ଦଶହରା ପୂର୍ବରୁ କଫ ସିରପ୍ କାରବାର ଠାବ: ୩୧୫୬ ବୋତଲ କଫ୍ ସିରପ ସହ ଜଣଙ୍କୁ ମାଡ଼ିବସିଲା ପୋଲିସ

ବରଗଡ଼,୬।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ ଗ୍ରାମାଞ୍ଚଳ ଥାନା ପୋଲିସ ସୋମବାର ସହର ଉପକଣ୍ଠ ତୋରା-ନାଗେନପାଲି ରାସ୍ତାରେ ବିପୁଳ ପରିମାଣରେ କଫ୍ ସିରପ୍ ଜବତ କରିଛି। କଫ୍ ସିରପ୍ ବୋଝେଇ ଏକ ବୋଲେରୋ ପିକଅପ୍(ନଂ-ଓଡ଼ି୧୭ଏଚ୍ ୯୭୯୧)କୁ ଜବତ କରାଯାଇଛି। ସେଥିରୁ ୩୧୫୬ ବୋତଲ କଫ୍ ସିରପ ମିଳିଛି। ଏଥିରେ ସମ୍ପୃକ୍ତ ଅଭିଯୁକ୍ତ ବରଗଡ଼ ପୌର ପରିଷଦ ଅଧିନ ୱାର୍ଡ଼ ନଂ-୧୮ ଭାରତୀ ନଗରର ମୂଳ ବାସିନ୍ଦା ତଥା ବର୍ତ୍ତମାନ ବରଗଡ଼ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ପଣ୍ଡରୀପଥରରେ ରହୁଥିବା ଶହୀଦ ହୁସେନ ଓରଫ୍ ଖାନ୍(୩୨)ଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବା ପରେ ତାଙ୍କୁ ବରଗଡ଼ ଜିଲା କାରାଗାରକୁ ପଠାଇ ଦିଆଯାଇଛି। ଏ ନେଇ ବରଗଡ଼ ଗ୍ରାମାଞ୍ଚଳ ଥାନାରେ ଏକ ମାମଲା(ନଂ-୨୫୫/୨୬) ରୁଜୁ ହୋଇଛି।
ଏ ନେଇ ଜିଲା ପୋଲିସ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏସ୍ପି ରବିନ୍ଦ୍ରନାଥ ଶତପଥୀ ସୂଚନା ଦେଇ କହିଥିଲେ, ବରଗଡ଼ କଫ୍ ସିରପ୍ର ହବ୍ ପାଲଟି ଯାଇଛି। ଫଳରେ ପୋଲିସ ସବୁବେଳେ ଏଥିପ୍ରତି କଡ଼ା ନଜର ରଖିଛି। ଭୁବନେଶ୍ୱରରୁ ବରଗଡ଼ ଅଭିମୁଖେ ଏକ ବୋଲେରୋ ପିକଅପ୍ରେ ବିପୁଳ ପରିମାଣରେ କଫ୍ ସିରପ ଆସୁଥିବା ସୂଚନା ମିଳିଥିଲା। ସେହି ସୂଚନାକୁ ଆଧାର କରି ଅତିରିକ୍ତ ଏସ୍ପି ପଦାରବିନ୍ଦ ତ୍ରିପାଠୀ ଓ ଏସ୍ଡିପିଓ ଏ.ବି ଶିଳ୍ପାଙ୍କ ତତ୍ତ୍ୱାବଧାନରେ ଏକ ପୋଲିସ ଟିମ୍ ଗଠନ ହୋଇଥିଲା। ଉକ୍ତ ଟିମ୍ ସକାଳୁ ବରଗଡ଼ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ତୋରା-ନାଗେନପାଲି ରାସ୍ତାରେ ସେହି କଫ୍ ସିରପ ବୋଝେଇ ବୋଲେରୋ ପିକଅପ୍କୁ ଜବତ କରିଥିଲେ। ଏହା ସହିତ ଅଭିଯୁକ୍ତ ସହିଦ ହୁସେନଙ୍କୁ ଗିରଫ କରାଯିବା ସହିତ ତାଙ୍କ ପାଖରୁ ଏକ ମୋବାଇଲ ଜବତ ହୋଇଛି।
ଏହି କାରବାରର କିଙ୍ଗପିନ୍ ଗତ କିଛିଦିନ ତଳେ ଜେଲରୁ ଜାମିନରେ ବାହାରିଛନ୍ତି। ଜେଲରୁ ବାହାରିବା ପରେ ପୁଣି ସେ ଏହି କାରବାର ଚଲାଇବାକୁ ଉଦ୍ୟମ କରୁଥିଲେ, ତେବେ ଚଢ଼ାଉବେଳେ ସେ ଖସି ଯାଇଛନ୍ତି ଏବଂ ତାଙ୍କୁ ଧରିବା ପାଇଁ ୩ ପୋଲିସ ଟିମ୍ ଗଠନ କରାଯାଇଛି ବୋଲି ଏସ୍ପି ଶତପଥୀ ସୂଚନା ଦେଇଛନ୍ତି। ଏଥିରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ମଧ୍ୟ ତୁରନ୍ତ ଗିରଫ କରାଯିବ ଏବଂ ଆଇନଗତଭାବେ ସେମାନଙ୍କ ସମ୍ପତ୍ତି ମଧ୍ୟ ବାଜ୍ୟାପ୍ତ କରାଯିବା ଦିଗରେ ପଦକ୍ଷେପ ନିଆଯିବ ବୋଲି ଏସ୍ପି ଖବରଦାତା ସମ୍ମିଳନୀରେ କହିଥିଲେ। ସେହିପରି ଅତିରିକ୍ତ ଏସ୍ପି ଏ. ବି ଶିଳ୍ପା କହିଥିଲେ, ନିଶା କାରବାରକୁ ଦମନ କରିବା ପାଇଁ ପୋଲିସ ପ୍ରୟାସ ଜାରି ରଖିଛି। ଦଶହରା ପୂର୍ବରୁ ଏତେମାତ୍ରାରେ କଫ୍ ସିରପ ଜବତ ହେବା ଏକ ବଡ଼ ସଫଳତା ବୋଲି ଏସ୍ଡିପିଓ ଶିଳ୍ପା କହିଥିଲେ। ଖବରଦାତା ସମ୍ମିଳନୀରେ ଏସ୍ପି ପଦାରବିନ୍ଦ ତ୍ରିପାଠୀ, ଏସ୍ଡ଼ିପିଓ ଏ. ବି ଶିଳ୍ପା ମଧ୍ୟ ଉପସ୍ଥିତ ଥିଲେ।
ସୌଜନ୍ୟ ଧରିତ୍ରୀ




