ଜାତୀୟ

SIR ବିବାଦ ତେଜିଲା: ୨ ନିର୍ବାଚନ କମିଶନରଙ୍କ ୧୦ ମାସରେ ୧୪ ଥର ଲିଖିତ ଆପତ୍ତି, ରିପୋର୍ଟକୁ ଖାରଜ କଲେ ECI

ନୂଆଦିଲ୍ଲୀ,୨୪/୦୯: ଭୋଟର ତାଲିକାର ‘ସ୍ୱତନ୍ତ୍ର ବ୍ୟାପକ ସଂଶୋଧନ (ଏସ୍ଆଇଆର୍)’କୁ ନେଇ ଭାରତର ନିର୍ବାଚନ କମିଶନ (ଇସିଆଇ)ରେ ଥିଲା ଗୁରୁତର ମତଭେଦ । ଏହି ପ୍ରକ୍ରିୟା ଉପରେ ଦୁଇ ଜଣ ନିର୍ବାଚନ କମିଶନର (ଇସି) ୧୦ ମାସରେ ୧୪ ଥର ଆପତ୍ତି ଉଠାଇଥିଲେ । ଜାତୀୟ ଗଣମାଧ୍ୟମରେ ବୁଧବାର ଏଭଳି ରିପୋର୍ଟ ପ୍ରକାଶ ପାଇବା ପରେ ଦେଶବ୍ୟାପୀ ରାଜନୈତିକ ବିବାଦ ଆରମ୍ଭ ହୋଇଯାଇଛି । ବିରୋଧୀ ଦଳ ନେତା କେନ୍ଦ୍ର ସରକାର ଏବଂ ନିର୍ବାଚନ କମିଶନଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି । ଏଥିସହ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି ମଧ୍ୟ କରିଛନ୍ତି ।କିନ୍ତୁ ରିପୋର୍ଟରେ କରାଯାଇଥିବା ଦାବିକୁ ନିର୍ବାଚନ କମିଶନ ଖାରଜ କରିଛନ୍ତି ।

ଗତବର୍ଷ ସମସ୍ତ ନିଷ୍ପତ୍ତି ସର୍ବସମ୍ମତି କ୍ରମେ ନିଆଯାଇଥିବା କହିଛନ୍ତି କମିଶନ । କହିଛନ୍ତି, କୌଣସି ସଂସ୍ଥାରେ ବିଚାରବିମର୍ଶ ବେଳେ ଭିନ୍ନ ଭିନ୍ନ ରାୟ ଏବଂ ଟିପ୍ପଣୀ ରହିବା ସାଧାରଣ କଥା । ଏହାର ଉଦ୍ଦେଶ୍ୟ ପାରଦର୍ଶିତା ବଜାୟ ରଖିବା ଏବଂ ଆଇନଗତ ନିୟମର ପାଳନ ସୁନିଶ୍ଚିତ କରିବା । ସୋସିଆଲ ମିଡିଆରେ ପ୍ରେସ୍ ବିବୃତି ଜାରି କରି କମିଶନ କହିଛନ୍ତି, ଲିଖିତ ଅଭିଯୋଗ, ଟିପ୍ପଣୀ, ବୈଷୟିକ ସୁଧାର ପରାମର୍ଶ, ଅନ୍ତରୀଣ ଯାଞ୍ଚ ବ୍ୟବସ୍ଥା ସ୍ୱାଭାବିକ ଏବଂ ଏହା ଲଗାତର ଭାବେ ଚାଲିଥାଏ । କମିଶନ ସମସ୍ତ କାମ ଆଇନ ଅନୁସାରେ କରିଛନ୍ତି ।

ରିପୋର୍ଟ ମୁତାବକ, ୨୦୨୫ ଅକ୍ଟୋବର ୨୮ରୁ ୨୦୨୬ ଅଗଷ୍ଟ ୧୪ ମଧ୍ୟରେ ୨ ଜଣ ନିର୍ବାଚନ କମିଶନର ୧୪ ଥର ଲିଖିତ ଭାବେ ସେମାନଙ୍କ ଆପତ୍ତି ଜଣାଇଥିଲେ । କେବଳ ଗତ ଏପ୍ରିଲ ୧୬ରେ ୪ ଅଭିଯୋଗ ଦାଖଲ ହୋଇଥିଲା । ଏହାକୁ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ପାଖକୁ ପଠାଯାଇଥିଲା । କିଛି ଅଭିଯୋଗ, ଆପତ୍ତି ଉପ-ନିର୍ବାଚନ କମିଶନରଙ୍କ ନିକଟକୁ ମଧ୍ୟ ପଠାଯାଇଥିଲା ।

ନିର୍ବାଚନ କମିଶନର ସୁଖବୀର ସିଂହ ସାନ୍ଧୁ ଏବଂ ବିବେକ ଯୋଶୀ ଏହି ଆପତ୍ତି ଉଠାଇଥିଲେ । ଗତ ଜୁଲାଇରେ ନୂଆ ମତଦାତାଙ୍କ ପାଇଁ ଫର୍ମ ନମ୍ବର ୬ରେ ଏସ୍ଆଇଆର୍ ସହ ଜଡ଼ିତ ଏକ ପ୍ରଶ୍ନ ଯୋଡ଼ା ଯାଇଥିଲା । ମେ’ରେ ଏହି ଦୁଇ କମିଶନର କହିଥିଲେ ଯେ ଆଇନରେ ସଂଶୋଧନ କରା ନ ଯାଇ ଏଭଳି କରାଯିବା ବେଆଇନ । ଏହା ସତ୍ତେ୍ୱ ପ୍ରଶ୍ନ ଯୋଡ଼ା ଯାଇଥିଲା । ସାନ୍ଧୁ ଏହାକୁ ଅନଧିକୃତ ଏବଂ ବେଆଇନ ଆଖ୍ୟା ଦେଇଥିଲେ ।

ସେହିଭଳି ପଶ୍ଚିମବଙ୍ଗରେ ଏସ୍ଆଇଆର୍ ବେଳେ ମତଦାତାଙ୍କ ନାମ ହଟାଯିବା ଏବଂ ଅପିଲ ସହ ଜଡ଼ିତ ମାମଲାରେ ବି ଉକ୍ତ ଦୁଇ ନିର୍ବାଚନ କମିଶନର ପ୍ରଶ୍ନ ଉଠାଇଥିଲେ । ଜୁଲାଇ ଶେଷ ଆଡ଼କୁ ଦିଲ୍ଲୀରେ କମିଶନଙ୍କ ପ୍ରଶାସନିକ ବିଭାଗର କାମ ବଣ୍ଟାଯିବାକୁ ନେଇ ମଧ୍ୟ ଦୁଇ ନିର୍ବାଚନ କମିଶନର ଆପତ୍ତି ଉଠାଇଥିଲେ । ସେମାନେ କ୍ୟାବିନେଟ ସଚିବ ଟି ଭି ସୋମନାଥନଙ୍କୁ ପୃଥକ ଭାବେ ଚିଠି ଲେଖି କମିଶନଙ୍କୁ ନିୟନ୍ତ୍ରଣ କରୁଥିବା ଆଇନର ଏହା ସ୍ପଷ୍ଟ ଉଲ୍ଲଂଘନ ବୋଲି ଦର୍ଶାଇଥିଲେ । ସାନ୍ଧୁ ଏବଂ ଯୋଶୀ ଉଠାଇଥିବା ଆପତ୍ତିଗୁଡ଼ିକ ମଧ୍ୟରେ ନୂତନ ଭୋଟର ପଞ୍ଜୀକରଣ, ତାଲିକାରୁ ଭୋଟରଙ୍କ ନାଁ ବାଦ୍ ଦେବା, ପୁନଃ ଭୋଟରଙ୍କୁ ତାଲିକାଭୁକ୍ତ କରିବା ଆଦି ରହିଥିଲା । ତେବେ ଆନୁଷ୍ଠାନିକ ଭାବେ ଆପତ୍ତି ଉଠାଇବା ପରେ ଏହି ଦୁଇ ନିର୍ବାଚନ କମିଶନରଙ୍କ ଅଜାଣତରେ ନିଷ୍ପତ୍ତି ନିଆଯାଇଥିବା ଏବଂ ନିର୍ଦ୍ଦେଶ ଜାରି କରାଯାଇଥିବା ଅଭିଯୋଗ ରହିଛି । ଏପରିକି ନିର୍ବାଚନ କମିଶନ ଦୁଇ କମିଶନରଙ୍କ ଲିଖିତ ପରାମର୍ଶ ବିରୋଧରେ କାମ କରିଥିବା ସାନ୍ଧୁ ଏକ ଲିଖିତ ଅଭିଯୋଗରେ ଦର୍ଶାଇଥିଲେ ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button