Premanand Maharaj: ଚାଞ୍ଚଲ୍ୟକର ତଥ୍ୟ: ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମରୁ ଶିଷ୍ୟଙ୍କ ଠାରୁ ଛଡ଼ାଇ ନିଆଯାଏ ଫୋନ୍ ଓ ସିମ୍ କାର୍ଡ
ବୃନ୍ଦାବନର ପ୍ରସିଦ୍ଧ ସନ୍ଥ ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମରେ ସେପ୍ଟେମ୍ବର ୨୫ ତାରିଖରେ ସାଧକ ରସିକ ଦୁଲାରୀ ଓରଫ ଦୀପକ ଲୋଧୀଙ୍କ ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ ଘଟଣା ଦିନକୁ ଦିନ ରହସ୍ୟମୟ ହେବାରେ ଲାଗିଛି। ଆଶ୍ରମର ଚତୁର୍ଥ ମହଲାରୁ ଖସିପଡ଼ି ତାଙ୍କ ମୃତ୍ୟୁ ହୋଇଥିଲା।

ନୂଆଦିଲ୍ଲୀ: ବୃନ୍ଦାବନର ପ୍ରସିଦ୍ଧ ସନ୍ଥ ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମରେ ସେପ୍ଟେମ୍ବର ୨୫ ତାରିଖରେ ସାଧକ ରସିକ ଦୁଲାରୀ ଓରଫ ଦୀପକ ଲୋଧୀଙ୍କ ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ ଘଟଣା ଦିନକୁ ଦିନ ରହସ୍ୟମୟ ହେବାରେ ଲାଗିଛି। ଆଶ୍ରମର ଚତୁର୍ଥ ମହଲାରୁ ଖସିପଡ଼ି ତାଙ୍କ ମୃତ୍ୟୁ ହୋଇଥିଲା। ପ୍ରାରମ୍ଭରେ ଏହାକୁ ଆତ୍ମହତ୍ୟା ଭାବେ ଧରି ତଦନ୍ତ କରାଯାଉଥିଲା। କିନ୍ତୁ ଏବେ ପୁଲିସ ତଦନ୍ତ, ସିସିଟିଭି ଫୁଟେଜ୍ ଓ ଫୋରେନସିକ୍ପ୍ରମାଣ ସାମ୍ନାକୁ ଆସିବା ପରେ ଅନେକ ଆଶ୍ଚର୍ଯ୍ୟଜନକ ଓ ରହସ୍ୟମୟ ପ୍ରଶ୍ନ ଉଠିଛି।ଏହି ମାମଲାରେ ମଥୁରା ପୁଲିସ ଏପର୍ଯ୍ୟନ୍ତ ୮୫ ଜଣଙ୍କ ବୟାନ ରେକର୍ଡ କରିଛି। ଏଥିସହ ରସିକ ଦୁଲାରୀଙ୍କ ରକ୍ତ ନମୁନା ଫୋରେନସିକ୍ ଯାଞ୍ଚ ପାଇଁ ପଠାଯାଇଛି।
ଆଶ୍ରମରେ ଶିଷ୍ୟଙ୍କ ମୋବାଇଲ୍ ଓ ସିମ୍ ଜବତ
ପୁଲିସ ସୂତ୍ରକୁ ପ୍ରକାଶ, ତଦନ୍ତ ବେଳେ ଆଶ୍ରମର କିଛି କଠୋର ନିୟମ ସାମ୍ନାକୁ ଆସିଛି। ଆଶ୍ରମରେ ସାଧକ କିମ୍ବା ଶିଷ୍ୟ ହେବା ପରେ ସେମାନଙ୍କ ବ୍ୟକ୍ତିଗତ ମୋବାଇଲ୍ ଜମା ନିଆଯାଉଥିଲା ଏବଂ ଆଶ୍ରମ ପକ୍ଷରୁ ନୂଆ ମୋବାଇଲ୍ ଓ ସିମ୍ କାର୍ଡ ଦିଆଯାଉଥିଲା।
ଏହି ନୂଆ ମୋବାଇଲ୍ ଓ ସିମ୍ର ବ୍ୟବହାର କିପରି ହେଉଥିଲା। ସେମାନଙ୍କ କଲ୍ କିମ୍ବା ମେସେଜ୍ ଉପରେ ନଜର ରଖାଯାଉଥିଲା କି ନାହିଁ, ତାହା ମଧ୍ୟ ଯାଞ୍ଚ କରାଯାଉଛି। ଏଥିସହ ସାଧକମାନଙ୍କ ପୁରୁଣା ସମ୍ପର୍କ ଓ ପୃଷ୍ଠଭୂମି ସମ୍ପର୍କିତ ତଥ୍ୟ କେଉଁଠାରେ ଏବଂ କାହା ପାଖରେ ସଂରକ୍ଷିତ ରହୁଥିଲା ସେନେଇ ମଧ୍ୟ ପୁଲିସ ତଦନ୍ତ କରୁଛି।
ପୁଲିସ ଅନୁସାରେ, ଆଶ୍ରମରେ ରହୁଥିବା ସାଧକମାନଙ୍କର ପରିବାର ଓ ପୁରୁଣା ବନ୍ଧୁମାନଙ୍କ ସହ ଯୋଗାଯୋଗ ବହୁତ ସୀମିତ କିମ୍ବା ପ୍ରାୟ ବନ୍ଦ ହୋଇଯାଉଥିଲା। ରସିକ ଦୁଲାରୀଙ୍କୁ ବାହ୍ୟ ଦୁନିଆଠାରୁ କେତେ ଦୂରେ ରଖାଯାଇଥିଲା, ପୁଲିସ ତାହାର ମଧ୍ୟ ତଦନ୍ତ କରୁଛି।
ଦୀପକଙ୍କ ମୃତ୍ୟୁ ପୂର୍ବରୁ ସିସିଟିଭିରେ ରହସ୍ୟମୟ ଦୃଶ୍ୟ
ତଦନ୍ତରେ ସବୁଠାରୁ ଜଟିଳ ଦିଗ ହେଉଛି ରସିକ ଦୁଲାରୀଙ୍କ ଶରୀରରେ ମିଳିଥିବା ଗୁରୁତର ଆଘାତ ଏବଂ ସିସିଟିଭିରେ କଏଦ ହୋଇଥିବା ତାଙ୍କ ଗତିବିଧି। ଶବବ୍ୟବଚ୍ଛେଦ ଓ ପୁଲିସ ତଦନ୍ତରୁ ଜଣାପଡ଼ିଛି ଯେ, ରସିକ ଦୁଲାରୀଙ୍କ ଗୁପ୍ତାଙ୍ଗରେ ଅତ୍ୟନ୍ତ ଗୁରୁତର ଆଘାତ ଲାଗିଥିଲା। ତାଙ୍କ ଗୁପ୍ତାଙ୍ଗର ଅଧା ଅଂଶ କଟିଯାଇଥିଲା।
ସେପ୍ଟେମ୍ବର ୨୫ ତାରିଖ ସକାଳ ୧୦ଟା ୨୫ ମିନିଟ୍ରେ ରସିକ ନିଜ କୋଠରୀରୁ ବାହାରିଥିଲେ। ତାଙ୍କ ପୋଷାକରେ ବହୁତ ରକ୍ତ ଦାଗ ଥିଲା। ସେ ସିଡ଼ି ଚଢ଼ି ଚତୁର୍ଥ ମହଲାର ଛାତକୁ ଯାଇଥିଲେ। ସେଠାରେ କିଛି ସମୟ ବସିବା ପରେ କିଛି ସମୟ ପାଇଁ ଶୋଇ ଯାଇଥିଲେ। ଏହାପରେ ସେ ଉଠି ଠିଆ ହୋଇଥିଲେ ଏବଂ ସକାଳ ୧୦ଟା ୩୬ ମିନିଟ୍ରେ ଛାତରୁ ତଳକୁ ଡେଇଁ ପଡ଼ିଥିଲେ। ଏତେ ଗୁରୁତର ଶାରୀରିକ ଆଘାତ ସତ୍ତ୍ୱେ ସିସିଟିଭି ଫୁଟେଜ୍ରେ ରସିକ ଦୁଲାରୀଙ୍କ ମୁହଁ କିମ୍ବା ହାବଭାବରେ ଅସହ୍ୟ ଯନ୍ତ୍ରଣାର କୌଣସି ସଙ୍କେତ ଦେଖାଯାଉ ନଥିଲା। ସେ ଶାନ୍ତ ଦେଖାଯାଉଥିଲେ।
ନିଶାଦ୍ରବ୍ୟ ଦିଆଯାଇଥିଲା କି? ଫୋରେନସିକ୍ ରିପୋର୍ଟ ଉପରେ ନଜର
ମଥୁରା ପୁଲିସ ରସିକଙ୍କ ରକ୍ତ ନମୁନା ଫୋରେନସିକ୍ ଲାବରେଟୋରିକୁ ପଠାଇଛି। ଘଟଣା ସମୟରେ ତାଙ୍କ ଶରୀରରେ କୌଣସି ଡ୍ରଗ୍ସ, ବିଷାକ୍ତ ପଦାର୍ଥ, ନିଶା ଔଷଧ କିମ୍ବା ସାଇକୋଆକ୍ଟିଭ୍ ପଦାର୍ଥ ଥିଲା କି ନାହିଁ, ତାହା ଯାଞ୍ଚ କରାଯାଉଛି।ପୁଲିସ ଏହା ମଧ୍ୟ ତଦନ୍ତ କରୁଛି ଯେ, ରସିକ ଦୁଲାରୀ କୌଣସି ମାନସିକ ଚାପ କିମ୍ବା ଅବସାଦ ଦେଇ ଗତି କରୁଥିଲେ କି ନାହିଁ।ଆଶ୍ରମରେ ଯୋଗଦେବା ପୂର୍ବରୁ ରସିକଙ୍କ ଜୀବନ କିପରି ଥିଲା ଏବଂ ଆଶ୍ରମକୁ ଆସିବା ପରେ ତାଙ୍କ ବ୍ୟବହାରରେ କ’ଣ ପରିବର୍ତ୍ତନ ହୋଇଥିଲା, ପୁଲିସ ତାହା ଜାଣିବାକୁ ଚେଷ୍ଟା କରୁଛି। ଏଥିପାଇଁ ପୁରୁଣା ମୋବାଇଲ୍, ନୂଆ ସିମ୍ର କଲ୍ ଡିଟେଲ୍ ରେକର୍ଡ (ସିଡିଆର), ହ୍ୱାଟ୍ସଆପ୍ ଚାଟ୍ ଏବଂ ଅନ୍ୟ ଡିଜିଟାଲ୍ ପ୍ରମାଣକୁ ଗଭୀର ଭାବେ ଯାଞ୍ଚ କରାଯାଉଛି। ମଥୁରା ପୁଲିସ ରସିକଙ୍କ ପରିବାର ସଦସ୍ୟ ଓ ନିକଟତମ ବ୍ୟକ୍ତିମାନଙ୍କୁ ମଧ୍ୟ ପଚରାଉଚରା କରୁଛି।
ସୌଜନ୍ୟ ସମ୍ବାଦ




