ରାଜ୍ୟ

ଛାତ୍ର ସଂସଦ ନିର୍ବାଚନ ପାଇଁ କଡ଼ା ନିର୍ଦ୍ଦେଶାବଳୀ: ୭୫% ଉପସ୍ଥାନ ବାଧ୍ୟତାମୂଳକ, ନିର୍ବାଚନୀ ଖର୍ଚ୍ଚ ୫ ହଜାରରୁ ଅଧିକ କରିପାରିବେନି…

  • ବ୍ୟାକ୍‌ କିମ୍ବା ଅପରାଧିକ ରେକର୍ଡ ଥିଲେ ହୋଇପାରିବେନି ପ୍ରାର୍ଥୀ
  • ପିପିପି ମୋଡ୍‌ରେ ସେଲ୍ଫ ଫାଇନାନ୍ସିଂ ଛାତ୍ରଛାତ୍ରୀ ହୋଇପାରିବେନି ପ୍ରାର୍ଥୀ
  • ଭୋଟ ପୁଲିଂ ଅଞ୍ଚଳ ସଫା କରିବେ ପ୍ରାର୍ଥୀ, ନଚେତ୍‌ ୧୫୦୦ ଟଙ୍କା ଜରିମାନା

ଭୁବନେଶ୍ୱର,୦୬/୧୦: ଛାତ୍ର ସଂସଦ  ନିର୍ବାଚନ ପାଇଁ ବିଗୁଲ୍‌ ବାଜିଛି । ୯ରେ  ପ୍ରାର୍ଥୀପତ୍ର ନାମାଙ୍କନ ହେବ । ୧୫ ତାରିଖରେ  ନିର୍ବାଚନ ହେବ । କିନ୍ତୁ ଉଚ୍ଚଶିକ୍ଷା ବିଭାଗ ପୂର୍ବ ନିର୍ବାଚନ ପ୍ରକ୍ରିୟାର ନିର୍ଦ୍ଦେଶାବଳୀକୁ ଅନୁସରଣ  କରିଛି । ସର୍ବନିମ୍ନ ୭୫ ପ୍ରତିଶତ ଉପସ୍ଥାନ ନଥିଲେ ଛାତ୍ରଛାତ୍ରୀମାନେ ନିର୍ବାଚନରେ ପ୍ରାର୍ଥୀ  ହୋଇପାରିବେ ନାହିଁ । ସେହିପରି ପ୍ରାର୍ଥୀଙ୍କ  ବୟସସୀମା ୧୭ରୁ ୨୨ ବର୍ଷ ରହିବ । ଏତିକି ନୁହେଁ ପ୍ରତି ପ୍ରାର୍ଥୀ ସର୍ବାଧିକ ୫ ହଜାର ଟଙ୍କା  ନିର୍ବାଚନରେ ଖର୍ଚ୍ଚ କରିପାରିବେ । ଏନେଇ  ବିସ୍ତୃତ ନିର୍ଦ୍ଦେଶାବଳୀ,  ପ୍ରାର୍ଥୀଙ୍କ ପାଇଁ ଯୋଗ୍ୟତା ମାନଦଣ୍ଡ, ନିର୍ବାଚନୀ  ଖର୍ଚ୍ଚ, ଆଚରଣ ବିଧି,  ଅଭିଯୋଗ ନିବାରଣ ସେଲ୍‌,  ମନୋନୟନ ପାଇଁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶକୁ ବିଭାଗ  ଜାରି କରିଛି । ସଂପୂର୍ଣ୍ଣ ଭାବେ ଲିଙ୍ଗ୍‌ଡୋ କମିଶନରଙ୍କ  ସୁପାରିଶ ନିର୍ବାଚନ ପ୍ରକ୍ରିୟାରେ ପାଳନ କରାଯିବ ବୋଲି  ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି ।

ବିଭାଗ ପକ୍ଷରୁ ଦିଆଯାଇଥିବା ନିର୍ଦ୍ଦେଶାବଳୀ  କହୁଛି, ପିପିପି ମୋଡ୍‌ରେ ଥିବା ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମର ଛାତ୍ରଛାତ୍ରୀ ପ୍ରାର୍ଥୀ କିମ୍ବା ଭୋଟର ଭାବେ ଅଂଶଗ୍ରହଣ କରିପାରିବେ ନାହିଁ । ଯୋଗ୍ୟତା ମାନଦଣ୍ଡରେ ରହିଛି, ପ୍ରାର୍ଥୀ ପାଇଁ ନାମାଙ୍କନ ଭରୁଥିବା ଛାତ୍ରଛାତ୍ରୀଙ୍କ ବୟସ ମସୀମା ଯୁକ୍ତ ତିନି  (ସ୍ନାତକ) ସ୍ତରରେ ବୟସ ୧୭ରୁ ୨୨ ବର୍ଷ ମଧ୍ୟରେ ରହିବ । ସ୍ନାତକୋତ୍ତର (ପିଜି) ଛାତ୍ରଛାତ୍ରୀଙ୍କ ପାଇଁ ବୟସ  ସର୍ବାଧିକ ୨୫ ବର୍ଷ ରହିବ । ସେହିପରି ନିର୍ବାଚନ  ଲଢ଼ୁଥିବା ବର୍ଷରେ ପ୍ରାର୍ଥୀଙ୍କ କୌଣସି ବିଷୟରେ  ବ୍ୟାକ୍‌ (ଏକାଡେମିକ୍‌ ଏରିଅର) ନଥିବା ଆବଶ୍ୟକ ।  ସେହିପରି ନିର୍ବାଚନରେ ଭାଗ ନେବା ସର୍ବନିମ୍ନ ୭୫  ପ୍ରତିଶତ ଉପସ୍ଥାନ ଥିବା ବାଧ୍ୟତାମୂଳକ । ଜଣେ ପ୍ରାର୍ଥୀ  କୌଣସି ପଦବି ଅର୍ଥାତ୍‌ ସଭାପତି, ଉପସଭାପତି,  ସାଧାରଣ ସଂପାଦକ, ଆସିଷ୍ଟାଣ୍ଟ ସଂପାଦକ, ସାଂସ୍କୃତିକ ସଂପାଦକ, କ୍ରୀଡ଼ା ସଂପାଦକ ଭଳି ପଦବି ପାଇଁ ଥରେ  ନିର୍ବାଚନ ଲଢ଼ିପାରିବେ । କିନ୍ତୁ କାର୍ଯ୍ୟକାରୀ ସଦସ୍ୟ  ଭଳି ପଦବି ପାଇଁ ସର୍ବାଧିକ ଦୁଇଥର ନିର୍ବାଚନ ଲଢ଼ିପାରିବେ । ପ୍ରାର୍ଥୀଙ୍କ ବିରୋଧରେ କୌଣସି  ଅପରାଧିକ ରେକର୍ଡ, ଦଣ୍ଡ ବିଧାନ କିମ୍ବା ଶିକ୍ଷାନୁଷ୍ଠାନ  ଦ୍ୱାରା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହୋଇନଥିବା  ଆବଶ୍ୟକ । ସଂପୃକ୍ତ ଅନୁଷ୍ଠାନରେ ସାମ୍‌ସ ମାଧ୍ୟମରେ  ନାମ ଲେଖାଇଥିବା ନିୟମିତ ବା ସେଲ୍ଫ ଫାଇନାନ୍ସିଂ  ଛାତ୍ରଛାତ୍ରୀ ପ୍ରାର୍ଥୀ ହୋଇପାରିବେ । ମାତ୍ର ଦୂରନିରନ୍ତର  ଶିକ୍ଷା କିମ୍ବା ପିପିପି ମୋଡ୍‌ର ଛାତ୍ରଛାତ୍ରୀ ଯୋଗ୍ୟ  ବିବେଚିତ ହେବେ ନାହିଁ ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button