Terror Attack: ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର ଭୟ: ବ୍ରିଟିଶ ବାୟୁସେନା ଘାଟିରୁ ସମସ୍ତ ବୋମାବର୍ଷୀ ବିମାନ ହଟାଇଲା ଆମେରିକା
ଆମେରିକା ବ୍ରିଟେନର ଆରଏଏଫ ଫେୟାରଫୋର୍ଡ ବାୟୁସେନା ଘାଟିରୁ ନିଜର ସମସ୍ତ ବୋମାବର୍ଷୀ ବିମାନ ହଟାଇ ଦେଇଛି। ଇରାନ ଉପରେ ଆକ୍ରମଣ କରିବା ପାଇଁ ଏହି ବାୟୁସେନା ଘାଟିର ବ୍ୟବହାର କରାଯାଉଥିଲା।

ୱାସିଂଟନ:ଆମେରିକା ବ୍ରିଟେନର ଆରଏଏଫ ଫେୟାରଫୋର୍ଡ ବାୟୁସେନା ଘାଟିରୁ ନିଜର ସମସ୍ତ ବୋମାବର୍ଷୀ ବିମାନ ହଟାଇ ଦେଇଛି। ଇରାନ ଉପରେ ଆକ୍ରମଣ କରିବା ପାଇଁ ଏହି ବାୟୁସେନା ଘାଟିର ବ୍ୟବହାର କରାଯାଉଥିଲା। ବ୍ରିଟେନରେ ବାୟୁସେନା ଘାଟି ଉପରେ ଏକ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର କରାଯାଉଥିବା ତଦନ୍ତ ମଧ୍ୟରେ ଆମେରିକାର ଏଭଳି ନିଷ୍ପତ୍ତି ନେଇଛି। ପେଣ୍ଟାଗନର ଅଧିକାରୀଙ୍କ ଅନୁଯାୟୀ ବୋମାବର୍ଷୀ ବିମାନଗୁଡ଼ିକୁ ଆମେରିକାରେ ଥିବା ସେମାନଙ୍କ ଘାଟିକୁ ଫେରାଇ ଅଣାଯାଇଛି। ବି-୫୨ ଏବଂ ବି-୧ ବୋମାବର୍ଷୀ ବିମାନଗୁଡ଼ିକ ଆମେରିକା ମୁହାଁ ହୋଇଥିବା ମିଲିଟାରୀ ଏୟାର ଟ୍ରାକିଂ ଆଲାଏନ୍ସ କହିଛି। ଆରଏଏଫ ଫେୟାରଫୋର୍ଡ ଲଣ୍ଡନରୁ ପ୍ରାୟ ୧୬୦ କିଲୋମିଟର ପଶ୍ଚିମରେ ଅବସ୍ଥିତ। ଆମେରିକା ଦଶନ୍ଧି ଧରି ମଧ୍ୟପ୍ରାଚ୍ୟ ଯୁଦ୍ଧରେ ଏହି ଏୟାରବେସ୍ ବ୍ୟବହାର କରିଆସୁଛି।ଗତ ସପ୍ତାହରେ ଲଣ୍ଡନରେ ଏକ ଆତଙ୍କବାଦୀ ଆକ୍ରମଣ ଯୋଜନା କରୁଥିବା ସନ୍ଦେହରେ ବ୍ରିଟିଶ-ଇରାନ ଦ୍ୱୈତ ନାଗରିକତା ଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା। ସେପ୍ଟେମ୍ବର ଶେଷ ଭାଗରେ ଆରଏଏଫ ଫେୟାରଫୋର୍ଡ ବାୟୁସେନା ଘାଟିରେ ସୁରକ୍ଷା ସମ୍ପର୍କିତ ମାମଲା ସନ୍ଦେହରେ ଛଅ ଜଣଙ୍କୁ ଅଟକ ରଖାଯାଇଥିଲା। ତେବେ ପରେ ସେମାନେ ଜାମିନରେ ମୁକ୍ତ ହୋଇଥିଲେ।
ସମ୍ପୃକ୍ତିକୁ ଅସ୍ୱୀକାର କରିଛି ଇରାନ
ବ୍ରିଟିଶ ଅଧିକାରୀମାନେ ଏହି ଘଟଣାରେ ଇରାନର ସମ୍ପୃକ୍ତି ଥିବା ସନ୍ଦେହ କରୁଛନ୍ତି। ତେବେ ଇରାନ ସମ୍ପୃକ୍ତିକୁ ଅସ୍ୱୀକାର କରିଛି। ଇରାନ ପୂର୍ବରୁ କହିଛି ଯେ, ଆମ ଦେଶ ଉପରେ ଆକ୍ରମଣ ପାଇଁ ବ୍ୟବହୃତ ଯେକୌଣସି ସାମରିକ ଘାଟି ଆମର ଟାର୍ଗେଟରେ ରହିବ। ବ୍ରିଟିଶ ଅଧିକାରୀମାନେ ଅଭିଯୋଗ କରିଛନ୍ତି, ଇରାନକୁ ସମର୍ଥନ କରୁଥିବା ଗୋଷ୍ଠୀଗୁଡ଼ିକ ବ୍ରିଟେନ ଏବଂ ଅନ୍ୟାନ୍ୟ ଦେଶରେ ପୋଡ଼ାଜଳା ଏବଂ ଆକ୍ରମଣ କରୁଛନ୍ତି। ଭୟ ପ୍ରସାର କରିବା ଉଦ୍ଦେଶ୍ୟରେ ଏହି ଆକ୍ରମଣରେ ଇହୁଦୀ ସମ୍ପ୍ରଦାୟକୁ ଟାର୍ଗେଟ କରାଯାଉଛି।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଉପରେ ନୂତନ ଆକ୍ରମଣ କରିବା ସମେତ ଅନେକ ବିକଳ୍ପ ଉପରେ ବିଚାର କରୁଛନ୍ତି। ଓହାୟୋରେ ଏକ ରାଲିରେ ସେ ଘୋଷଣା କରିଥିଲେ ଯେ ଇରାନ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି। ସେ କହିଥିଲେ,ଏବେ ନିଷ୍ପତ୍ତି ନେବାକୁ ପଡିବ ଇରାନ ବିରୋଧରେ ସହଜ ଉପାୟ ଗ୍ରହଣ କରାଯିବ ନା କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ସାମରିକ ଅଭିଯାନ ଆଉ ମାତ୍ର କିଛି ସପ୍ତାହ ଚାଲିବ।
ସୌଜନ୍ୟ ସମ୍ବାଦ




