Landmine: ଲ୍ୟାଣ୍ଡମାଇନ ନିଷ୍କ୍ରିୟ ବେଳେ ବିସ୍ଫୋରଣ, ୪ ଯବାନ ଆହତ
ମାଓବାଦୀ ସର୍ଚ୍ଚ ଅପରେସନ ସମୟରେ ଜବତ ହୋଇଥିବା ଲ୍ୟାଣ୍ଡମାଇନକୁ ନିଷ୍କ୍ରିୟ କରିବାବେଳେ ହଠାତ୍ ବିସ୍ଫୋରଣ ହେବାରୁ ୪ ଜଣ ଯବାନ ଆହତ ହୋଇଛନ୍ତି। ଛତିଶଗଡ଼ର ସୁକମା ଜିଲ୍ଲା କୋଣ୍ଟାରେ ଏହି ଅଘଟଣ ଘଟିଛି।

ମାଲକାନଗିରି: ମାଓବାଦୀ ସର୍ଚ୍ଚ ଅପରେସନ ସମୟରେ ଜବତ ହୋଇଥିବା ଲ୍ୟାଣ୍ଡମାଇନକୁ ନିଷ୍କ୍ରିୟ କରିବାବେଳେ ହଠାତ୍ ବିସ୍ଫୋରଣ ହେବାରୁ ୪ ଜଣ ଯବାନ ଆହତ ହୋଇଛନ୍ତି। ଛତିଶଗଡ଼ର ସୁକମା ଜିଲ୍ଲା କୋଣ୍ଟାରେ ଏହି ଅଘଟଣ ଘଟିଛି। ଆହତ ଯବାନମାନଙ୍କୁ କୋଣ୍ଟା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ସିଆର୍ପିଏଫ୍ର କୋଣ୍ଟା ରେଞ୍ଜ ପିଡମେଲ, ଡବାକୋଣ୍ଟା, କୋଲାରଗୁଡ଼ା ଓ ଏଲମଡଗୁ କ୍ୟାମ୍ପରେ ରଖାଯାଇଥିବା ପୁରୁଣା ଓ ଅବ୍ୟବହୃତ ବିସ୍ଫୋରକକୁ ସୁରକ୍ଷିତ ଭାବେ ନଷ୍ଟ କରିବା ପାଇଁ ଜଗଦଲପୁରରୁ ଆମ୍ୟୁନିସନ୍ ଟେକ୍ନିସିଆନ୍ (ଏଟିଟି) ଟିମ୍ ଏଲମଡଗୁ କ୍ୟାମ୍ପରେ ପହଞ୍ଚିଥିଲେ। କ୍ୟାମ୍ପରୁ ୨୦୦ ମିଟର ଦୂର ବୋଦରାଜପଦର ନାଳ ନିକଟରେ ସୁରକ୍ଷା ନିୟମ ଅନୁସାରେ ଲ୍ୟାଣ୍ଡମାଇନ ନିଷ୍କ୍ରିୟ କରିବା ପ୍ରକ୍ରିୟା ଚାଲିଥିଲା।
ଏହି ସମୟରେ ହଠାତ୍ ଏକ ବିସ୍ଫୋରକ ଖଣ୍ଡ ଛିଟିକି ନିକଟରେ ପଡ଼ିବା ପରେ ପ୍ରଚଣ୍ଡ ବିସ୍ଫୋରଣ ଘଟିଥିଲା। ଫଳରେ ଘଟଣାସ୍ଥଳରେ ୪ ଯବାନ ଆହତ ହୋଇଥିଲେ। ଏଟିଟି ଟିମ୍ର ଏଏସ୍ଆଇ ଏମ୍. କେ. ତିୱାରୀ, ସିଆର୍ପିଏଫ୍ ୫୦ ବାଟାଲିୟନର ଏଏସ୍ଆଇ ଅନୀଶ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ସେହିପରି ଏଟିଟି ଟିମ୍ର ନିରୀକ୍ଷକ ଅମରନାଥ ମିଶ୍ର ଓ ୫୦ ବାଟାଲିୟନର ପ୍ରଧାନ ଆରକ୍ଷୀ କୁଲଦୀପ ରାଜ ସାମାନ୍ୟ ଆହତ ହୋଇଛନ୍ତି। ଆହତ ଯବାନଙ୍କୁ ପ୍ରାଥମିକ ଚିକିତ୍ସା ପରେ କୋଣ୍ଟା ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା। ଗୁରୁତର ଦୁଇ ଯବାନଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ଡାକ୍ତରୀ ଟିମ୍ ନଜର ରଖିଛନ୍ତି। ଆବଶ୍ୟକ ପଡ଼ିଲେ ଉନ୍ନତ ଚିକିତ୍ସା ପାଇଁ ସେମାନଙ୍କୁ ଭଦ୍ରାଚଳମ୍ ସ୍ଥାନାନ୍ତର କରାଯିବ ବୋଲି ଏସ୍ପି ମୟଙ୍କ ଗୁର୍ଜର କହିଛନ୍ତି।
ସୌଜନ୍ୟ ସମ୍ବାଦ




