kerosene lamp: ବିକାଶଠୁ ଦୂରରେ ‘ବାଞ୍ଝିଆମା’: ଡିବିରି ଆଲୁଅ, ଝରଣା ପାଣି ଭରସା
କଟକ ସହରଠୁ ପାଖାପାଖି ୪୫ କିଲୋମିଟର ଦୂର ଟାଙ୍ଗୀ-ଚୌଦ୍ବାର ବ୍ଲକ୍ ମଙ୍ଗରାଜପୁର ପଞ୍ଚାୟତ ଅନ୍ତର୍ଗତ ପାହାଡ଼, ଜଙ୍ଗଲ ମଝିରେ ଥିବା ଗାଁ ‘ବାଞ୍ଝିଆମା’ରେ ପହଞ୍ଚୁନି ମୌଳିକ ସୁବିଧା।

କଟକ (ଦୀପ୍ତିରଂଜନ ସାମଲ): କଟକ ସହରଠୁ ପାଖାପାଖି ୪୫ କିଲୋମିଟର ଦୂର ଟାଙ୍ଗୀ-ଚୌଦ୍ବାର ବ୍ଲକ୍ ମଙ୍ଗରାଜପୁର ପଞ୍ଚାୟତ ଅନ୍ତର୍ଗତ ପାହାଡ଼, ଜଙ୍ଗଲ ମଝିରେ ଥିବା ଗାଁ ‘ବାଞ୍ଝିଆମା’ରେ ପହଞ୍ଚୁନି ମୌଳିକ ସୁବିଧା। ଗାଁକୁ ଯିବା ପାଇଁ ଭଲ ରାସ୍ତା ନାହିଁ। ଶିକ୍ଷା, ସ୍ବାସ୍ଥ୍ୟସେବା ଗ୍ରାମବାସୀଙ୍କ ପାଇଁ ସ୍ବପ୍ନ। ହାତୀ, ବାର୍ହାଙ୍କ ଭୟ ମଧ୍ୟରେ ଜଙ୍ଗଲରୁ କାଠ ସଂଗ୍ରହ କରି ଏମାନେ ଚଳନ୍ତି। ଗ୍ରାମକୁ ବିଜୁଳି ସଂଯୋଗ ନାହିଁ। ସଞ୍ଜ ନଇଁଲେ ଘରେ ତାଟିକବାଟ ପଡ଼େ। କିଛି ବର୍ଷ ତଳେ ପ୍ରତି ଘରକୁ ସୋଲାର ଲାଇଟ୍ ଯୋଗାଇ ଦିଆଯାଇଥିଲା। ହେଲେ ସବୁବେଳେ ସୋଲାର ଲାଇଟ୍ ଜଳୁ ନଥିବାରୁ ଡିବିରି ଆଲୁଅରେ ରାତି ବିତାଇବାକୁ ପଡ଼େ। ଗ୍ରାମରେ ବସାଯାଇଥିବା ଦୁଇଟି ନଳକୂଅ ମଧ୍ୟରୁ ଏବେ ଗୋଟିଏ ଖରାପ। ସେହି ଗୋଟିଏ ନଳକୂପ ଖରାପ ହୋଇଗଲେ ଗ୍ରାମବାସୀଙ୍କ ପାଇଁ ଝରଣା ପାଣି ହିଁ ଭରସା।
ରାସ୍ତା, ଶିକ୍ଷା, ସ୍ବାସ୍ଥ୍ୟ ସାତସପନ
ସରକାର ଜମି ଦେଇଥିଲେ ବି ଭିଟାମାଟି ଛାଡ଼ିବାକୁ ନାରାଜ ଗ୍ରାମବାସୀ
ମା’ ଡମଡମଣୀ ପୀଠ ଦେଇ ଡମଣୀ ଡ୍ୟାମ୍ କଡ଼ରେ ପ୍ରାୟ ୫ କିଲୋମିଟର ଜଙ୍ଗଲ ରାସ୍ତା ଅତିକ୍ରମ କରିବା ପରେ ପଡ଼ିବ ‘ବାଞ୍ଝିଆମା’। ଗ୍ରାମରେ ଚାଳଛପର ଘରେ ରହୁଛନ୍ତି ୨୭ଟି ପରିବାରର ପାଖାପାଖି ୧୦୦ ଜଣ। ଭୋଟରଙ୍କ ସଂଖ୍ୟା ୬୫। ଜଙ୍ଗଲ ରାସ୍ତାରେ ୧୦ କିଲୋମିଟର ଦୂରରେ ଥିବା ସ୍କୁଲ୍କୁ ପିଲାଙ୍କୁ ଛାଡ଼ିବା ପାଇଁ ବାପା ମା’ ଭୟ କରୁଛନ୍ତି। ଝିଅପିଲାଙ୍କୁ ଜଙ୍ଗଲ ବାହାରେ କୋଚିଲା ନୂଆଗାଁଠାରେ ସଂପର୍କୀୟଙ୍କ ଘରେ ଛାଡ଼ି ଦେଉଛନ୍ତି। ପନିପରିବା କିମ୍ବା ତେଜରାତି ଆଣିବାକୁ ହେଲେ ପାଦଚଲା ରାସ୍ତାରେ ୧୦ରୁ ୧୨ କିଲୋମିଟର ଦୂର ଯିବାକୁ ପଡୁଛି। ଗ୍ରାମର ବାସିନ୍ଦା ଶୈଳ ବେହେରାଙ୍କ କହିବାନୁସାରେ, ପୂର୍ବରୁ ଧାନ ଓ ପରିବା ଚାଷ କରାଯାଉଥିଲା। ହେଲେ ହାତୀ ଓ ବାର୍ହା ସେଗୁଡ଼ିକ ନଷ୍ଟ କରିଦେଉଥିବାରୁ ଚାଷ କରିହେଉନି। ରାତିରେ କାହାର ଦେହ ଖରାପ ହେଲେ ଆମ୍ବୁଲାନ୍ସ ଆସିବାକୁ ଭୟ କରୁଛି। ତେଣୁ ୪-୫ ଜଣ ଏକାଠି ହୋଇ ରୋଗୀକୁ ଟର୍ଚ୍ଚ ଆଲୁଅରେ ବାହାରକୁ ନେବାକୁ ପଡୁଛି। ନେତା ଓ ସରକାରୀ ବାବୁମାନେ ଖାଲି ପ୍ରତିଶ୍ରୁତି ଦେଉଛନ୍ତି। କେବଳ ଭୋଟ୍ ବେଳେ ସେମାନଙ୍କ ଦର୍ଶନ ମିଳୁଛି। ବାସିନ୍ଦା ରେଖା ଦେହୁରୀ କହିଛନ୍ତି, ମହାବାତ୍ୟା ଓ ଫନି ବାତ୍ୟା ବେଳେ ଘର ଛପର ଉଡ଼ିଯାଇଥିଲା। ସେତେବେଳେ ସରକାରଙ୍କଠୁ କିଛି ସହାୟତା ମିଳିଥିଲା। ଏବେ ଗାଁ ଛାଡ଼ିବାକୁ ବାଧ୍ୟ କରାଯାଉଛି। ଯେତିକି ଜମି ଦିଆଯାଇଛି ସେଥିରେ ରହିବା ଅସମ୍ଭବ। ଘର ତିଆରି କରି ନଦେଲେ ଭିଟାମାଟି କେମିତି ଛାଡ଼ିବୁ ବୋଲି ସେ ପ୍ରଶ୍ନ କରିଛନ୍ତି।
ସୌଜନ୍ୟ ସମ୍ବାଦ




