ରାଜ୍ୟ

Climate change: ଆସ ପାଠ ପଢ଼, ପ୍ରକୃତି ସହିତ ଯୋଡ଼ି ହୋଇ ରୁହ’

ଆସ ପାଠ ପଢ଼। କିନ୍ତୁ ପ୍ରକୃତି ସହିତ ଯୋଡ଼ି ହୋଇକି ପଢ଼। ପୁନଶ୍ଚ ପୃଥିବୀର ଏହି ଅଭିଯାନ ଅନ୍ତର୍ଗତରେ ‘ସମ୍ବାଦ-ଆମ ଓଡ଼ିଶା’ ପକ୍ଷରୁ ସମ୍ବଲପୁର ବିଶ୍ବବିଦ୍ୟାଳୟ ପରିବେଶ ବିଜ୍ଞାନ ବିଭାଗରେ ଆୟୋଜିତ ସବୁଜ କ୍ୟାମ୍ପସ୍‌ କାର୍ଯ୍ୟକ୍ରମରେ ଏହା କହିଛନ୍ତି କୁଳପତି ପ୍ରଫେସର ବିଧୁଭୂଷଣ ମିଶ୍ର।

ସମ୍ବଲପୁର (ଗାର୍ଗୀ ଶତପଥୀ): ଆସ ପାଠ ପଢ଼। କିନ୍ତୁ ପ୍ରକୃତି ସହିତ ଯୋଡ଼ି ହୋଇକି ପଢ଼। ପୁନଶ୍ଚ ପୃଥିବୀର ଏହି ଅଭିଯାନ ଅନ୍ତର୍ଗତରେ ‘ସମ୍ବାଦ-ଆମ ଓଡ଼ିଶା’ ପକ୍ଷରୁ ସମ୍ବଲପୁର ବିଶ୍ବବିଦ୍ୟାଳୟ ପରିବେଶ ବିଜ୍ଞାନ ବିଭାଗରେ ଆୟୋଜିତ ସବୁଜ କ୍ୟାମ୍ପସ୍‌ କାର୍ଯ୍ୟକ୍ରମରେ ଏହା କହିଛନ୍ତି କୁଳପତି ପ୍ରଫେସର ବିଧୁଭୂଷଣ ମିଶ୍ର।

ଉପସ୍ଥିତ ବିଦ୍ୟାର୍ଥୀଙ୍କୁ ସମ୍ବୋଧିତ କରି ସେ କହିଛନ୍ତି, ସବୁଜିମାରେ ପରିପୂର୍ଣ୍ଣ ଆଜି ଯେଉଁ ସମ୍ବଲପୁର ବିଶ୍ବବିଦ୍ୟାଳୟ ଆପଣମାନେ ଦେଖୁଛନ୍ତି, ୨୦ ବର୍ଷ ପୂର୍ବରୁ ସେଭଳି ନଥିଲା। ଏଠାରେ ଟାଙ୍ଗରା ଭୂମି ଥିଲା। ଜଙ୍ଗଲ ଏବଂ ପାହାଡ଼ରେ ନିଆଁ ଲାଗୁଥିଲା। ପଦ୍ମ ପୋଖରୀ ଭାଙ୍ଗି ଯାଇଥିଲା। ଆଜି ଯାହା ସୃଷ୍ଟି ହୋଇପାରିଛି ତାହା ସାମୂହିକ ପ୍ରୟାସ ଯୋଗୁଁ ହିଁ ସମ୍ଭବ ହୋଇପାରିଛି। ଜଙ୍ଗଲ ସୃଷ୍ଟି ଅପେକ୍ଷା ଏହାର ରକ୍ଷଣାବେକ୍ଷଣ ଏବଂ ସୁରକ୍ଷା ହିଁ ମୁଖ୍ୟ କର୍ତ୍ତବ୍ୟ। ଶାଗୁଆନ ଗଛ ତ ପ୍ରକୃତି ଦେଇଛି। କିନ୍ତୁ ତା’ର ସୁରକ୍ଷା ଦିଗରେ ଏଠାରେ ଉପଯୁକ୍ତ ପଦକ୍ଷେପ ନିଆଯାଇଛି। ଦାନ ସୂତ୍ରରୁ ମିଳିଥିବା ପୃଥିବୀକୁ ସୁରକ୍ଷିତ ରଖିବାକୁ ପଡ଼ିବ ବୋଲି କୁଳପତି କହିଥିଲେ।

ସମ୍ମାନିତ ଅତିଥି ତଥା ପରିବେଶ ବିଜ୍ଞାନ ବିଭାଗ ମୁଖ୍ୟ ପ୍ରଫେସର ମଳୟ ରଞ୍ଜନ ମହାନନ୍ଦ କହିଛନ୍ତି, ସବୁଜ କ୍ୟାମ୍ପସ୍‌ ଖୁସି ଦିଏ। ସକରାତ୍ମକ ଆଭିମୁଖ୍ୟ ସହିତ ଗବେଷଣା ପାଇଁ ଖୋରାକ ଯୋଗାଏ। ପରିବେଶ ସୁରକ୍ଷା ହିଁ ଏହାର ମୁଖ୍ୟ ଉଦ୍ଦେଶ୍ୟ ଅଟେ। ପ୍ଲାଷ୍ଟିକ ବ୍ୟବହାରମୁକ୍ତ ସହିତ ସବୁଜ କ୍ୟାମ୍ପସ୍‌ ପାଇଁ ସମ୍ବଲପୁର ବିଶ୍ବବିଦ୍ୟାଳୟ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ପ୍ରଫେସର ମହାନନ୍ଦ ସୂଚନା ଦେଇଥିଲେ। ଏହି ଅବସରରେ ସେ ସମନ୍ବିତ ସେଲ୍‌ ଗଠନ, କ୍ୟାମ୍ପସ୍‌ରେ ପିଜୁଳି ଏବଂ ଶାଳଗଛ ଲଗାଇବା ସହିତ ସୌରଶକ୍ତି ପ୍ରକଳ୍ପ କାର୍ଯ୍ୟକାରୀ କରିବା ବିଷୟରେ କହିଥିଲେ।

ବିଶିଷ୍ଟ ପରିବେଶବିତ୍ ତଥା ପ୍ରଫେସର ସଞ୍ଜୟ ପଟ୍ଟନାୟକ କହିଛନ୍ତି, ପୃଥିବୀରେ ମଣିଷର ହସ୍ତକ୍ଷେପ ବୃଦ୍ଧି ହିଁ ପ୍ରାକୃତିକ ବିପର୍ଯ୍ୟୟର ବଡ଼ କାରଣ ଅଟେ। ସବୁଠି ୩୩ ପ୍ରତିଶତ ଜଙ୍ଗଲର ଆବଶ୍ୟକତା ରହିଛି। କେବଳ ବୃକ୍ଷରୋପଣ ନୁହେଁ କେଉଁ ପ୍ରକାର ଗଛ ଲଗାଯିବା ଉଚିତ ସେ ବିଷୟରେ ମଧ୍ୟ ଜାଣିବାକୁ ପଡ଼ିବ। ଜଳବାୟୁ ପରିବର୍ତ୍ତନ ଯୋଗୁଁ ସବୁଜ କ୍ୟାମ୍ପସ୍‌ ଆଜିର ବଡ଼ ଆବଶ୍ୟକତା ଅଟେ। ଏହା କେବଳ ବୃକ୍ଷରୋପଣରେ ସୀମିତ ନୁହେଁ, ପରିବେଶ ସମ୍ପର୍କରେ ଅବଗତ ହେବା ଆଜିର ବଡ଼ ଆବଶ୍ୟକତା ଅଟେ। ସ୍ବଚ୍ଛ, ଶୃଙ୍ଖଳିତ ଏବଂ ସମନ୍ବିତ ଜୀବନଶୈଳୀକୁ ଆପଣାଇବା ପାଇଁ ସେ ଆହ୍ବାନ କରିଥିଲେ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button