ଦେଶ ବିଦେଶ

Attack on ship: ହର୍ମୁଜ୍‌ରେ ମାଲ୍‌ବାହୀ ଜାହାଜ ଉପରେ କ୍ଷେପଣାସ୍ତ୍ର ମାଡ଼; ୧୧ ଭାରତୀୟ ଆହତ

ଓମାନ ଉପକୂଳ ନିକଟସ୍ଥ ଗୁରୁତ୍ୱପୂର୍ଣ୍ଣ ହର୍ମୁଜ୍ ପ୍ରଣାଳୀ ଦେଇ ଗତି କରୁଥିବା ପାନାମା ପତାକାଧାରୀ ଏକ ବାଣିଜ୍ୟିକ ମାଲ୍‌ବାହୀ ଜାହାଜ ଉପରେ ହୋଇଥିବା ଭୟଙ୍କର କ୍ଷେପଣାସ୍ତ୍ର ମାଡ଼କୁ ଭାରତ ମଙ୍ଗଳବାର ଦୃଢ଼ ନିନ୍ଦା କରିଛି।

ନୂଆଦିଲ୍ଲୀ: ଓମାନ ଉପକୂଳ ନିକଟସ୍ଥ ଗୁରୁତ୍ୱପୂର୍ଣ୍ଣ ହର୍ମୁଜ୍ ପ୍ରଣାଳୀ ଦେଇ ଗତି କରୁଥିବା ପାନାମା ପତାକାଧାରୀ ଏକ ବାଣିଜ୍ୟିକ ମାଲ୍‌ବାହୀ ଜାହାଜ ଉପରେ ହୋଇଥିବା ଭୟଙ୍କର କ୍ଷେପଣାସ୍ତ୍ର ମାଡ଼କୁ ଭାରତ ମଙ୍ଗଳବାର ଦୃଢ଼ ନିନ୍ଦା କରିଛି। ଏହି ସାଂଘାତିକ ଆକ୍ରମଣରେ ଜାହାଜରେ ଥିବା ୧୭ ଜଣ ଭାରତୀୟ ନାଗରିକଙ୍କ ମଧ୍ୟରୁ ପ୍ରାୟ ୧୧ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ସାଧାରଣ ନାଗରିକ, ବାଣିଜ୍ୟିକ ଜାହାଜ ଏବଂ ସାମୁଦ୍ରିକ ନାବିକମାନଙ୍କ ଉପରେ ହେଉଥିବା ଏଭଳି ବର୍ବର ଆକ୍ରମଣକୁ ତୁରନ୍ତ ବନ୍ଦ କରିବା ସହ ଆନ୍ତର୍ଜାତୀୟ ଜଳପଥରେ ମୁକ୍ତ ବାଣିଜ୍ୟ କାରବାର ସ୍ୱାଭାବିକ କରିବାକୁ ଭାରତ ପକ୍ଷରୁ ଜୋରଦାର ଦାବି କରାଯାଇଛି।

ଭାରତର ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ରଣଧୀର ଜୈସୱାଲ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ସୋମବାର ଓମାନ ଉପକୂଳର ହର୍ମୁଜ୍ ପ୍ରଣାଳୀ ଦେଇ ଅତିକ୍ରମ କରୁଥିବା ସମୟରେ ବାଣିଜ୍ୟିକ ଟ୍ୟାଙ୍କର ଜାହାଜ ‘ଏମଟି ଅନ୍ ପିସ୍’ ଉପରେ ଏକ ଅଜ୍ଞାତ କ୍ଷେପଣାସ୍ତ୍ର ମାଡ଼ ହୋଇଥିଲା। ଜାହାଜରେ ଥିବା ମୋଟ ୧୯ ଜଣ ପରିଚାଳକ ସଦସ୍ୟଙ୍କ ମଧ୍ୟରୁ ୧୭ ଜଣ ଭାରତୀୟ ନାଗରିକ ଥିଲେ। ଏହି ଆକ୍ରମଣ ଯୋଗୁଁ ଜାହାଜର ମୋଟ ୧୨ ଜଣ ସଦସ୍ୟ ଆହତ ହୋଇଛନ୍ତି, ଯେଉଁଥିରେ ୧୧ ଜଣ ଭାରତୀୟ ନାଗରିକ ସାମିଲ ଅଛନ୍ତି। ଓମାନ କର୍ତ୍ତୃପକ୍ଷଙ୍କ ସହାୟତାରେ ସମସ୍ତ ଆହତ କର୍ମଚାରୀଙ୍କୁ ଜାହାଜରୁ ସୁରକ୍ଷିତ ଭାବେ ବାହାର କରାଯାଇ ଓମାନର ଖସାବ୍ ଠାରେ ଜରୁରୀକାଳୀନ ଚିକିତ୍ସା ପ୍ରଦାନ କରାଯାଉଛି।

ବୈଦେଶିକ ମନ୍ତ୍ରାଳୟର ସୂଚନା ଅନୁଯାୟୀ, ଏହି ଅଞ୍ଚଳରେ ବାଣିଜ୍ୟିକ ଜାହାଜଗୁଡ଼ିକ ଉପରେ କ୍ରମାଗତ ଭାବେ ହେଉଥିବା ଆକ୍ରମଣ ଭାରତ ପାଇଁ ଗମ୍ଭୀର ଚିନ୍ତାର ବିଷୟ ପାଲଟିଛି। ଏହି ସମ୍ବେଦନଶୀଳ ସାମୁଦ୍ରିକ ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ସ୍ୱାର୍ଥରେ ନୂଆଦିଲ୍ଲୀ ପକ୍ଷରୁ ଏଭଳି ଆକ୍ରମଣକୁ ତୁରନ୍ତ ବନ୍ଦ କରିବା ପାଇଁ ଆହ୍ୱାନ ଦୋହରାଇଛି। ଉଲ୍ଲେଖଯୋଗ୍ୟ, ବ୍ରିଟେନର ମାରିଟାଇମ୍ ଟ୍ରେଡ୍ ଅପରେସନ୍ସ (ୟୁକେଏମ୍‌ଟିଓ) ର ରିପୋର୍ଟ ଅନୁଯାୟୀ, ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପ‌୍ସ (ଆଇଆର୍‌ଜିସି)ର ସାମରିକ ବାହିନୀ ପକ୍ଷରୁ ଜାହାଜକୁ ଅଟକାଯିବା ସହ ଧମକ ଦିଆଯାଇ ପଛକୁ ଫେରିଯିବାକୁ ବାଧ୍ୟ କରାଯାଇଥିଲା। ଏହି ଘଟଣାଟି ଓମାନର ଖସାବ୍ ଠାରୁ ପ୍ରାୟ ୧୧ ନଟିକାଲ୍ ମାଇଲ୍ ଉତ୍ତରରେ ସୋମବାର ଘଟିଥିଲା।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button