Railway job fraud : ରେଳବାଇ ଚାକିରି ଆଳରେ ୧ କୋଟି ୧୩ ଲକ୍ଷ ଟଙ୍କାର ଠକେଇ, ରାୟଗଡ଼ାରୁ ଠକକୁ ଉଠାଇ ଆଣିଲା ପୁଲିସ

ଭୁବନେଶ୍ୱର, ୨୨/୯ : ରେଳବାଇରେ ଚାକିରି ଆଳରେ ୧ କୋଟି ୧୩ ଲକ୍ଷ ଟଙ୍କାର ଠକେଇ ଘଟଣା । ଭରତପୁର ଥାନା ପୁଲିସ ଠକକୁ ରାୟଗଡ଼ାରୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ବଡ଼ଗଡ଼ ବ୍ରିଟ୍ କଲୋନୀରେ ରହୁଥିବା ରାୟଗଡ଼ ଗୁଣୁପୁରର ଟିଟୁ ଓରଫ୍ ରୋହିତ କୁମାର ପଣ୍ଡା(୫୩ ବର୍ଷ) ।
ସୂଚନା ଅନୁଯାୟୀ, କୋଳଥିଆ ସତ୍ୟସାଇ ଏନ୍କ୍ଲେଭରେ ରହୁଛନ୍ତି ଅଭିଯୋଗକାରିଣୀ ସୁବାସିନୀ ଲେଙ୍କାଙ୍କ ପରିବାର । ଗତ ଜୁନ୍ ୨୦ ତାରିଖରେ ଅଭିଯୁକ୍ତ ରୋହିତ କୁମାର ପଣ୍ଡା ଏବଂ ତାଙ୍କ ସହଯୋଗୀମାନେ ସୁବାସିନୀଙ୍କ ଘରକୁ ଯାଇଥିଲେ । ମନ୍ତ୍ରୀ ଓ ବଡ଼ ଅଧିକାରୀମାନଙ୍କ ସହ ତାଙ୍କର ସମ୍ପର୍କ ଅଛି ବୋଲି କହିଥିଲେ । ସୁବାସିନୀଙ୍କ ଦୁଇ ପୁଅଙ୍କୁ ରେଳବାଇରେ ଚାକିରି କରାଇଦେବେ ଏବଂ ଜଣଙ୍କ ପିଛା ୬୦ ଲକ୍ଷ ଲେଖାଏଁ ଟଙ୍କା ଦାବି କରିଥିଲେ । ସୁବାସିନୀ ଏବଂ ତାଙ୍କ ଅବସରପ୍ରାପ୍ତ ଶିକ୍ଷକ ସ୍ୱାମୀ ନିଜ ପାଖରେ ରଖିଥିବା ଏବଂ ବନ୍ଧୁବାନ୍ଧବଙ୍କଠାରୁ ଧାର୍ କରି ୧ କୋଟି ୧୩ ଲକ୍ଷ ଟଙ୍କା ରୋହିତଙ୍କୁ ଦେଇଥିଲେ । ଅବଶିଷ୍ଟ ୭ ଲକ୍ଷ ଟଙ୍କା ଚାକିରି ପାଇବା ପରେ ଦେବେ ବୋଲି କହିଥିଲେ । ହେଲେ ଟଙ୍କା ନେବା ପରେ ରୋହିତ ଆଉ ଧରାଛୁଆଁ ଦେଇ ନ ଥିଲେ । ଟଙ୍କା ଫେରସ୍ତ ମାଗିବାରୁ ମଧ୍ୟ ରୋହିତ ଆଜିକାଲି କହି ଦିନ ଗଡ଼ାଇ ଚାଲିଥିଲେ ।
ଶେଷରେ ରାୟଗଡ଼ା ପଦ୍ମପୁରସ୍ଥିତ ନିଜର ଏକ ୫୫ ଲକ୍ଷ ଟଙ୍କା ମୂଲ୍ୟର ଜମି ସୁବାସିନୀଙ୍କ ନାମରେ ରେଜିଷ୍ଟ୍ରି କରାଇ ଦେବେ ବୋଲି କହିବା ସହ ଅବଶିଷ୍ଟ ୫୯ ଲକ୍ଷର ୫ଟି ଚେକ୍ ଦେଇଥିଲେ । ହେଲେ ଜମି ରେଜିଷ୍ଟ୍ରି କରାଇ ନଥିଲେ । ସେପଟେ ଚେକ୍ଗୁଡ଼ିକ ମଧ୍ୟ ବାଉନ୍ସ ହୋଇ ଯାଇଥିଲା । ଏନେଇ ସେମାନେ ରୋହିତଙ୍କୁ ଜଣାଇବା ସହ ଟଙ୍କା ଫେରସ୍ତ ମାଗିଥିଲେ । ରୋହିତ ସୁବାସିନୀଙ୍କ ଘରେ ପଶି ତାଙ୍କୁ ଏବଂ ପୂରା ପରିବାରକୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲା । ଠକାମିର ଶିକାର ସୁବାସିନୀ ଏନେଇ ଭରତପୁର ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଏକ ଠକେଇ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । ଗତକାଲି ଭରତପୁର ଥାନା ପୁଲିସ ରାୟଗଡ଼ାରେ ଥେରୁବାଲି ଫାଣ୍ଡି ପୁଲିସ ସହାୟତାରେ ରୋହିତଙ୍କୁ ଗିରଫ କରିଥିଲା । ଆଜି ରୋହିତଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ସୌଜନ୍ୟ ପ୍ରମେୟ




