Permanent river embankment: ଆଳି ଧୋୟାଞ୍ଚଳର ଦୁଃଖ କାଣୀ, ଖରସ୍ରୋତା: ନିର୍ମାଣ ହେଉନି ସ୍ଥାୟୀ ନଦୀବନ୍ଧ
ଖରସ୍ରୋତା ଓ କାଣୀ ନଦୀର ବନ୍ୟା ପ୍ରକୋପରେ ପ୍ରତିବର୍ଷ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଧୋୟାଞ୍ଚଳର ୧୦ଟି ପଞ୍ଚାୟତରେ ବସବାସ କରୁଥିବା ୮୦ ହଜାର ଅଧିବାସୀଙ୍କ ଦୁର୍ଦ୍ଦଶା ବଢ଼ିଚାଲିଛି।

ଆଳି (ପ୍ରମୋଦ କୁମାର ମଲ୍ଲିକ): ଖରସ୍ରୋତା ଓ କାଣୀ ନଦୀର ବନ୍ୟା ପ୍ରକୋପରେ ପ୍ରତିବର୍ଷ କେନ୍ଦ୍ରାପଡ଼ାଜିଲ୍ଲା ଆଳି ଧୋୟାଞ୍ଚଳର ୧୦ଟି ପଞ୍ଚାୟତରେ ବସବାସ କରୁଥିବା ୮୦ ହଜାର ଅଧିବାସୀଙ୍କ ଦୁର୍ଦ୍ଦଶା ବଢ଼ିଚାଲିଛି। ଚଳିତ ବର୍ଷ ପାଖାପାଖି ପାଞ୍ଚଟି ବନ୍ୟାର ଶିକାର ହୋଇଛନ୍ତି ଧୋୟାଞ୍ଚଳବାସୀ। ଫସଲ ଉଜୁଡ଼ି ଯାଇଛି। ପିଇବା ପାଣି ପାଇଁ ନାକେଦମ ହୋଇଛନ୍ତି। କିନ୍ତୁ ବନ୍ୟାର ସ୍ଥାୟୀ ପ୍ରତିକାର ପାଇଁ ବର୍ଷବର୍ଷ ଧରି ଗୁହାରି କରୁଥିଲେ ବି ଏହି ସମସ୍ୟା ପ୍ରତି ସରକାର, ପ୍ରଶାସନ, ଲୋକପ୍ରତିନିଧିଙ୍କ ଉଦାସୀନତା ଉଦ୍ବେଗର କାରଣ ହୋଇଛି। ଧୋୟାଞ୍ଚଳର ଗୋବିନ୍ଦପୁର, ଡିମିରିପାଳ, ସଂସିଧା, ଅର୍ଗଳ, କେତୁଆପାଳ, ପେତପଡ଼ା, ଏରଡ଼ଙ୍ଗ, ଜୁଆଣିଆ, ଦେ’ସାହି, ପାଳିମୀ ଆଦି ୧୦ଟି ପଞ୍ଚାୟତର ଅଧିବାସୀ ବନ୍ୟା କବଳରୁ ମୁକ୍ତି ପାଇବା ପାଇଁ ଏବେ ଅଣ୍ଟା ଭିଡ଼ିଛନ୍ତି। ଅଗଷ୍ଟ ୧୯ ଓ ୨୦ ତାରିଖରେ ବନ୍ୟା ସ୍ରୋତ ଭିତରେ ଛିଡ଼ା ହୋଇ ଧୋୟାଞ୍ଚଳର ଯୁବଗୋଷ୍ଠୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
ଉଜୁଡ଼ିଛି ୮୦ ହଜାର ଲୋକଙ୍କ ଜୀବନଜୀବିକା
ସେପ୍ଟେମ୍ୱର ୨୦ ତାରିଖରେ ଜଳସମ୍ପଦ ବିଭାଗ ମୁଖ୍ୟଯନ୍ତ୍ରୀଙ୍କୁ ଦାବିପତ୍ର ଦେଇଥିଲେ। ଧୋୟାଞ୍ଚଳବାସୀଙ୍କ ପକ୍ଷରୁ ପରିବେଶବିତ୍ ପ୍ରମୋଦ ଧଳ ଓ ଯୁବ ସାମାଜିକ କର୍ମୀ ପ୍ରକାଶ ମିଶ୍ର ଓଡ଼ିଶା ମାନବାଧିକାର କମିସନ୍(ଓଏଚ୍ଆର୍ସି)ଙ୍କ ଦ୍ବାରସ୍ଥ ହୋଇଛନ୍ତି। ମାନବାଧିକାର କମିସନଙ୍କ ନିକଟରେ ଦାୟର ହୋଇଥିବା ଆବେଦନରେ ଦର୍ଶାଇଛନ୍ତି ଯେ ଧୋୟାଞ୍ଚଳର ୮୦ହଜାର ଅଧିବାସୀ ବର୍ଷବର୍ଷ ଧରି ମୌଳିକ ଆବଶ୍ୟକତାରୁ ବଞ୍ଚିତ ହୋଇଆସୁଛନ୍ତି। ବନ୍ୟାରେ ନଳକୂଅ ବୁଡ଼ି ରହିବାରୁ ଲୋକମାନେ ଦୂଷିତ ପାଣି ପିଇବାକୁ ବାଧ୍ୟ ହୋଇଥିଲେ। ଅଞ୍ଚଳର ଏକମାତ୍ର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପାଣିରେ ବୁଡ଼ି ରହିଥିଲା ବେଳେ ଯୋଗାଯୋଗ ବିଚ୍ଛିନ୍ନ ହେବାରୁ ଆମ୍ବୁଲାନ୍ସ ବି ପହଞ୍ଚିପାଲାନି। ଚାଷଜମି ଜଳାର୍ଣ୍ଣବ ହୋଇ ଫସଲ ଉଜୁଡ଼ି ଯାଇଛି। ତେଣୁ ତୁରନ୍ତ ନଦୀବନ୍ଧ ନିର୍ମାଣ କରି ବନ୍ୟାର ସ୍ଥାୟୀ ପ୍ରତିକାର ଦାବିରେ ଆନ୍ଦୋଳନ ପାଇଁ ସଜବାଜ ଆରମ୍ଭ କରିଛନ୍ତି।
ସୌଜନ୍ୟ ସମ୍ବାଦ




