ପଣ୍ୟବାହୀ ଜାହାଜ ଉପରେ କ୍ଷେପଣାସ୍ତ୍ର ମାଡ଼; ଜଣେ ମୃତ

ତେହରାନ:ହର୍ମୁଜ ପ୍ରଣାଳୀ ଦେଇ ପଣ୍ୟବାହୀ ଜାହାଜ ଚଳାଚଳ ନେଇ ଅଚଳାବସ୍ଥା ଜାରି ରହିଛି। ମଙ୍ଗଳବାର ହର୍ମୁଜ ଅତିକ୍ରମ କରିବାକୁ ଚେଷ୍ଟା କରୁଥିବା ଏକ ପଣ୍ୟବାହୀ ଜାହାଜ ଉପରେ କ୍ଷେପଣାସ୍ତ୍ର ମାଡ଼ ହେବାରୁ ଜାହାଜରେ ଥିବା ଜଣେ ନାବିକଙ୍କ ମୃତ୍ୟୁ ହୋଇଥିବା ୟୁନାଇଟେଡ୍ କିଙ୍ଗଡମ୍, ମାରିଟାଇମ୍ ଟ୍ରେଡ୍ ଅପରେସନ୍ସ (ୟୁକେଏମ୍ଟିଓ) ତରଫରୁ ସୂଚନା ପ୍ରଦାନ କରାଯାଇଛି। ତେବେ କ୍ଷେପଣାସ୍ତ୍ର କିଏ ମାଡ଼ କରିଛି ସେ ସମ୍ପର୍କରେ ସ୍ପଷ୍ଟ ହୋଇନଥିବା ୟୁକେଏମ୍ଟିଓ ତରଫରୁ ଦର୍ଶାଯାଇଛି।
କ୍ଷେପଣାସ୍ତ୍ର ମାଡ଼ରେ ଜାହାଜର ଇଞ୍ଜିନ୍ ସଂପୂର୍ଣ୍ଣ ରୂପେ ଅଚଳ ହୋଇପଡ଼ିଥିବା ବେଳେ ଜଣେ ନାବିକଙ୍କ ମୃତ୍ୟୁ ଘଟିଥିଲା। ଜାହାଜରେ ଥିବା ଅନ୍ୟ ନାବିକଙ୍କୁ ଓମାନ ତଟରକ୍ଷୀ ବାହିନୀ ଉଦ୍ଧାର କରିଥିବା ୟୁକେଏମ୍ଟିଓ ତରଫରୁ ଦର୍ଶାଯାଇଛି। ହର୍ମୁଜ ପ୍ରଣାଳୀ ଦେଇ ଚଳାଚଳ କରୁଥିବା ପଣ୍ୟବାହୀ ଜାହାଜ ସତର୍କତା ରକ୍ଷା କରିବାକୁ ୟୁକେଏମ୍ଟିଓ ତରଫରୁ ପରାମର୍ଶ ଦିଆଯାଇଛି। ସୂଚନାଥାଉ କି ଇରାନ ଓ ଆମେରିକା ମଧ୍ୟରେ ହର୍ମୁଜ ପ୍ରଣାଳୀ ଉପରେ ନିୟନ୍ତ୍ରଣ ନେଇ ସଂଘର୍ଷ ଲାଗି ରହିଛି। ଇରାନ ତରଫରୁ ବିଗତ କିଛିଦିନ ମଧ୍ୟରେ ୟୁଏଇର ପଣ୍ୟବାହୀ ଜାହାଜ ଉପରେ ହର୍ମୁଜ ପ୍ରଣାଳୀରେ କ୍ଷେପଣାସ୍ତ୍ର ଦ୍ବାରା ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇ ଆସୁଛି।
ସୌଜନ୍ୟ ସମାଜ




