ରାଜ୍ୟ

Odisha High Court: ପୁଲିସ ପେପର ପ୍ରଦାନ ଓ ଚାର୍ଜଫ୍ରେମ ଗୋଟିଏ ଦିନରେ ହେବ ନାହିଁ

ଫୌଜଦାରୀ ମାମଲାରେ ଅଭିଯୁକ୍ତଙ୍କୁ ପୁଲିସ ପେପର ପ୍ରଦାନ କରାଯିବା ଦିନ ହିଁ ଚାର୍ଜ‌ଫ୍ରେମ କରାଯିବା ଭାରତୀୟ ନାଗରିକ ସୁରକ୍ଷା ସଂହିତା, ୨୦୨୩ର ଧାରା ୨୬୨(୧)ରେ ଥିବା ବ୍ୟବସ୍ଥାର ସଂପୂର୍ଣ୍ଣ ଉଲ୍ଲଂଘନ ବୋଲି ହାଇକୋର୍ଟ କହିଛନ୍ତି।

କଟକ: ଫୌଜଦାରୀ ମାମଲାରେ ଅଭିଯୁକ୍ତଙ୍କୁ ପୁଲିସ ପେପର ପ୍ରଦାନ କରାଯିବା ଦିନ ହିଁ ଚାର୍ଜ‌ଫ୍ରେମ କରାଯିବା ଭାରତୀୟ ନାଗରିକ ସୁରକ୍ଷା ସଂହିତା, ୨୦୨୩ର ଧାରା ୨୬୨(୧)ରେ ଥିବା ବ୍ୟବସ୍ଥାର ସଂପୂର୍ଣ୍ଣ ଉଲ୍ଲଂଘନ ବୋଲି ହାଇକୋର୍ଟ କହିଛନ୍ତି। ବିଏନଏନସି ଧାରା ୨୩୦ ଅନୁଯାୟୀ ପୁଲିସ ପେପର ଯୋଗାଇ ଦେବା ପରେ ଅଭିଯୁକ୍ତଙ୍କୁ ଡିସଚାର୍ଜ ଆବେଦନ ଦାଖଲ ପାଇଁ ”ଯୁକ୍ତିଯୁକ୍ତ ସମୟ” ଦେଇ ଟ୍ରାଏଲ ଅଦାଲତ ଗୁଡ଼ିକ ଚାର୍ଜଫ୍ରେମ ପ୍ରକ୍ରିୟା ସଂପାଦନ କରିବା ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି। ପ୍ରଶାସନିକ ସୁବିଧା ଦୃଷ୍ଟିରୁ ପୁଲିସ ପେପର ପ୍ରଦାନ ଓ ମାମଲାରେ ଚାର୍ଜଫ୍ରେମକୁ ଏକଠି ଏକ ଦିନରେ କରାଯିବା ଉଚିତ ନୁହେଁ। ଧାରା ୨୬୨(୧) ଅଧୀନରେ ଅଭିଯୁକ୍ତଙ୍କୁ ଡିସଚାର୍ଜ ସଂପର୍କିତ ଆବେଦନ ଦାଖଲ ପାଇଁ ଦିଆଯାଇଥିବା ୬୦ ଦିନର ଅବଧି ବାଧ୍ୟତାମୂଳକ ନୁହେଁ। ଅଭିଯୁକ୍ତଙ୍କୁ ପୁଲିସ ପେପର ପ୍ରଦାନ ଓ ଚାର୍ଜଫ୍ରେମ କରାଯିବା ପ୍ରକ୍ରିୟା ମଧ୍ୟରେ ଯୁକ୍ତିଯୁକ୍ତ ସମୟ ବ୍ୟବଧାନ ରହିବା ଉଚିତ ବୋଲି ହାଇକୋର୍ଟ ରାୟ ଦେଇଛନ୍ତି।

୬୦ ଦିନର ଅବଧି ବାଧ୍ୟତାମୂଳକ ନୁହେଁ

ରାଜ୍ୟର ସମସ୍ତ ଟ୍ରାଏଲ ଅଦାଲତଗୁଡ଼ିକୁ ଏହି ପ୍ରସଂଗରେ ସାବଧାନତା ଅବଲମ୍ବନ କରିବାକୁ ହାଇକୋର୍ଟ କହିଛନ୍ତି। ଡକ୍ଟର ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଜେଶ କୁମାର ମହାପାତ୍ର ଓ ଅନ୍ୟ ମାନଙ୍କ ତରଫରୁ ଦାୟର ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ ଚନ୍ଦକା ଥାନାରେ ରୁଜୁ ଏକ ମାମଲାରେ ପୁଲିସ ଆବେଦନକାରୀଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିବା ପରେ ଭୁବନେଶ୍ବର ଜେଏମଏଫସି ଅଦାଲତ କଗନିଜାନ୍ସ ଗ୍ରହଣ କରିିଥିଲେ। ୨୦୨୬, ଫେବ୍ରୁଆରି ୧୮ ତାରିଖରେ ପ୍ରଥମେ ଆବେଦନକାରୀଙ୍କୁ ପୁଲିସ ପେପର ପ୍ରଦାନ କରାଯାଇଥିଲା ଓ ପରେ ସେହିଦିନ ମାମଲାରେ ଚାର୍ଜଫ୍ରେମ କରାଯାଇଥିଲା। ପୁଲିସ ପେପର ମିଳିବାର ୬୦ ଦିନ ମଧ୍ୟରେ ଅଭିଯୁକ୍ତ ମାମଲାରୁ ଡିସଚାର୍ଜ ପାଇଁ ଆବେଦନ କରିପାରିବେ ବୋଲି ଆଇନଗତ ବ୍ୟବସ୍ଥା ରହିଥିବା ବେଳେ ସମାନ ଦିନରେ ଚାର୍ଜ‌ଫ୍ରେମ କରାଯିବା ଦ୍ବାରା ଅଭିଯୁକ୍ତଙ୍କ ଅଧିକାର କ୍ଷୁଣ୍ଣ ହୋଇଥିଲା ବୋଲି ଦର୍ଶାଇ ଏହି ଆବେଦନ ହାଇକୋର୍ଟରେ ଦାୟର ହୋଇଥିଲା।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button