Odisha CM to Visit UAE ପାଞ୍ଚ ଦିନିଆ କାର୍ଯ୍ୟକ୍ରମରେ ୟୁଏଇ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝି
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସେପ୍ଟେମ୍ବର ୮ରୁ ୧୨ ଯାଏଁ ୟୁଏଇ ଗସ୍ତ କରିବେ। ନିବେଶକ ଓ ଶିଳ୍ପପତିଙ୍କ ସହ ଆଲୋଚନା ସହ ୧୧ ତାରିଖରେ ଓଡ଼ିଶା ଇନ୍ଭେଷ୍ଟର୍ସ ମିଟ୍ରେ ଯୋଗଦେବେ।

ପୁଞ୍ଜି ଆକର୍ଷଣ ପାଇଁ ବୃହତ୍ ନିବେଶକ ଓ ଶିଳ୍ପପତିଙ୍କ ସହିତ ଆଲୋଚନା କରିବେ
୧୧ ତାରିଖ ଦିନ ପ୍ରବାସୀ ଓଡ଼ିଆଙ୍କୁ ସମ୍ୱୋଧନ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆସନ୍ତାକାଲି (୮ ସେପ୍ଟେମ୍ବର) ଠାରୁ ମଧ୍ୟ ପ୍ରାଚ୍ୟ ରାଷ୍ଟ୍ର ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)କୁ ପାଞ୍ଚ ଦିନିଆ ଗସ୍ତରେ ଯିବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ପୁଞ୍ଜି ଆକର୍ଷଣ ପାଇଁ ବିଭିନ୍ନ ନିବେଶକ ଓ ଶିଳ୍ପପତିଙ୍କ ସହିତ ଆଲୋଚନା କରିବେ । ଏହାସହିତ ପ୍ରବାସୀ ଓଡ଼ିଆଙ୍କୁ ସମ୍ୱୋଧନ କରି ଓଡ଼ିଶାର ବିକାଶମୂଳକ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିବା ସହିତ ଓଡ଼ିଶା ଏବଂ ୟୁଏଇ ମଧ୍ୟରେ ବାଣିଜ୍ୟିକ ଓ ସାଂସ୍କୃତିକ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଆହ୍ୱାନ ଦେବାର କାର୍ଯ୍ୟକ୍ରମ ରହିଛି ।
୮ ତାରିଖରେ ମୁଖ୍ୟମନ୍ତ୍ରୀ ପ୍ରଥମେ ନୂଆଦିଲ୍ଲୀ ଯାଇ ସେଠାରୁ ଆବୁଧାବି ଯିବେ । ୯ ତାରିଖରେ ଇଣ୍ଟରନ୍ୟାସନାଲ ହୋଲ୍ଡିଂ କମ୍ପାନୀ (IHC), ଇଣ୍ଡିଆନ ବିଜନେସ ଆଣ୍ଡ ପ୍ରଫେସନାଲ ଗ୍ରୁପ୍, ପେଟ୍ରୋ କେମିକାଲ କ୍ଷେତ୍ରର ବୋରଗ୍ (Borouge) କମ୍ପାନୀ ଆଦି ବିଶ୍ୱସ୍ତରୀୟ କମ୍ପାନୀର ପ୍ରମୁଖ ନେତୃତ୍ୱ ଏବଂ ଅଧିକାରୀମାନଙ୍କ ସହିତ ଆଲୋଚନା କରିବେ । ସେଦିନ ସନ୍ଧ୍ୟାରେ ଦୁବାଇରେ ‘One District One Product’ କାର୍ଯ୍ୟକ୍ରମ ଅଧୀନରେ ଉତ୍ପାଦିତ ଓଡ଼ିଶାର ବିଭିନ୍ନ ଦ୍ରବ୍ୟର ଏକ ପ୍ରଦର୍ଶନୀ ଉଦ୍ଘାଟିତ ହେବାର କାର୍ଯ୍ୟକ୍ରମ ରହିଛି ।
ସୌଜନ୍ୟ ସମ୍ବାଦ




