Low Pressure : ରାଜ୍ୟରେ ଲଘୁଚାପ ସକ୍ରିୟ, ୧୨ ତାରିଖ ଯାଏଁ ପ୍ରବଳ ଛେଚିବ

ଭୁବନେଶ୍ୱର, ୧୧/୯ : ମାଡ଼ି ଆସୁଛି ଲଘୁଚାପ ବର୍ଷା । ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ହୋଇଛି। ୧୨ ତାରିଖ ଯାଏ ରାଜ୍ୟରେ ବର୍ଷା ଜାରି ରହିବ । ଆଜି ପାଇଁ କଳାହାଣ୍ଡି, ନବରଙ୍ଗପୁର, ଏବଂ କୋରାପୁଟକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି କଳାହାଣ୍ଡି ଜିଲ୍ଲାରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ଘୋଷଣା ହୋଇଛି । ସେହିପରି ୨୧ ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ଦକ୍ଷିଣ ଓଡ଼ିଶାର ୭ ଜିଲ୍ଲାରେ ପ୍ରବଳ ବର୍ଷା ଆଲର୍ଟ ଜାରି କରାଯାଇଛି । ସେପଟେ ଲଘୁଚାପ ପ୍ରଭାବରେ ୪୮ ଘଣ୍ଟା ସମୁଦ୍ର ଅଶାନ୍ତ ରହିବ । ଏଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ପରାମର୍ଶ ଦିଆଯାଇଛି ।
୧୦ରୁ ୧୨ ତାରିଖ ରାଜ୍ୟର ବିସ୍ତୃତ ଅଞ୍ଚଳରେ ବର୍ଷା ହୋଇପାରେ । ୧୭ ତାରିଖ ଯାଏ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ସମ୍ଭାବନା ଅଛି । କିଛି ସ୍ଥାନରେ ୧୦ରୁ ୨୦ ମିମି ଓ ଅନ୍ୟସ୍ଥାନରେ ୨୦ରୁ ୪୦ ମିମି ପର୍ଯ୍ୟନ୍ତ ବର୍ଷା ହୋଇପାରେ । ୨୨ ତାରିଖ ବେଳକୁ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଲଘୁଚାପ ସୃଷ୍ଟି ହେବ । ଏହା ପ୍ରଭାବରେ ଓଡ଼ିଶା ସମେତ ପୂର୍ବ ଭାରତ ଓ ଉତ୍ତର ପୂର୍ବ ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ବିସ୍ତାରିତ ଆକଳନରେ କୁହାଯାଇଛି ।
ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଆକଳନ ଅନୁସାରେ, ଗୁରୁବାର ଉତ୍ତର ବଙ୍ଗୋପସାଗର ଓ ଆଖପାଖ ଅଞ୍ଚଳରେ ଲଘୁଚାପ ସୃଷ୍ଟି ହୋଇଛି । ଏହା ଅବପାତ ହେବାର ସ୍ପଷ୍ଟ ସଙ୍କେତ ନାହିଁ । ଏହା ପଶ୍ଚିମରୁ ଉତ୍ତର-ପଶ୍ଚିମ ଦିଗକୁ ଯାଇ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ଉତ୍ତର ଓଡ଼ିଶା ଉପରେ ଅଧିକ ପ୍ରଭାବ ପକାଇପାରେ । ୧୧ ତାରିଖରେ ଅଧିକ ବର୍ଷା ହେବ । ୧୨ ତାରିଖରେ ବର୍ଷା ଜାରି ରହିବ । ଉତ୍ତର ଓ ଉପକୂଳ ଓଡ଼ିଶାରେ ଅଧିକ ବର୍ଷାର ସମ୍ଭାବନା ଅଛି । ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ ଓ ପାଖ ଜିଲ୍ଲାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ । କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ବର୍ଷା ବଢ଼ିପାରେ । ଉତ୍ତର ଓ ଉପକୂଳ ଜିଲ୍ଲାରେ କମ୍ ସମୟରେ ଅଧିକ ବର୍ଷା ହେଲେ ତଳିଆ ଅଞ୍ଚଳରେ ପାଣି ଜମିବା ଆଶଙ୍କା ଅଛି । ଛୋଟ ନଦୀ ଓ ନାଳରେ ହଠାତ୍ ପାଣି ବଢ଼ିବା ସହ କେତେକ ନଦୀର ଜଳସ୍ତର ବଢ଼ିବାର ସମ୍ଭାବନା ରହିଛି । ୧୧ରୁ ୧୫ ତାରିଖ ମଧ୍ୟରେ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ପରେ ଛତିଶଗଡ଼ ଓ ମଧ୍ୟପ୍ରଦେଶରେ ବର୍ଷା ବଢ଼ିପାରେ ।
ସୌଜନ୍ୟ ପ୍ରମେୟ




