ଜିଲ୍ଲା

ହାଇଜମ୍ପରେ ସ୍ବର୍ଣ୍ଣପଦକ ଜିତିଲେ ରୁକ୍ମିଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଭଞ୍ଜନଗର,୬।୧୦ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବାହାଡ଼ାପଦର ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ରୁକ୍ମିଣୀ ବିଷୋୟୀ ରାଜ୍ୟସ୍ତରୀୟ ହାଇଜମ୍ପ ପ୍ରତିଯୋଗିତାରେ ସ୍ବର୍ଣ୍ଣପଦକ ହାସଲ କରି ଜାତୀୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି। ତାଙ୍କର ଏହି ଉଲ୍ଲେଖନୀୟ ସଫଳତା ସମଗ୍ର ଭଞ୍ଜନଗର ଅଞ୍ଚଳ ପାଇଁ ଗୌରବ ଆଣିଦେଇଛି।
ରୁକ୍ମିଣୀଙ୍କ ଏହି ସଫଳତା ପଛରେ ତାଙ୍କର ନିଷ୍ଠା, କଠିନ ପରିଶ୍ରମ ଓ ଦୃଢ଼ ମନୋବଳର ପ୍ରତିଫଳନ ରହିଛି। ରାଜ୍ୟସ୍ତରରେ ସ୍ବର୍ଣ୍ଣପଦକ ହାସଲ କରି ଜାତୀୟସ୍ତରରେ ନିଜ ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ପାଇଥିବାରୁ ବିଦ୍ୟାଳୟ ସମେତ ସମଗ୍ର ଅଞ୍ଚଳରେ ଆନନ୍ଦ ପ୍ରକାଶ ପାଇଛି।
ଏହି ସଫଳତା ପାଇଁ ରୁକ୍ମିଣୀଙ୍କୁ ତାଙ୍କର ପିତାମାତା, ବିଦ୍ୟାଳୟର ପ୍ରଧାନଶିକ୍ଷକ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ସମସ୍ତ ବିଦ୍ୟାଳୟ ପରିବାର ପକ୍ଷରୁ ଅଭିନନ୍ଦନ ଜଣାଯାଇଛି। ଆଗାମୀ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ମଧ୍ୟ ସେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅଞ୍ଚଳ ତଥା ରାଜ୍ୟ ପାଇଁ ଗୌରବ ଆଣିବେ ବୋଲି ଆଶା ପ୍ରକାଶ ପାଇଛି। ସୂଚନା ଯୋଗ୍ୟ ଯେ ରୁକ୍ମିଣୀ ଜଣେ ମେଧାବୀ ଛାତ୍ରୀ।
ଗତବର୍ଷ ମଧ୍ୟ ସେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସୱର୍ଣ୍ଣ ପଦକ ହାସଲ କରିଥିଲେ। ଏହାପରେ ଜାତୀୟ ପ୍ରତିଯୋଗୀତା ପାଇଁ ମନୋନୀତ ହୋଇଥିଲେ। ଗତବର୍ଷ ଜାତୀୟ ସ୍ତରରେ ସେ ଅଷ୍ଟମ ସ୍ଥାନରେ ରହିଥିଲେ। ରବିବାର କେନ୍ଦୁଝରରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ପୁଣି ସ୍ବର୍ଣ୍ଣ ପଦକ ହାସଲ କରି ଗୌରବ ଆଣିଛନ୍ତି। ଏଥିସହ ମହାରାଷ୍ଟ୍ରରେ ହେବାକୁ ଥିବା ଜାତୀୟ ପ୍ରତିଯୋଗୀତା ପାଇଁ ସେ ମନୋନୀତ ହୋଇଛନ୍ତି । ଏଥର ରୁକ୍ମିଣୀ ନିଶ୍ଚିତ ପଦକ ବିଜୟୀ ହେବ ବୋଲି ଆଶା ରଖିଛନ୍ତି।

 

 

 

 

 

ସୌଜନ୍ୟ ଧରିତ୍ରୀ

Show More

Leave a Reply

Your email address will not be published. Required fields are marked *

Back to top button