Shodasha Puja: ବୈଷ୍ଣବ ଓ ଶାକ୍ତଙ୍କ ଭିତରେ ବିଭେଦ ଦୂର ପାଇଁ ଉତ୍କଳୀୟ ଦେବବିଧି, ଷୋଳ ପୂଜାରେ ନାରୀଙ୍କୁ ବିମଳା ମନ୍ଦିର ପ୍ରବେଶ ମନା

ପୁରୀ ୦୩/୧୦: ରାଜା ଇନ୍ଦ୍ରଦ୍ୟୁମ୍ନ ମନ୍ଦିର ନିର୍ମାଣ କରି ପ୍ରତିଷ୍ଠା ପାଇଁ ବ୍ରହ୍ମାଙ୍କ ନିମନ୍ତ୍ରଣ ପାଇଁ ବ୍ରହ୍ମଲୋକକୁ ଗଲେ । ଏହି ଭିତରେ ରାଜା ଗାଲମାଧବ ବାଲିରେ ପୋତି ହୋଇପଡ଼ିଥିବା ମନ୍ଦିରକୁ ଆବିଷ୍କାର କରି ତାନ୍ତ୍ରିକ ପଦ୍ଧତିରେ ଭଗବତୀ ବିମଳାଙ୍କ ପୂଜା ଆରାଧନା କଲେ । ମା’ ବିମଳା ବନଦୁର୍ଗା ରୂପରେ ଆରାଧିତା ହେଉଥିଲେ । ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମାଙ୍କୁ ନେଇ ଫେରିଲା ବେଳକୁ ଉଭୟଙ୍କ ଭିତରେ ମତାନ୍ତର ହୋଇଥିଲା । ଏକଧର୍ମ ସମନ୍ୱୟ ପ୍ରତିଷ୍ଠା ପାଇଁ ଚର୍ତୁଭୁଜା ଦୁର୍ଗା (ବିମଳା) ଓ ମାଧବ (ଶ୍ରୀଜଗନ୍ନାଥ) ଙ୍କ ପୂଜା ପଦ୍ଧତି ପ୍ରଚଳିତ ହେଲା । ବୈଷ୍ଣବ ଓ ଶାକ୍ତ ମଧ୍ୟରେ ବିଭେଦ ଦୂର ପାଇଁ ଦୁର୍ଗାମାଧବ ପୂଜାର ପ୍ରଚଳନ ।
ଶ୍ରୀମନ୍ଦିର ଭୋଗ ମଣ୍ଡପରେ ପ୍ରସ୍ତର ଖୋଦିତ ବିଗ୍ରହରୁ ମାଧବ (ଶ୍ରୀଜଗନ୍ନାଥ)ଙ୍କ ସହ ଦୁର୍ଗା (ମା’ ବିମଳା) ତଥା ଭୈରବ ଓ ଭୈରବୀ ରୂପେ ସ୍ଥାପିତ । କୋଣାର୍କ ପ୍ରତ୍ନଶାଳର ପ୍ରସ୍ତର ଫଳକରୁ ଏହି ଅନନ୍ୟ ଦେବବିଧିର ପ୍ରମାଣ ମିଳେ । ଶ୍ରୀମନ୍ଦିର ବାହାର ବେଢ଼ା ଦକ୍ଷିଣ ପଶ୍ଚିମ କୋଣରେ ଭୂପୃଷ୍ଠରୁ କିଛି ଉଦ୍ଧ୍ୱର୍ରେ ଦୁର୍ଗାମାଧବ ମନ୍ଦିର ଦୃଷ୍ଟି ଗୋଚର ହୁଏ । ଐତିହାସିକ ତଥା ସାମାଜିକ ଦୃଷ୍ଟିକୋଣରୁ ଲକ୍ଷ୍ୟ କଲେ ଉତ୍କଳୀୟଙ୍କର ଦୁର୍ଗାମାଧବ ଉପାସନା ଅବିସ୍ମରଣୀୟ । ମାଙ୍ଗଳିକ କାର୍ଯ୍ୟରେ ଦ୍ୱାର ଦେଶରେ ଚତୁର୍ଭୁଜା ଦୁର୍ଗା (ବିମଳା) ଓ ମାଧବ (ଶ୍ରୀଜଗନ୍ନାଥ)ଙ୍କ ପଟଚିତ୍ର ଅଙ୍କିତ ହୁଏ । ଯାତ୍ରା ଅନୁକୂଳ ସମୟରେ ଦୁର୍ଗାମାଧବଙ୍କୁ ସ୍ମରଣ କରି ବିଜୟ ଓ ସମୃଦ୍ଧି କାମନା କରାଯାଏ । ଷୋଳପୂଜା ସମୟରେ ପାକାସ୍ପର୍ଶ ଦୋଷରୁ ରକ୍ଷା ମିଳିବା ପାଇଁ ନାରୀମାନେ ବିମଳାଙ୍କ ମନ୍ଦିରକୁ ପ୍ରବେଶ କରିପାରନ୍ତି ନାହିଁ ।
ସୌଜନ୍ୟ ପ୍ରମେୟ




