Hotel: ହୋଟେଲ୍ ମାଲିକ ଓଡ଼ିଶାମୁହାଁ: ଓଡ଼ିଶା ପର୍ଯ୍ୟଟନ ଉପରେ ଆଖି, ରାଜ୍ୟରେ ୭୪ ନୂଆ ହୋଟେଲ୍
ଓଡ଼ିଶାର ଅପରୂପ ପ୍ରାକୃତିକ ସୌନ୍ଦର୍ଯ୍ୟ, ସୁଦୃଶ୍ୟ ବେଳାଭୂମି, ବଣଜଙ୍ଗଲ, ଆଦିବାସୀ ଜନଜୀବନ ଓ ଐତିହ୍ୟ କୀର୍ତ୍ତରାଜି ବିଶ୍ବର ଯେକୌଣସି କୋଣରୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଯଥେଷ୍ଟ।

ଭୁବନେଶ୍ବର (ପ୍ରଭାତ ପଟ୍ଟନାୟକ): ଓଡ଼ିଶାର ଅପରୂପ ପ୍ରାକୃତିକ ସୌନ୍ଦର୍ଯ୍ୟ, ସୁଦୃଶ୍ୟ ବେଳାଭୂମି, ବଣଜଙ୍ଗଲ, ଆଦିବାସୀ ଜନଜୀବନ ଓ ଐତିହ୍ୟ କୀର୍ତ୍ତରାଜି ବିଶ୍ବର ଯେକୌଣସି କୋଣରୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଯଥେଷ୍ଟ। ଏହାର ପ୍ରଭାବରେ ପ୍ରତିବର୍ଷ ଦେଶବିଦେଶରୁ ବହୁସଂଖ୍ୟାରେ ପର୍ଯ୍ୟଟକ ଓଡ଼ିଶା ଆସୁଛନ୍ତି। ଏଥିସହିତ ଓଡ଼ିଶା ପୂର୍ବ ଭାରତର ଏକ ପ୍ରମୁଖ ଶିଳ୍ପ ଓ ବ୍ୟବସାୟ ହବ୍ ଭାବେ ମଧ୍ୟ ନିଜର ପ୍ରତିଷ୍ଠା ଦୃଢ଼ କରିବାରେ ଲାଗିଛି। ପର୍ଯ୍ୟଟନ ଓ ବ୍ୟବସାୟ କ୍ଷେତ୍ରରେ ଭ୍ରମଣ ବଢ଼ିବା ସହ ସେଥିରୁ ସୃଷ୍ଟି ହୋଇଥିବା ସୁଯୋଗ ହାତେଇବା ଲାଗି ହୋଟେଲ୍ ମାଲିକମାନେ ଏବେ ଓଡ଼ିଶା ମୁହାଁ ହେବା ଆରମ୍ଭ କରିଛନ୍ତି। ଗୋଟିଏ ପରେ ଗୋଟିଏ ପ୍ରତିଷ୍ଠିତ ସଂସ୍ଥା ରାଜ୍ୟରେ ସେମାନଙ୍କ ହୋଟେଲ୍ ଖୋଲିବାକୁ ଯାଉଛନ୍ତି। ସପ୍ତତାରକା ହୋଟେଲ୍ଠାରୁ ଆରମ୍ଭ ପଞ୍ଚତାରକା, ତିନିତାରକା, ଇକୋ-ରିସୋର୍ଟସ୍, ୱେଲ୍ନେସ୍ ରିସୋର୍ଟସ୍, ଥିମ୍ ବେସ୍ଡ ରିସୋର୍ଟସ୍, ହୋଟେଲ୍ ଓ ରେସ୍ତୋରାଁ, ୱେ-ସାଇଡ୍ ଆମେନିଟିଜ୍, କନ୍ଭେନ୍ସନ୍ ସେଣ୍ଟର ଆଦି ତିଆରି କରିବା ଯୋଜନା ରଖିଥିବା ଜଣାପଡ଼ିଛି।
ସୌଜନ୍ୟ ସମ୍ବାଦ




