ପ୍ରଶ୍ନପତ୍ର ଲିକ୍ ଘଟଣାର ଅଭିଯୁକ୍ତଙ୍କ ସମ୍ପତ୍ତି ବାଜ୍ୟାପ୍ତି ଦାବି; କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଜବାବ ତଲବ

ନୂଆଦିଲ୍ଲୀ: ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାରେ ସଂପୃକ୍ତ ଅଭିଯୁକ୍ତ ଓ ସେମାନଙ୍କ ପରିବାରବର୍ଗଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ବାଜ୍ୟାପ୍ତି କରିବା ପାଇଁ ରୁଜୁ ହୋଇଥିବା ଏକ ଜନସ୍ୱାର୍ଥ ମାମଲା (ପିଆଇଏଲ୍) ଉପରେ ସୁପ୍ରିମକୋର୍ଟ ମଙ୍ଗଳବାର ଶୁଣାଣି କରିଛନ୍ତି। ଶୁଣାଣି କାଳରେ ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାର ଓ ସମସ୍ତ ରାଜ୍ୟ ସରକାରଙ୍କୁ ଜବାବ ମାଗିଛନ୍ତି। ବିଚାରପତି ପି.ଏସ. ନରସିଂହା ଓ ବିଚାରପତି ଆଲୋକ ଆରାଧେଙ୍କୁ ନେଇ ଗଠିତ ପୀଠ ଓକିଲ ଅଶ୍ୱିନୀ କୁମାର ଉପାଧ୍ୟାୟଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନ ଉପରେ କେନ୍ଦ୍ର ଓ ରାଜ୍ୟଗୁଡ଼ିକୁ ନୋଟିସ ଜାରି କରିଛନ୍ତି। ଆବେଦନକାରୀ ଦାବି କରିଛନ୍ତି ଯେ ପ୍ରଶ୍ନପତ୍ର ଲିକ୍ ମାମଲାରେ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ସଂପୃକ୍ତ ଅଭିଯୁକ୍ତ ଓ ସେମାନଙ୍କ ପରିବାରର ସମ୍ପତ୍ତିର ସମୀକ୍ଷା କରାଯାଉ। ଦୁର୍ନୀତି ନିବାରଣ ଆଇନ, ପିଏମ୍ଏଲଏ, ବେନାମୀ ସମ୍ପତ୍ତି ଆଇନ ଓ କଳାଧନ ଆଇନ ଅଧୀନରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତଙ୍କ ସମ୍ପତ୍ତି ବାଜ୍ୟାପ୍ତି କରାଯାଉ। ଆବେଦନରେ ଦର୍ଶାଯାଇଛି ଯେ ପ୍ରଶ୍ନପତ୍ର ଲିକ୍ କରୁଥିବା ଗ୍ୟାଙ୍ଗଗୁଡ଼ିକୁ ରୋକିବା ପାଇଁ ଦଣ୍ଡ ବିଧାନକୁ ପୃଥକ୍ ଭାବେ କାର୍ଯ୍ୟକାରୀ କରାଯାଉ। ବାରମ୍ବାର ପ୍ରଶ୍ନପତ୍ର ଲିକ୍ ହେବା ଫଳରେ ସାଧାରଣ ପରୀକ୍ଷାର୍ଥୀଙ୍କ ସମ୍ବିଧାନର ଧାରା ୧୪, ୧୬, ୧୯ ଓ ୨୧ ଅଧୀନରେ ମିଳୁଥିବା ମୌଳିକ ଅଧିକାର କ୍ଷୁଣ୍ଣ ହେଉଛି। ସୁପ୍ରିମକୋର୍ଟ ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ସେପ୍ଟେମ୍ବର ୨୫ ତାରିଖକୁ ଦିନ ଧାର୍ଯ୍ୟ କରିଛନ୍ତି।
ସୌଜନ୍ୟ ସମାଜ




