ଓଡ଼ିଶା ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ ; ‘ସିବିଆଇ ଏତଲା ବିଷୟରେ ଜାଣିଥିଲ କି ନାହିଁ’

ନୂଆଦିଲ୍ଲୀ: ରାଜ୍ୟ ପୁଲିସ ମହାନିର୍ଦେଶକ ମନୋନୟନ ମାମଲାର ଲଗାତାର ଦ୍ବିତୀୟ ଦିନ ଶୁଣାଣିରେ ସୁପ୍ରିମ୍ କୋର୍ଟ ଏକାଧିକ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ ଉଠାଇଛନ୍ତି। ୟୁପିଏସ୍ସି ସୂଚୀବଦ୍ଧ (ଏମ୍ପାନେଲମେଣ୍ଟ) କମିଟିକୁ ଡିଜିପିସ୍ତରର ଅଧିକାରୀ ସୁଶାନ୍ତ କୁମାର ନାଥଙ୍କ ନାମ ପଠାଇବା ପୂର୍ବରୁ ପୁଲିସ ଏସ୍ଆଇ ପରୀକ୍ଷା ଦୁର୍ନୀତି ନେଇ ସିବିଆଇ ଏଫଆଇଆର୍ ବିଷୟରେ ଓଡ଼ିଶା ସରକାର ଅବଗତ ଥିଲେ କି ନାହିଁ, ସେ ସଂପର୍କରେ ସୁପ୍ରିମ୍ କୋର୍ଟ ପ୍ରଶ୍ନ କରିଛନ୍ତି। ଏହାସହ ଯଦି ସରକାର ଅବଗତ ଥିଲେ, ସେ ବିଷୟରେ ୟୁପିଏସସିକୁ ଜଣାଇଥିଲେ କି ନାହିଁ, ନଭେମ୍ବର ଏଫ୍ଆଇଆର ବିଷୟରେ ଜାଣିବା ପରେ ମେ’ରେ କାହିଁକି ନାଁ ପଠାଇଥିଲେ ଆଦି ପ୍ରଶ୍ନ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ।
ବୁଧବାର ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ବିଚାରପତି ଜୟମାଲ୍ୟ ବାଗ୍ଚି ଏବଂ ବିଚାରପତି ଭି. ମୋହନାଙ୍କୁ ନେଇ ଗଠିତ ତିନିଜଣିଆ ଖଣ୍ଡପୀଠରେ ମାମଲାର ଶୁଣାଣି ବେଳେ ବରିଷ୍ଠ ପୁଲିସ ଅଧିକାରୀ ସୁଶାନ୍ତ ନାଥଙ୍କ ଓକିଲ କରୁଣାନନ୍ଦୀ ଦର୍ଶାଇଥିଲେ ଯେ ଦୁର୍ନୀତି ନିବାରଣ ଆଇନ ୧୯୮୮ର ଧାରା ୧୭(କ) ଅନୁଯାୟୀ ପରୀକ୍ଷା ଦାୟିତ୍ୱରେ ଥିବା ଠିକାସଂସ୍ଥା ମେର୍ସସ ଆଇଟିଆଇର ଅଧିକାରୀଙ୍କ ବିରୋଧରେ ଜେରା ପାଇଁ ସିବିଆଇର ଅନୁମତି ଆବେଦନ ବିଚାରାଧୀନ ରହିଛି। କିନ୍ତୁ ସୁଶାନ୍ତ କୁମାର ନାଥଙ୍କୁ ଜେରା ପାଇଁ ସିବିଆଇର କୌଣସି ଅନୁରୋଧ ବିଚାରାଧୀନ ନାହିଁ। ହୁଏତ ଭବିଷ୍ୟତରେ ଶ୍ରୀ ନାଥଙ୍କୁ ସିବିଆଇ ଜେରା କରିପାରେ, କିନ୍ତୁ ଏପର୍ଯ୍ୟନ୍ତ ଜେରା ପାଇଁ ସିବିଆଇ ଅନୁମତି ଲୋଡ଼ିନାହିଁ।
୨୦୨୫ ନଭେମ୍ବର ୧୨ରେ ସିବିଆଇ ଏସଆଇ ପରୀକ୍ଷା ଦୁର୍ନୀତି ମାମଲାରେ ଏଫଆଇଆର ରୁଜୁ କରିସାରିଛି। ଏଥିରେ ଆଇପିଏସ ସୁଶାନ୍ତ କୁମାର ନାଥଙ୍କ ନାମ ନ ଥିଲା। ଏହା ପରେ ମେ’ ୨୦୨୬ରେ ଶ୍ରୀ ନାଥଙ୍କ ନାମ ୟୁପିଏସସିକୁ ଡିଜିପି ମନୋନୟନ ପାଇଁ ପଠାଯାଇଥିଲା। ବିଚାରପତି ବାଗ୍ଚି ଜାଣିବାକୁ ଚାହିଁଥିଲେ, ସିବିଆଇ ଏଫଆଇଆର ବିଷୟରେ ୟୁପିଏସସିକୁ ଓଡ଼ିଶା ସରକାର ଜଣାଇଥିଲେ କି ନାହିଁ। ଯଦି ସିବିଆଇ ଏଫଆଇଆର ବିଷୟରେ ରାଜ୍ୟ ସରକାର ଜାଣିଥିଲେ, ତାହେଲେ ୟୁପିଏସସିକୁ ଜଣାଇନଥିଲେ କାହିଁକି? ନଭେମ୍ବରରେ ରୁଜୁ ସିବିଆଇ ଏଫଆଇଆର ବିଷୟରେ ଜାଣି ସୁଦ୍ଧା ମେ’ ମାସରେ ସୁଶାନ୍ତ କୁମାର ନାଥଙ୍କ ନାମ ୟୁପିଏସସିକୁ ପଠାଇଲେ କାହିଁକି। ଏ ସଂପର୍କରେ ଆସନ୍ତାକାଲି (ଗୁରୁବାର) ନ୍ୟାୟାଳୟରେ ଜବାବ ରଖିବେ ବୋଲି ଆଡ୍ଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ଖଣ୍ଡପୀଠଙ୍କୁ ଜଣାଇଛନ୍ତି।
ବୁଧବାର ତିନିଜଣିଆ ଖଣ୍ଡପୀଠରେ ମାମଲାର ଶୁଣାଣି ବେଳେ କୋର୍ଟମିତ୍ର ରାଜୁ ରାମଚନ୍ଦ୍ରନ ଦର୍ଶାଇଛନ୍ତି ଯେ ତଥ୍ୟ ଓ ପରିସ୍ଥିତିକୁ ଦୃଷ୍ଟିରେ ରଖି ପରୋକ୍ଷ ଭାବରେ ଜଣେ ଯୋଗ୍ୟ ଅଧିକାରୀଙ୍କ ସତ୍ୟନିଷ୍ଠା ପ୍ରମାଣପତ୍ର (ଇଣ୍ଟିଗ୍ରିଟି ସାର୍ଟିଫିକେଟ)କୁ ଅଟକାଇ ନ୍ୟାୟାଳୟଙ୍କ ପୂର୍ବ ଆଦେଶନାମାକୁ ଓଡ଼ିଶା ସରକାର ଏଡ଼ାଇ ଯାଇଛନ୍ତି। କାହିଁକି ଏବଂ କେଉଁ ପରିସ୍ଥିତିରେ ଜଣେ ଡିଜିପି ସ୍ତରର ଅଧିକାରୀଙ୍କ ସତ୍ୟନିଷ୍ଠା ପ୍ରମାଣପତ୍ର ରୋକିବାକୁ ଓଡ଼ିଶା ସରକାର ଚାହୁଁଛନ୍ତି, ତାହା ସତ୍ୟପାଠ ମାଧ୍ୟମରେ ଉପସ୍ଥାପନ କରନ୍ତୁ। ଯଦିଓ ସତ୍ୟନିଷ୍ଠ ପ୍ରମାଣପତ୍ରକୁ ସ୍ଥଗିତ ରଖିବା ରାଜ୍ୟ ସରକାରଙ୍କ ଅଧିକାର ପରିସରଭୁକ୍ତ, କିନ୍ତୁ ଏଭଳି କାର୍ଯ୍ୟାନୁଷ୍ଠାନ କେଉଁ ନିର୍ଦ୍ଦିଷ୍ଟ କାରଣ ପାଇଁ ହୋଇଛି, ତାହା ଯାଞ୍ଚ ହେବା ଆବଶ୍ୟକ।
ମୂଳ ଆବେଦନକାରୀ ପ୍ରକାଶ ସିଂଙ୍କ ଓକିଲ ପ୍ରଶାନ୍ତ ଭୂଷଣ ଦର୍ଶାଇଛନ୍ତି ଯେ ୨ ନଭେମ୍ବର ୨୦୧୨ କେନ୍ଦ୍ର ସରକାରଙ୍କ ନିୟମାବଳୀ ଅନୁଯାୟୀ, ତିନୋଟି କାରଣ ପାଇଁ ପଦୋନ୍ନତି କ୍ଷେତ୍ରରେ ଭିଜିଲାନ୍ସ କ୍ଲିୟରାନ୍ସକୁ ରୋକା ଯାଇପାରିବ ବୋଲି ସ୍ପଷ୍ଟ ଉଲ୍ଲେଖ ରହିଛି। ପ୍ରଥମତଃ ଯେତେବେଳେ ସରକାରୀ କର୍ମଚାରୀ ନିଲମ୍ବିତ ହୋଇଥିବେ, ଦ୍ୱିତୀୟତଃ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ବିଚାରାଧୀନ ଥିବ ଓ ଚାର୍ଜସିଟ୍ ଦାଖଲ ସରିଥିବ ଏବଂ ତୃତୀୟତଃ ଫୌଜଦାରୀ ମାମଲା ବିଚାରାଧୀନ ରହିଥିବ। ଯଦି କୌଣସି କର୍ମଚାରୀ ଉପରୋକ୍ତ ତିନୋଟି ସର୍ତ୍ତର ଖିଲାପି କରୁନଥିବେ, ତାହେଲେ ତାଙ୍କର ସତ୍ୟନିଷ୍ଠା ପ୍ରମାଣପତ୍ର ସ୍ଥଗିତ ରଖିବା ଯୁକ୍ତିଯୁକ୍ତ ନୁହେଁ। ଓଡ଼ିଶା ସରକାରଙ୍କ ପତ୍ରର ଉତ୍ତରରେ ସିବିଆଇ ଚିଠିରେ ତାଲିକାର ୨ ନମ୍ବରରେ ରହିଥିବା ଡିଜିପିସ୍ତରୀୟ ଅଧିକାରୀଙ୍କ ସତ୍ୟନିଷ୍ଠା ପ୍ରମାଣପତ୍ର ସ୍ଥଗିତ ରଖିବାର କୌଣସି ଆଧାର ନାହିଁ ବୋଲି ଆଇନଜୀବୀ ଶ୍ରୀ ଭୂଷଣ ଦର୍ଶାଇଛନ୍ତି। ଦୁଇ ଜଣ ଅଧିକାରୀଙ୍କ ଡିଜିପିସ୍ତରକୁ ପଦୋନ୍ନତିକୁ ଆଇନଜୀବୀ ଶ୍ରୀ ଭୂଷଣ ପ୍ରଶ୍ନ କରିଛନ୍ତି। ଆଜି ଦ୍ୱିତୀୟ ଦିନରେ ବରିଷ୍ଠ ଆଇନଜୀବୀ ପି ଚିଦାମ୍ବରମ ଏବଂ ନିରଜ କିଷନ କୌଲ ନିଜର ଯୁକ୍ତି ଉପସ୍ଥାପନ କରିଥିଲେ। ମାମଲାର ଶୁଣାଣି କ୍ରମାଗତ ଭାବେ ତୃତୀୟ ଦିନ ଗୁରୁବାରକୁ ଧାର୍ଯ୍ୟ ହୋଇଛି।
ସୌଜନ୍ୟ ସମାଜ




