ରାଜ୍ୟ

Dalma Branding : କାସଗଞ୍ଜର ମୁଗ ଡାଲମା କହି ବ୍ରାଣ୍ଡିଂ କଲା ଉତ୍ତର ପ୍ରଦେଶ, ଏବେଠୁ ନଚେତିଲେ ରସଗୋଲା ପରି ହାତରୁ ଚାଲିଯିବ ଡାଲମା

ଭୁବନେଶ୍ୱର, ୧୧/୯ : ରସଗୋଲାକୁ ନେଇ ଓଡ଼ିଶା-ପଶ୍ଚିମବଙ୍ଗ ଭିତରେ ଏଯାଏ ବିବାଦ ତୁଟିନି । ସେଭିତରେ ଡାଲମାକୁ ନେଇ ମୁଣ୍ଡ ଟେକିଲାଣି ନୂଆ ବିବାଦ । ସୁସ୍ୱାଦୁ ବ୍ୟଞ୍ଜନ ଓ ଖାଦ୍ୟ ପାଇଁ ପ୍ରସିଦ୍ଧ ଓଡ଼ିଶା । ତା’ର ପ୍ରସିଦ୍ଧ ରସଗୋଲା ପରେ ଏବେ ଡାଲମା ଉପରେ ପଡ଼ିଛି ଅନ୍ୟମାନଙ୍କ ନଜର । ଯେମିତି ପଶ୍ଚିମବଙ୍ଗ ରସଗୋଲାକୁ ତା’ର କହି ଦାବି କରିବା ସହ କୋର୍ଟରେ କେସ୍‌ କଲା ଏବେ ସେହିପରି ଉତ୍ତର ପ୍ରଦେଶ କହିଲାଣି ମୁଗ ଡାଲମା ତାଙ୍କର । ଖାଲି କହୁନି, ବରଂ ଡାଲମାକୁ ବ୍ରାଣ୍ଡିଂ ବି କରିସାରିଲାଣି ଉତ୍ତର ପ୍ରଦେଶ ପର୍ଯ୍ୟଟନ ବିଭାଗ ।

ଉତ୍ତର ପ୍ରଦେଶ ପର୍ଯ୍ୟଟନ ବିଭାଗ ପକ୍ଷରୁ ଫେସ୍‌ବୁକ୍‌ ଓ ଇନ୍‌ଷ୍ଟାଗ୍ରାମ୍‌ରେ ଡାଲମା ସଜେଇ ହୋଇ ରହିଥିବା ଏକ ପାତ୍ର ସହ ‘ଦ ସୋଲ୍‌ ଫୁଡ୍‌ ଅଫ୍‌ କାସଗଞ୍ଜ ମୁଙ୍ଗ୍‌ କା ଡାଲମା’ ଲେଖାଥିବା ଫଟୋ ପୋଷ୍ଟ ସାଙ୍ଗକୁ ଖାଦ୍ୟ ବିଷୟରେ ସୂଚନା ପ୍ରଦାନ କରାଯାଇଛି । ଏହା ଦେଖି ଦେଶ ବିଦେଶରୁ ଓଡ଼ିଆ ଇନ୍‌ଫ୍ଲୁଏନ୍ସର ତଥା ଖାଦ୍ୟପ୍ରେମୀ ଫେସ୍‌ବୁକ୍‌ ଓ ଇନ୍‌ଷ୍ଟାଗ୍ରାମ୍‌ରେ ପ୍ରବଳ ବିରୋଧ କରିଛନ୍ତି । ଏହାର କଡ଼ା ଜବାବ ଦେଇ କହିଛନ୍ତି, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଏହା ଏକ ପ୍ରମୁଖ ଭୋଗ । ଆମର ପ୍ରତିଟି ମନ୍ଦିର ଏବଂ ପ୍ରତି ଘରର ଏହା ଦୈନନ୍ଦିନ ବ୍ୟଞ୍ଜନ ଭିତରେ ଅନ୍ୟତମ ସୁସ୍ୱାଦୁ ଓ ଲୋକପ୍ରିୟ ବ୍ୟଞ୍ଜନ । ଖାଲି ସେତିକି ନୁହେଁ, ଓଡ଼ିଶାର ମୁଗ ଡାଲି ଡାଲମା, ହରଡ଼ ଡାଲି ଡାଲମା, ଚଣା ଡାଲି ଡାଲମା, ବାଡ଼ିଆ ଡାଲମା, ହବିଷ ଡାଲମା, ଛୁଙ୍କ ଡାଲମା, ଘିଅ ବଘରା ଡାଲମା, ନଡ଼ିଆ ଡାଲମା ଏମିତି ଅନେକ ନାଁରେ ଘରେ ଘରେ ପୁରପଲ୍ଲୀରେ ତଥା ଓଡ଼ିଆଙ୍କ ଜନଜୀବନରେ ଡାଲମାର ସ୍ୱାଦ ଭରି ହୋଇ ରହିଛି । ତାକୁ ଚାହିଁଲେ ବି କେହି ନେଇପାରିବେନି । କିନ୍ତୁ ଉତ୍ତର ପ୍ରଦେଶ ସରକାର ଓ ତା’ର ପର୍ଯ୍ୟଟନ ବିଭାଗ ମୁଗ ଡାଲମାକୁ ନିଜର କହି ପ୍ରଚାର, ପ୍ରସାର କରିବାକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଏହାର ଦୃଢ଼ ବିରୋଧ ସହ ଆଗକୁ ଏପରି ନକରିବାକୁ ଓଡ଼ିଆ ଖାଦ୍ୟପ୍ରେମୀ ଚେତାବନୀ ଦେଇଛନ୍ତି ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button