Drinking Water: ଚିତ୍ରକୋଣ୍ଡା ସାରକୁବନ୍ଧ ହଷ୍ଟେଲରେ ପାଣି ସଙ୍କଟ, ୭ ଦିନ ହେଲା ବର୍ଷା ପାଣି ଭରସାରେ ଛାତ୍ରଛାତ୍ରୀ
ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାର ସ୍ୱାଭିମାନ ଅଞ୍ଚଳ ସାରକୁବନ୍ଧ ହଷ୍ଟେଲରେ ଗମ୍ଭୀର ପାଣି ସଙ୍କଟ ଦେଖାଦେଇଛି। ୭ ଦିନ ହେଲା ପିଇବା ପାଣି ନଥିବାରୁ ଛାତ୍ରଛାତ୍ରୀ ବାଧ୍ୟ ହୋଇ ବର୍ଷା ଜଳ ସଂଗ୍ରହ କରି ଫୁଟାଇ ପିଇବା ସହ ରୋଷେଇରେ ବ୍ୟବହାର କରୁଛନ୍ତି।

ଚିତ୍ରକୋଣ୍ଡା: ବାହାରେ ଲଗାଣ ବର୍ଷା । ଆଉ ଭିତରେ ପାଣି ପାଇଁ ହାହାକାର।୭ ଦିନ ହେଲା ପିଇବା ପାଣି ନାହିଁ। ବାଧ୍ୟ ହୋଇ ବର୍ଷା ପାଣି ସଂଗ୍ରହ କରି ତାକୁ ଫୁଟାଇ ପିଇବା ସହ ରୋଷେଇରେ ବ୍ୟବହାର କରୁଛନ୍ତି କୁନି କୁନି ଛାତ୍ରଛାତ୍ରୀ। ଏଭଳି ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି ସ୍ୱାଭିମାନ ଅଞ୍ଚଳ ସାରକୁବନ୍ଧ ହଷ୍ଟେଲରୁ।
ପିଇବା ପାଣି ପାଇଁ ଏଠି ସେଠି ଧାଇଁବା ବଦଳରେ ବର୍ଷା ପାଣି ହିଁ ଏବେ ଏମାନଙ୍କ ଭରସା। ପ୍ରଥମେ ବର୍ଷା ପାଣିକୁ ଡ୍ରମରେ ସଂଗ୍ରହ କରୁଛନ୍ତି। ଆଉ ତାକୁ ଫୁଟାଇବା ପରେ ପିଇବା ସହ ରୋଷେଇରେ ବ୍ୟବହାର କରୁଛନ୍ତି ଛାତ୍ରଛାତ୍ରୀ। ଏହି ଦୃଶ୍ୟ ହିଁ ବୟାନ କରୁଛି ହଷ୍ଟେଲରେ ପାଣି ସମସ୍ୟାର ଗମ୍ଭୀରତା। ହଷ୍ଟେଲ ଭିତରେ ଯେଉଁ ନଳକୂପ ରହିଛି ସେଥିରୁ ବାହାରୁଛି ନାଲି ରଙ୍ଗର ମାଟି ପାଣି। ଯାହା ପିଇବା ତ ଦୂରର କଥା, ବ୍ୟବହାର ପାଇଁ ମଧ୍ୟ ଅନୁପଯୋଗୀ। ସ୍ୱାଭିମାନ ଅଞ୍ଚଳ ସାରକୁବନ୍ଧ ହଷ୍ଟେଲରେ ପଢୁଥିବା କୁନି କୁନି ଛାତ୍ରଛାତ୍ରୀଙ୍କ ପାଇଁ ପିଇବା ପାଣି ଭଳି ମୌଳିକ ସୁବିଧା ବି ଏବେ ଅପହଞ୍ଚ।
ସୌଜନ୍ୟ ସମ୍ବାଦ




