ରାଜ୍ୟ

Nayagarh: ଶ୍ରୀହୀନ ପାଲଟିବ ନୟାଗଡ଼: ରୁଗ୍‌ଣ ଅବସ୍ଥାରେ ଡାଲି ଓ ଆଖୁ ଗବେଷଣା କେନ୍ଦ୍ର

ଜିଲ୍ଲାର ଏକ ମାତ୍ର ଶିଳ୍ପ ଭାବେ ଗଣା ଯାଉଥିବା ଚିନିକଳକୁ ନେଇ ଏବେ ବିଭିନ୍ନ ପ୍ରକାର ଆଲୋଚନା ଚାଲିଛି। ନୂଆ ଚିନିକଳ ପ୍ରତିଷ୍ଠା ପାଇଁ ନୟାଗଡ଼ରେ ଆଇପିଏଲ୍‌ (ଇଣ୍ଡିଆନ୍‌ ପଟାସ ଲିମିଟେଡ୍‌) ଟିମ୍ ପହଞ୍ଚି ଭିତ୍ତିଭୂମି ପରିଦର୍ଶନ...

ନୟାଗଡ଼(ସନ୍ଦୀପ ଲେଙ୍କା): ଜିଲ୍ଲାର ଏକ ମାତ୍ର ଶିଳ୍ପ ଭାବେ ଗଣା ଯାଉଥିବା ଚିନିକଳକୁ ନେଇ ଏବେ ବିଭିନ୍ନ ପ୍ରକାର ଆଲୋଚନା ଚାଲିଛି। ନୂଆ ଚିନିକଳ ପ୍ରତିଷ୍ଠା ପାଇଁ ନୟାଗଡ଼ରେ ଆଇପିଏଲ୍‌ (ଇଣ୍ଡିଆନ୍‌ ପଟାସ ଲିମିଟେଡ୍‌) ଟିମ୍ ପହଞ୍ଚି ଭିତ୍ତିଭୂମି ପରିଦର୍ଶନ କରିବା ସହ ଜିଲ୍ଲାପାଳଙ୍କ ସହ ବାରମ୍ବାର ଆଲୋଚନା କରିଛନ୍ତି। ଚିନିକଳ ପାଇଁ ଆବଶ୍ୟକ ହେଉଥିବା ସମସ୍ତ ଭିତ୍ତିଭୂମି ସଂକ୍ରାନ୍ତରେ ଚାଷୀମାନଙ୍କ ସହ ମଧ୍ୟ ଆଲୋଚନା କରାଯାଇଛି। ଏହି ଟିମ୍ ଓ ଜିଲ୍ଲା ପ୍ରଶାସନ ନୟାଗଡ଼ରେ ଏକାଧିକ ଜାଗା ବୁଲି ଦେଖିଥିଲେ ମଧ୍ୟ କେଉଁଠି ଚିନିକଳ ପ୍ରତିଷ୍ଠା କରାଯିବ, ଏ ନେଇ କିଛି ବି ସ୍ପଷ୍ଟ କରୁ ନାହାନ୍ତି। ଫଳରେ ଚିନି କଳକୁ ନେଇ ଏବେ ବି ନୟାଗଡ଼ବାସୀ ସନ୍ଦେହରେ ରହିଛନ୍ତି। ଅନ୍ୟପଟେ ଆଖୁ ଓ ଡାଲି ଗବେଷଣା କେନ୍ଦ୍ର ବହୁଦିନ ହେଲା ରୁଗ୍‌ଣ ଅବସ୍ଥାରେ ରହିଛି।

ପ୍ରତ୍ୟେକ ନିର୍ବାଚନରେ ରାଜନୈତିକ ଦଳଗୁଡ଼ିକର ଇସ୍ତାହାରରେ ରହି ପ୍ରଚାରରେ ସହଯୋଗ କରୁଥିବା ଏହି ଚିନିକଳର ଭାଗ୍ୟ ଭବିଷ୍ୟତକୁ ନେଇ ଅନିଶ୍ଚିତତା ଲାଗି ରହିଛି। ଚିନିକଳ ସ୍ଥାପନ ପାଇଁ ୭୦ ଏକର ଜାଗାର ଆବଶ୍ୟକ ରହିଛି। ପାଣିପୋଇଲା ନିକଟସ୍ଥ ଡ୍ୟାମ୍‌ ପାଖ ଅଞ୍ଚଳ ଓ ନୟାଗଡ଼ ବ୍ଲକ୍‌ ଗମେଇ ନିକଟରେ ରହିଥିବା ଆଉ ଏକ ସ୍ଥାନ ଜିଲ୍ଲା ପ୍ରଶାସନ ସହ ଆଇପିଏଲ୍‌ ଟିମ୍‌ ବୁଲି ଦେଖିଛନ୍ତି। ମହାରାଷ୍ଟ୍ରରେ ନିର୍ମାଣ କରାଯାଇଥିବା ଚିନିକଳ ଭଳି ନୟାଗଡ଼ରେ ମଧ୍ୟ ଚିନିକଳ ପ୍ରତିଷ୍ଠା ପାଇଁ ଆଇପିଏଲର ଟିମ୍ ସମସ୍ତ ଡକ୍ୟୁମେଣ୍ଟାରି ମାଧ୍ୟମରେ ଜିଲ୍ଲା ପ୍ରଶାସନକୁ ଦେଖାଇସାରିଛି। ଗତ ୨୦୨୪ ସାଧାରଣ ନିର୍ବାଚନ ସମୟରେ ସରକାରକୁ ଆସିଲେ ଚିନିକଳ ପ୍ରତିଷ୍ଠା କରିବାକୁ ବିଜେପି ପ୍ରତିଶ୍ରୁତି ଦେଇଥିଲା। ଏହାସହ କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହ ତାଙ୍କର ଓଡ଼ିଶା ଗସ୍ତ ସମୟରେ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୟାଗଡ଼ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଚିନିକଳ ପ୍ରତିଷ୍ଠା କରାଯିବ ବୋଲି ମଧ୍ୟ ଘୋଷଣା କରିସାରିଛନ୍ତି। ଏଣୁ ଯଥା ସମ୍ଭବ ଏ ଦିଗରେ ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବି ହେଉଛି।

ଆଲୋଚନା, ସମୀକ୍ଷାରେ ଅଟକିଛି ଚିନିକଳର ଭାଗ୍ୟ 
ରୁଗ୍‌ଣ ଅବସ୍ଥାରେ ଡାଲି ଓ ଆଖୁ ଗବେଷଣା କେନ୍ଦ୍ର

ସେହିପରି ନୟାଗଡ଼ର ମୁଗ ଡାଲିର ବାସ୍ନା, ସ୍ବାଦ ଓ ଚାହିଦା କାହାକୁ ଅଛପା ନାହିଁ। ୧୯୬୫ରେ ନୟାଗଡ଼ରେ ୩୬ ଏକର ଜମିରେ ଡାଲି ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା। ଏଠାରୁ ରାଜ୍ୟ ବାହାରୁ ଡାଲି ଗବେଷଣା ପାଇଁ ଆସିଥାଏ। ଏହି କେନ୍ଦ୍ରରୁ ହିଁ ଦୁଇଟି ଉନ୍ନତମାନର ନୂଆ ମୁଗ ବାହାରିଥିଲା। ମାତ୍ର ବର୍ଷ ବର୍ଷ ଧରି ଏଠାରେ ଗବେଷକ ନଥିବା ବେଳେ ପଲ୍‌ସେସ୍‌ ରିସର୍ଚ୍ଚ ସ୍ପେସାଲିଷ୍ଟଙ୍କ ପଦ ଖାଲି ପଡ଼ିଛି। ଫଳରେ ବହୁବର୍ଷ ଧରି ଏଠାକୁ ମୁଗ ପିଣ୍ଡ ଆଉ ଗବେଷଣା ପାଇଁ ଆସୁ ନାହିଁ। ଏହାସହ ଛଅ ପ୍ରକାରର ଆଖୁ ବିହନର ସଫଳ ଉଦ୍ଭାବନ ନୟାଗଡ଼ରୁ ହିଁ ହୋଇଥିଲା। ବର୍ତ୍ତମାନ ପାଣିପୋଇଲାରେ ଥିବା ଆଖୁ ଗବେଷଣା କେନ୍ଦ୍ରଟି ରୁଗ୍‌ଣ ଅବସ୍ଥାରେ ରହିଛି। ଚିନିକଳରେ ତାଲା ଝୁଲୁଥିବା ବେଳେ ଚାଷୀମାନେ ଆଖୁଚାଷରୁ ମୁହଁ ଫେରାଇଲେଣି। ନୂଆ ଚିନିକଳ ପ୍ରତିଷ୍ଠା ଦିଗରେ ସରକାର ପଦକ୍ଷେପ ନିଆଯାଉଥିବା କହୁଥିଲେ ମଧ୍ୟ ଆଖୁଚାଷ ଦିଗରେ ଏପର୍ଯ୍ୟନ୍ତ ଚାଷୀମାନଙ୍କୁ ସଚେତନ କରୁ ନାହାନ୍ତି। ଅନ୍ୟପଟେ ନୟାଗଡ଼ର ବିକାଶ ପାଇଁ କାର୍ଯ୍ୟକାରୀ ହେବାକୁ ଥିବା ୨୫ଟି ପ୍ରମୁଖ ପ୍ରକଳ୍ପ ମଧ୍ୟରେ ଏହି ତିନଟି ପ୍ରକଳ୍ପ ରହିଥିବା ସଂକ୍ରାନ୍ତରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଚିବସ୍ତରୀୟ ବୈଠକରେ ଆଭାସୀ ମାଧ୍ୟମରେ ଯୋଗ ଦେଇ ଜିଲ୍ଲାପାଳ ମଧୁମିତା ରଥ କହିଛନ୍ତି। ଏଣୁ ଏ ନେଇ ଜିଲ୍ଲା ପ୍ରଶାସନ କି ପଦକ୍ଷେପ ନେଉଛି, ଏହା ଉପରେ ସମସ୍ତଙ୍କ ନଜର ରହିଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button