋଟ ଏବଂ ପାରମ୍ପରିକ ସୁନା ଖଣିରେ ପ୍ରାୟତଃ ଦୁର୍ଘଟଣା ଘଟିଥାଏ। ଖଣିଗୁଡ଼ିକରେ ପର୍ଯ୍ୟାପ୍ତ ସୁରକ୍ଷା ଉପକରଣ ଏବଂ ଆଧୁନିକ ସୁବିଧାର ଅଭାବ ରହିଥାଏ।
ସୌଜନ୍ୟ ସମ୍ବାଦ




