Onion: ପିଆଜ ~୫୦ ଛୁଇଁଲା: ହୁ ହୁ ବଢ଼ୁଛି ପନିପରିବା, ରାସନ ଦର, ଘର ଚଳାଇବା କଷ୍ଟକର
ରାଜ୍ୟରେ ପନିପରିବାଠାରୁ ଆରମ୍ଭ କରି ରାସନ ସାମଗ୍ରୀ ପର୍ଯ୍ୟନ୍ତ ବିଭିନ୍ନ ଜିନିଷର ଦର ଗତ କିଛି ଦିନ ମଧ୍ୟରେ ଅହେତୁକ ବୃଦ୍ଧି ପାଇଛି। ସର୍ବାଧିକ ଦରବୃଦ୍ଧି ଚିନିରେ ଦେଖିବାକୁ ମିଳିଛି।

ଭୁବନେଶ୍ବର: ରାଜ୍ୟରେ ପନିପରିବାଠାରୁ ଆରମ୍ଭ କରି ରାସନ ସାମଗ୍ରୀ ପର୍ଯ୍ୟନ୍ତ ବିଭିନ୍ନ ଜିନିଷର ଦର ଗତ କିଛି ଦିନ ମଧ୍ୟରେ ଅହେତୁକ ବୃଦ୍ଧି ପାଇଛି। ସର୍ବାଧିକ ଦରବୃଦ୍ଧି ଚିନିରେ ଦେଖିବାକୁ ମିଳିଛି। ଦୁଇ ସପ୍ତାହ ପୂର୍ବେ କେଜି ୫୫ ଟଙ୍କାରେ ବିକ୍ରି ହେଉଥିବା ଚିିନି ଏବେ ୬୫ ଟଙ୍କାରେ ପହଞ୍ଚିଛି। ଇଥାନଲ ପାଇଁ ଆଖୁ ଯୋଗାଇ ଦିଆଯାଉଥିବାରୁ ଚିନି ଦର ବଢ଼ୁଥିବା କୁହାଯାଉଛି। ସେହିପରି ପରିବା ହାଟରେ ପିଆଜ ଓ ଟମାଟୋ ଦରରେ ଅହେତୁକ ବୃଦ୍ଧି ଘଟିଛି। ପିଆଜ କେଜି ୫୦ ଟଙ୍କା ଓ ଟମାଟୋ କେଜି ୮୦ ଟଙ୍କା ହୋଇଯାଇଛି। ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଦରରେ ଏଭଳି ବୃଦ୍ଧି ହେବା ପରେ ଲୋକମାନଙ୍କ ପାଇଁ ଘର ଚଳାଇବା ଅତ୍ୟନ୍ତ କଷ୍ଟକର ହୋଇପଡ଼ିଛି। ବଜାରରୁ ସଂଗୃହୀତ ତଥ୍ୟ ଅନୁସାରେ, ପନିପରିବା ମଧ୍ୟରେ ପିଆଜ କେଜି ୪୦ ଟଙ୍କାରୁ ବଢ଼ି ୫୦ ଟଙ୍କା ହୋଇଯାଇଛି। ବନ୍ଧାକୋବି କେଜି ୩୦, ଗାଜର କେଜି ୫୦, କଲିକତି ପୋଟଳ ୫୦ ଟଙ୍କା, କଲରା କେଜି ୫୦ରୁ ୬୦, ବାଇଗଣ କେଜି ୫୦ରୁ ୬୦, ଜହ୍ନି କେଜି ୮୦, କାଙ୍କଡ଼ କେଜି ୨୦୦, ଅଦା କେଜି ୨୦୦, ରସୁଣ କେଜି ୨୪୦, ଭଣ୍ଡା କେଜି ୨୦ରୁ ୨୫, ଆଳୁ କେଜି ୨୦ରୁ ୨୨, ବାହାରୁ ଆସୁଥିବା ବିନ୍ କେଜି ୧୬୦, କୋରାପୁଟ ବିନ୍ କେଜି ୮୦ରୁ ୧୦୦ ଟଙ୍କା ରହିଛି। ରାସନ ସାମଗ୍ରୀ ମଧ୍ୟରେ ରିଫାଇନ୍ ଖାଇବା ତେଲ ଲିଟର ୧୮୦ ଟଙ୍କା ଓ ସୋରିଷ ତେଲ ଲିଟର ୨୦୦ରୁ ୨୨୦ ଟଙ୍କାରେ ବିକ୍ରି ହେଉଛି। ତେଲ ଓ ଚିନି ଦରରେ ସପ୍ତାହକ ଭିତରେ କେଜି ପିଛା ୧୦ ଟଙ୍କାର ବୃଦ୍ଧି ହୋଇଛି। ଜିରା କେଜି ୨୦ ଟଙ୍କା ପାଖାପାଖି ବୃଦ୍ଧି ପାଇ ୨୯୦ ଟଙ୍କା ହୋଇଛି।
ସୌଜନ୍ୟ ସମ୍ବାଦ




