ଦେଶ ବିଦେଶ

Judgement: ୨୦୦୮ ଅହମଦାବାଦ ବିସ୍ଫୋରଣ: ମୃତ୍ୟୁଦଣ୍ଡ ଉପରେ ରୋକ୍ ଲଗାଇଲେ ସୁପ୍ରିମ୍‌କୋର୍ଟ

୨୦୦୮ ଅହମଦାବାଦ ସିରିଜ୍ ବୋମା ବିସ୍ଫୋରଣ ମାମଲାରେ ଇଣ୍ଡିଆନ୍‌ ମୁଜାହିଦିନ୍‌ର ଆତଙ୍କବାଦୀ ଅହମଦ ବାୱା ଓରଫ୍‌ ଅବ୍ବୁ ଅବୁବକର ବରେଲଭିର ମୃତ୍ୟୁଦଣ୍ଡ ଉପରେ ଗୁରୁବାର ରୋକ ଲଗାଇଛନ୍ତି ସୁପ୍ରିମ୍‌କୋର୍ଟ।

ନୂଆଦିଲ୍ଲୀ: ୨୦୦୮ ଅହମଦାବାଦ ସିରିଜ୍ ବୋମା ବିସ୍ଫୋରଣ ମାମଲାରେ ଇଣ୍ଡିଆନ୍‌ ମୁଜାହିଦିନ୍‌ର ଆତଙ୍କବାଦୀ ଅହମଦ ବାୱା ଓରଫ୍‌ ଅବ୍ବୁ ଅବୁବକର ବରେଲଭିର ମୃତ୍ୟୁଦଣ୍ଡ ଉପରେ ଗୁରୁବାର ରୋକ ଲଗାଇଛନ୍ତି ସୁପ୍ରିମ୍‌କୋର୍ଟ। ଜଷ୍ଟିସ୍‌ ବିକ୍ରମ ନାଥ, ଜଷ୍ଟିସ୍‌ ଏ.ଜି. ମସିହ ଓ ସନ୍ଦୀପ ମେହେଟ୍ଟାଙ୍କ ଖଣ୍ଡପୀଠ ଏହି ମାମଲାରେ ଗୁଜରାଟ ସରକାରଙ୍କୁ ନୋଟିସ୍‌ ଜାରି କରିବା ସହ ଟ୍ରାଏଲ୍‌ କୋର୍ଟର ମୂଳ ରେକର୍ଡ ମାଗିଛନ୍ତି। ବରେଲଭି ଗୁଜରାଟ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମ୍‌କୋର୍ଟରେ ଆବେଦନ କରିଥିଲା।

୨୦୦୮ ଜୁଲାଇ ୨୬ରେ ଅହମଦାବାଦର ବିଭିନ୍ନ ସ୍ଥାନରେ ୭୦ ମିନିଟ୍‌ ମଧ୍ୟରେ ୨୧ଟି ବୋମା ବିସ୍ଫୋରଣ ହୋଇଥିଲା। ଏଥିରେ ୫୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୦୦ରୁ ଅଧିକ ଆହତ ହୋଇଥିଲେ। ଆହତମାନଙ୍କୁ ଚିକିତ୍ସା ପାଇଁ ନିଆଯାଉଥିବା ହସ୍ପିଟାଲ୍‌ଗୁଡ଼ିକରେ ମଧ୍ୟ ବିସ୍ଫୋରଣ ଘଟିଥିଲା। ଭାରତରେ ଆତଙ୍କବାଦୀ ଆକ୍ରମଣ ସମୟରେ ଚିକିତ୍ସାଳୟକୁ ଟାର୍ଗେଟ୍‌ କରାଯିବାର ଏହା ପ୍ରଥମ ଘଟଣା ବୋଲି ମାମଲାର ରେକର୍ଡରେ ଉଲ୍ଲେଖ ରହିଛି।

ଏହି ମାମଲାରେ ୩୫ଟି ପୁଲିସ୍‌ ମାମଲାକୁ ଏକାଠି କରାଯାଇଥିଲା। ଏଥିରୁ ୨୦ଟି ଏଫ୍‌ଆଇଆର୍‌ ଅହମଦାବାଦ ବିସ୍ଫୋରଣ ସହ ଏବଂ ୧୫ଟି ସୁରତରୁ ମିଳିଥିବା ଅଫୁଟା ବୋମା ସହ ସମ୍ପର୍କିତ ଥିଲା। ମୋଟ ୭୮ ଜଣଙ୍କ ବିରୋଧରେ ବିଚାର ହୋଇଥିବାବେଳେ ୪୯ ଜଣ ଦୋଷୀ ସାବ୍ୟସ୍ତ ହୋଇଥିଲେ। ୨୦୨୨ ଫେବ୍ରୁଆରିରେ ସ୍ୱତନ୍ତ୍ର ଅଦାଲତ ୪୯ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ୩୮ ଜଣଙ୍କୁ ମୃତ୍ୟୁଦଣ୍ଡ ଏବଂ ୧୧ ଜଣଙ୍କୁ ଆଜୀବନ କାରାଦଣ୍ଡ ଦେଇଥିଲେ। ଅନ୍ୟ ୨୮ ଜଣ ଅଭିଯୁକ୍ତ ମୁକ୍ତ ହୋଇଥିଲେ। ଏକକ ମାମଲାରେ ୩୮ ଜଣଙ୍କୁ ମୃତ୍ୟୁଦଣ୍ଡ ଦେବା ଦେଶର ନ୍ୟାୟିକ ଇତିହାସରେ ଏପର୍ଯ୍ୟନ୍ତ ସର୍ବାଧିକ ଥିଲା।

ଚଳିତ ବର୍ଷ ଜୁଲାଇ ୭ରେ ଗୁଜରାଟ ହାଇକୋର୍ଟ ସ୍ୱତନ୍ତ୍ର ଅଦାଲତଙ୍କ ରାୟକୁ କାଏମ୍ ରଖି ୩୮ ଜଣଙ୍କ ମୃତ୍ୟୁଦଣ୍ଡ ଏବଂ ୧୧ ଜଣଙ୍କ ଆଜୀବନ ଜେଲଦଣ୍ଡକୁ ବଜାୟ ରଖିଥିଲେ। ବିସ୍ଫୋରଣରେ ବହୁ ସଂଖ୍ୟକ ଲୋକଙ୍କ ମୃତ୍ୟୁ, ବ୍ୟାପକ ଷଡ଼୍‌ଯନ୍ତ୍ର ଏବଂ ସମାଜରେ ଭୟ ସୃଷ୍ଟି କରିବାର ଉଦ୍ଦେଶ୍ୟକୁ ହାଇକୋର୍ଟ ମୃତ୍ୟୁଦଣ୍ଡ କାଏମ୍ ରଖିବାର ମୁଖ୍ୟ କାରଣ ଭାବେ ଦର୍ଶାଇଥିଲେ। ଦୋଷୀମାନଙ୍କ ମଧ୍ୟରେ ନିଷିଦ୍ଧ ସଂଗଠନ ସିମିର ପୂର୍ବତନ ନେତା ସଫଦର ନଗୋରି ମଧ୍ୟ ଅଛି।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button