Aadhaar Land Link: ଏଣିକି ଜମିର ହେବ ଡିଜିଟାଲ୍ ପରିଚୟ ! ୧୪ ଅଙ୍କର ଲ୍ୟାଣ୍ଡ IDରେ ଯୋଡ଼ିହେବ ସମସ୍ତ ରେକର୍ଡ

ନୂଆଦିଲ୍ଲୀ, ୧୨।୯: ଆପଣଙ୍କ ଜମିର ରେକର୍ଡ ଏବେ କେବଳ ପଞ୍ଜୀକରଣ କାଗଜପତ୍ରରେ ସୀମିତ ରହିବ ନାହିଁ, ବରଂ ଏହାର ସମସ୍ତ ସୂଚନା ଡିଜିଟାଲ୍ ବ୍ୟବସ୍ଥା ସହିତ ସଂଯୋଗ କରାଯିବ । ଏହାଦ୍ୱାରା ସହଜରେ ଜଣାପଡ଼ିବ ଯେ ଜମିଟି କେଉଁଠାରେ ଅଛି ଏବଂ ଏହାର ରେକର୍ଡ କ’ଣ ରହିଛି । କେବେ ଏବଂ କାହା ନାଁରେ ପଞ୍ଜୀକରଣ ହୋଇଛି ତଥା ସେଥିରେ କୌଣସି ଋଣ କିମ୍ବା ବିବାଦ ଅଛି କି ନାହିଁ, ସେସବୁ ସ୍ପଷ୍ଟ ଜଣାପଡ଼ିବ । ଏହିସବୁ ସୂଚନାକୁ ୧୪ ଅଙ୍କ ବିଶିଷ୍ଟ ଏକ ସ୍ୱତନ୍ତ୍ର ଲ୍ୟାଣ୍ଡ ଆଇଡି ସହିତ ଯୋଡ଼ାଯିବ ।
କ’ଣ ରହିଛି ସରକାରଙ୍କ ନୂତନ ଯୋଜନା ?
ସରକାର ‘ଡିଜିଟାଲ୍ ଇଣ୍ଡିଆ ଲ୍ୟାଣ୍ଡ ରେକର୍ଡସ୍ ମର୍ଡାନାଇଜେସନ୍ ପ୍ରୋଗ୍ରାମ’ ଅଧୀନରେ ଗାଁଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସମସ୍ତ ଭୂଖଣ୍ଡକୁ ଡିଜିଟାଲ୍ ପରିଚୟ ଦେବା ପାଇଁ ୫୬୫.୫୦ କୋଟି ଟଙ୍କାର ବ୍ୟୟବରାଦ ସହିତ ଏହି ନୂତନ ବ୍ୟବସ୍ଥା ଆରମ୍ଭ କରିଛନ୍ତି । ପ୍ରତ୍ୟେକ ଭୂଖଣ୍ଡ ପାଇଁ ଏବେ ୧୪ ଅଙ୍କ ବିଶିଷ୍ଟ ‘ୟୁନିଭର୍ସାଲ୍ ଲ୍ୟାଣ୍ଡ ପାର୍ସଲ୍ ଆଇଡେଣ୍ଟିଫିକେସନ୍ ନମ୍ବର’ (ULPIN) ରହିବ । କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏହାର ମାର୍ଗଦର୍ଶିକା ଜାରି କରି ଏହାକୁ ଭୂମି ପରିଚାଳନା ବ୍ୟବସ୍ଥାର ଦିଗରେ ଏକ ବଡ଼ ପଦକ୍ଷେପ ବୋଲି କହିଛନ୍ତି । ଏହାର ସବୁଠାରୁ ବଡ଼ ପରିବର୍ତ୍ତନ ହେବ ଯେ, ଭିନ୍ନ ଭିନ୍ନ ସ୍ଥାନରେ ଥିବା ଜମି ସମ୍ବନ୍ଧୀୟ ରେକର୍ଡଗୁଡ଼ିକୁ ପରସ୍ପର ସହିତ ସଂଯୋଗ କରାଯାଇପାରିବ । ଏହାଦ୍ୱାରା କୃଷକମାନଙ୍କୁ ସହଜରେ ବ୍ୟାଙ୍କ କିମ୍ବା ଅନୁଷ୍ଠାନିକ ଋଣ ମିଳିପାରିବ ଏବଂ ସେମାନଙ୍କୁ ସରକାରୀ ଅଫିସର ଚକ୍କର କାଟିବାକୁ ପଡ଼ିବ ନାହିଁ ।
ପୁରୁଣା ବ୍ୟବସ୍ଥାର ସମସ୍ୟା ଏବଂ ନୂତନ ସୁବିଧା:
ବର୍ତ୍ତମାନ କୌଣସି ଭୂଖଣ୍ଡର ସମ୍ପୂର୍ଣ୍ଣ ସୂଚନା ସଂଗ୍ରହ କରିବା ପାଇଁ ମାଲିକ କିମ୍ବା କ୍ରେତାଙ୍କୁ ଅନେକଗୁଡ଼ିଏ ଅଲଗା ଅଲଗା କାଗଜପତ୍ର ଏବଂ ରେକର୍ଡ ଯାଞ୍ଚ କରିବାକୁ ପଡ଼ିଥାଏ । ଜମିର ଖାତା, ଖେସରା କିମ୍ବା ପ୍ଲଟ୍ ନମ୍ବର ରାଜସ୍ୱ ରେକର୍ଡରେ ଥାଏ, କିନ୍ତୁ ଏହାର ନକ୍ସା ଅନ୍ୟତ୍ର ଥାଏ । କ୍ରୟ-ବିକ୍ରୟର ସୂଚନା ପଞ୍ଜୀକରଣ କାର୍ଯ୍ୟାଳୟରୁ ମିଳିଥାଏ। ସେହିପରି ଜମିରେ ବ୍ୟାଙ୍କ ଋଣ ଅଛି କିମ୍ବା ମକଦ୍ଦମା ଚାଲିଛି, ତାହା ଜାଣିବା ପାଇଁ ଅନ୍ୟ ବ୍ୟବସ୍ଥାର ସାହାଯ୍ୟ ନେବାକୁ ପଡ଼ିଥାଏ । ଭୂମି ସମ୍ବଳ ବିଭାଗ ଅନୁଯାୟୀ, କାଗଜରେ ତିଆରି ହୋଇଥିବା ଜମିର ନକ୍ସାକୁ ସେମାନଙ୍କ ପ୍ରକୃତ ଭୌଗୋଳିକ ପରିଚୟ ସହିତ ଯୋଡ଼ା ଯାଉଛି । କୌଣସି ଭୂଖଣ୍ଡର ଡିଜିଟାଲ୍ ପରିଚୟ ମିଳିଗଲେ ଏହାର ଡିଜିଟାଲ୍ ନକ୍ସା, ଅଧିକାର ରେକର୍ଡ ଏବଂ ପଞ୍ଜୀକରଣ ସମ୍ବନ୍ଧୀୟ ସୂଚନା ଏକାଠି ଦେଖି ହେବ । ତେବେ ସରକାର ସ୍ପଷ୍ଟ କରିଛନ୍ତି ଯେ, ଏହି ଡିଜିଟାଲ୍ ପରିଚୟ କେବଳ ଜମିର ମାଲିକାନା ହକର ପ୍ରମାଣପତ୍ର ଭାବେ ଗ୍ରହଣ କରାଯିବ ନାହିଁ । ଜମିର ମାଲିକାନା ସମ୍ପୃକ୍ତ ରାଜ୍ୟର ବୈଧ ଭୂମି ରେକର୍ଡ ଏବଂ ସେଠାରେ ଲାଗୁ ହେଉଥିବା ଆଇନ ଅନୁସାରେ ହିଁ ସ୍ଥିର ହେବ ।
ସୌଜନ୍ୟ ପ୍ରମେୟ




