Land dispute: ଜମିଜମା ବିବାଦ: ପିଉସାଙ୍କୁ ମାରି ଜଙ୍ଗଲରେ ପୋଡ଼ିଦେଲେ
କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ବାଡ଼ାବାଙ୍ଗା ପଞ୍ଚାୟତ ଅନ୍ତର୍ଗତ ସିକନବାଡ଼ି ଗାଁରେ ଜମିଜମା ବିବାଦକୁ କେନ୍ଦ୍ର କରି ନିଜ ପିଉସାଙ୍କୁ ଦୁଇ ପୁତୁରା ଅତି ନୃଶଂସ ଭାବେ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ଶବ ପୋଡ଼ିଦେଇଛନ୍ତି।

ଦାରିଙ୍ଗବାଡ଼ି: କନ୍ଧମାଳଜିଲ୍ଲାଦାରିଙ୍ଗବାଡ଼ି ଥାନା ବାଡ଼ାବାଙ୍ଗା ପଞ୍ଚାୟତ ଅନ୍ତର୍ଗତ ସିକନବାଡ଼ି ଗାଁରେ ଜମିଜମା ବିବାଦକୁ କେନ୍ଦ୍ର କରି ନିଜ ପିଉସାଙ୍କୁ ଦୁଇ ପୁତୁରା ଅତି ନୃଶଂସ ଭାବେ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ଶବ ପୋଡ଼ିଦେଇଛନ୍ତି। ମୃତକ ଜଣକ ହେଲେ, ମିଶ୍ର ପ୍ରଧାନ (୪୫)। ପାଞ୍ଚଦିନ ପରେ ଏହି ଘଟଣା ପଦାକୁ ଆସିଥିବା ବେଳେ ପୁଲିସ ଦୁଇ ଅଭିଯୁକ୍ତ ପୁତୁରା ସଞ୍ଜୟ ଦିଗାଲ ଓ ସିଦ୍ଧାନ୍ତ ଦିଗାଲକୁ ଗିରଫ କରି କୋର୍ଟଚାଲାଣ କରିଛି। ସିକନବାଡ଼ି ଗ୍ରାମରେ ଥିବା ଏକ ଜମିକୁ ନେଇ ମିଶ୍ର ପ୍ରଧାନ ଓ ଦୁଇ ପୁତୁରାଙ୍କ ପରିବାର ମଧ୍ୟରେ କିଛିଦିନ ହେଲା ବିବାଦ ଲାଗି ରହିଥିଲା। ମିଶ୍ର ପ୍ରଧାନ ଦୁଇ ପୁତୁରାଙ୍କୁ ଧମକଚମକ ଦେଉଥିଲେ। ଫଳରେ ତାଙ୍କୁ ରାସ୍ତାରୁ ହଟାଇବାକୁ ସଞ୍ଜୟ ଓ ସିଦ୍ଧାନ୍ତ ଯୋଜନା କରିଥିଲେ। ଗତ ୧୩ ତାରିଖରେ ମିଶ୍ରଙ୍କୁ ସେମାନେ ଜଙ୍ଗଲକୁ ଡାକି ନେଇ ସେଠାରେ ପିଟିପିଟି ହତ୍ୟା କରିଥିଲେ। ଆଉ ପ୍ରମାଣ ନଷ୍ଟ କରିବାକୁ ଯାଇ, ସେଠାରେ ହିଁ ଶବକୁ ପୋଡ଼ି ଦେଇଥିଲେ।
ଗତ ୧୫ ତାରିଖରେ ବାଡ଼ାବାଙ୍ଗାର ଜଣେ ବ୍ୟକ୍ତି ଶବ ପୋଡ଼ାଯାଇଥିବା ଦେଖି ଦାରିଙ୍ଗବାଡ଼ି ଥାନାଧିକାରୀ ସଂଗ୍ରାମ କେଶରୀ ଜେନାଙ୍କୁ ସୂଚନା ଦେଇଥିଲେ। ଫଳରେ ପୁଲିସ ଟିମ୍ ସିକନବାଡ଼ି ଗ୍ରାମରେ ପହଞ୍ଚି ଲୋକଙ୍କୁ ପଚରାଉଚରା କରିଥିଲା। ସେପଟେ ମିଶ୍ରଙ୍କ ନିଖୋଜ ନେଇ ତାଙ୍କ ପତ୍ନୀଙ୍କୁ ପଚରାଯାଇଥିଲେ ବି ସେ ସ୍ପଷ୍ଟ ସୂଚନା ଦେଇ ପାରି ନଥିଲେ। ୧୬ ତାରିଖରେ ପୁଲିସ ସନ୍ଦେହରେ ସଞ୍ଜୟ ଓ ସିଦ୍ଧାନ୍ତକୁ ଥାନାକୁ ଆଣି ମାରାଥନ୍ ଜେରା କରିଥିଲା। ଉଭୟ ଜମିଜମା ବିବାଦ ପାଇଁ ପିଉସାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରି ଶବ ପୋଡ଼ିଥିବା ସ୍ବୀକାର କରିଥିଲେ। ଏନେଇ କେସ୍ ନମ୍ବର ୨୧୨/୨୬ରେ ଏକ ମାମଳା ରୁଜୁ ହୋଇଛି। ସାଇଣ୍ଟିଫିକ୍ ଟିମ୍, ମାଜିଷ୍ଟ୍ରେଟ୍ ଭାବେ ଅତିରିକ୍ତ ତହସିଲଦାର ଦୁଃଶାସନ ସ୍ବାଇଁ ଓ ରାଜସ୍ବ ନିରୀକ୍ଷକ ଚାନ୍ଦିନୀ ଦିଗାଲ ଘଟଣାସ୍ଥଳରେ ପହଞ୍ଚିଥିଲେ। ଘଟଣାସ୍ଥଳରୁ ପାଉଁଶ ଜବତ ହୋଇଥିବା ଥାନାଧିକାରୀ ସଂଗ୍ରାମ କେଶରୀ ଜେନା କହିଛନ୍ତି।
ସୌଜନ୍ୟ ସମ୍ବାଦ




