Flydubai attack: ଫ୍ଲାଏଦୁବାଇ ଆକ୍ରମଣ ପ୍ରସଙ୍ଗରେ ଚାଞ୍ଚଲ୍ୟକର ତଥ୍ୟ: ବେନ୍ ଗୁରିଅନ୍ ବିମାନବନ୍ଦରରେ ଆତ୍ମଘାତୀ ଆକ୍ରମଣ ପାଇଁ ଥିଲା ଯୋଜନା
ଫ୍ଲାଏଦୁବାଇ ବିମାନକୁ ଅପହରଣ କରି ଇସ୍ରାଏଲ୍ର ବେନ୍ ଗୁରିଅନ୍ ବିମାନବନ୍ଦରରେ ଏକ ବୃହତ୍ତ ଆତ୍ମଘାତୀ ଆକ୍ରମଣ କରିବା ପାଇଁ ଆତଙ୍କୀ ସହ-ପାଇଲଟ୍ ହମାମ୍ ଅଲ୍-ହାମାମି ଯୋଜନା କରିଥିବା ନେଇ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ତଦନ୍ତକାରୀଙ୍କ ନିକଟରେ ସ୍ୱୀକାର କରିଛି।

ଦୁବାଇ: ଫ୍ଲାଏଦୁବାଇ ବିମାନକୁ ଅପହରଣ କରି ଇସ୍ରାଏଲ୍ର ବେନ୍ ଗୁରିଅନ୍ ବିମାନବନ୍ଦରରେ ଏକ ବୃହତ୍ତ ଆତ୍ମଘାତୀ ଆକ୍ରମଣ କରିବା ପାଇଁ ଆତଙ୍କୀ ସହ-ପାଇଲଟ୍ ହମାମ୍ ଅଲ୍-ହାମାମି ଯୋଜନା କରିଥିବା ନେଇ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ତଦନ୍ତକାରୀଙ୍କ ନିକଟରେ ସ୍ୱୀକାର କରିଛି। ଇସ୍ରାଏଲ୍ର ହିବ୍ରୁ ଗଣମାଧ୍ୟମ ଏବଂ ‘ୱାଇନେଟ୍’ ରିପୋର୍ଟ ମୁତାବକ, ଓମାନି ସହ-ପାଇଲଟ୍ର ଉଦ୍ଦେଶ୍ୟ ଥିଲା ଯେ କକପିଟ୍ ଭିତରେ ଭାରତୀୟ କ୍ୟାପ୍ଟେନ ସ୍ମିତ୍ ମାଚ୍ଛରଙ୍କୁ ହତ୍ୟା କରିବା ପରେ ସେ ସାଧାରଣ ଭାବେ ‘ଫ୍ଲାଏଦୁବାଇ ୧୦୭୩’ ବିମାନକୁ ଚଳାଇବ, ଯଦ୍ୱାରା କାହାରି ସନ୍ଦେହ ହେବନାହିଁ ଏବଂ ବିମାନବନ୍ଦରରୁ ସମସ୍ତ ଅବତରଣ ଅନୁମତି ମିଳିଯିବ। ଏହାପରେ ସେ ବିମାନକୁ ବେନ୍ ଗୁରିଅନ୍ ବିମାନବନ୍ଦରର କୌଣସି ବୃହତ୍ ଅଟ୍ଟାଳିକା କିମ୍ବା ଯେଟ୍ ବିମାନ ସହ ପିଟି ୯/୧୧ ଭଳି ଭୟଙ୍କର ଆକ୍ରମଣ କରିବାକୁ ଲକ୍ଷ୍ୟ ରଖିଥିଲା।
ଏହି ଯୋଜନା ମୁତାବକ ବିମାନଟି ଯେତେବେଳେ ଜର୍ଡାନ ଉପର ଦେଇ ଇସ୍ରାଏଲ୍ ଆଡ଼କୁ ଅଗ୍ରସର ହେଉଥିଲା, ସେତେବେଳେ ସେ ଶେଷ ମହୂର୍ତ୍ତରେ କ୍ୟାପ୍ଟେନଙ୍କୁ ଆକ୍ରମଣ କରିଥିଲା, ଯଦ୍ୱାରା କାହାରିକୁ ସତର୍କ ହେବା ପାଇଁ ସମୟ ମିଳିନଥିଲା। ସେ କହିଛି ଯେ ଯଦି ବିମାନବନ୍ଦରରେ ସେ ସଫଳ ହୋଇନଥାନ୍ତା, ତେବେ ବିମାନକୁ ତେଲ୍ ଆଭିଭ୍ର କୌଣସି ବିଶାଳ ଅଟ୍ଟାଳିକା କିମ୍ବା ଜର୍ଡାନରେ ଥିବା ଆମେରିକୀୟ ସାମରିକ ବେସ୍ ଉପରେ କ୍ରାସ୍ କରିଥାନ୍ତା।
ତେବେ ଗୁରୁତର ଆହତ ହେବା ସତ୍ତ୍ୱେ ଭାରତୀୟ ପାଇଲଟ୍ ସ୍ମିତ୍ଙ୍କ ପ୍ରତିରୋଧ, ଜରୁରିକାଳୀନ ବାର୍ତ୍ତା ପ୍ରେରଣ ଏବଂ କକ୍ପିଟ୍ ଦ୍ବାର ଖୋଲିବା କାରଣରୁ ଏହି ବଡ଼ ବିପତ୍ତି ଟଳିଯାଇଥିଲା। ବର୍ତ୍ତମାନ ଆବୁଧାବିର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା କ୍ୟାପ୍ଟେନ ସ୍ମିତ୍ ଗତ ସପ୍ତାହରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ କଥା ହେବା ବେଳେ କହିଛନ୍ତି ଯେ, ଆକ୍ରମଣର କିଛି ମିନିଟ୍ ପୂର୍ବରୁ ହମାମ୍ ନମାଜ କରିବା ପାଇଁ ଅନୁମତି ମାଗିଥିଲା ଏବଂ ପରେ ହଠାତ୍ ଜରୁରିକାଳୀନ କ୍ରାସ୍ କୁରାଢ଼ୀ ସାହାଯ୍ୟରେ ତାଙ୍କ ମୁଣ୍ଡକୁ ପ୍ରବଳ ଆଘାତଦେଇଥିଲା। ପ୍ରଥମେ ସ୍ମିତ୍ ଭାବିଥିଲେ ଯେ ବିମାନଟି କୌଣସି ଜିନିଷ ସହ ପିଟି ହୋଇଯାଇଛି, ମାତ୍ର କ୍ରମାଗତ ଆକ୍ରମଣ ପରେ ସେ ବୁଝିପାରିଥିଲେ ଯେ କକ୍ପିଟ୍ ଭିତରେ ଥିବା ସହ-ପାଇଲଟ୍ ହିଁ ତାଙ୍କ ଉପରେ ମାରାତ୍ମକ ଆକ୍ରମଣ କରୁଛି।
ସୌଜନ୍ୟ ସମ୍ବାଦ




