ରାଜ୍ୟ

SCB: ରୋଗୀଙ୍କୁ ପିଟିପିଟି ହତ୍ୟା ଘଟଣା: ଏସ୍‌ସିବିର ୨ କର୍ମଚାରୀଙ୍କୁ ବାନ୍ଧିଲା ପୁଲିସ

ଏସ୍‌ସିବି ମାନସିକ ସ୍ବାସ୍ଥ୍ୟ ପ୍ରତିଷ୍ଠାନରେ ଯାଜପୁରର ଶ୍ରୀକାନ୍ତ ଦାସଙ୍କୁ ପିଟିପିଟି ହତ୍ୟା କରିବା ଅଭିଯୋଗରେ ମଙ୍ଗଳାବାଗ ଥାନା ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ଘଟଣାରେ ସମ୍ପୃକ୍ତ ଏସ୍‌ସିବି ମେଡିକାଲ୍‌ର ୨ କର୍ମଚାରୀ ଗିରଫ ହୋଇଛନ୍ତି।

କଟକ: ଏସ୍‌ସିବି ମାନସିକ ସ୍ବାସ୍ଥ୍ୟ ପ୍ରତିଷ୍ଠାନରେ ଯାଜପୁରର ଶ୍ରୀକାନ୍ତ ଦାସଙ୍କୁ ପିଟିପିଟି ହତ୍ୟା କରିବା ଅଭିଯୋଗରେ ମଙ୍ଗଳାବାଗ ଥାନା ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ଘଟଣାରେ ସମ୍ପୃକ୍ତ ଏସ୍‌ସିବି ମେଡିକାଲ୍‌ର ୨ କର୍ମଚାରୀ ଗିରଫ ହୋଇଛନ୍ତି। ସେମାନେ ହେଲେ ୱାର୍ଡ ଆଟେଣ୍ଡାଣ୍ଟ ଜଗନ୍ନାଥ ରାଓ ଓ ସୁରକ୍ଷାକର୍ମୀ ଦିଲ୍ଲୀପ କୁମାର ପ୍ରଧାନ। ଏମାନେ ୱାର୍ଡ ଭିତରେ ଶ୍ରୀକାନ୍ତଙ୍କୁ ପ୍ଲାଷ୍ଟିକ ପାଇପ୍ ଧରି ଗୋଡ଼ାଇବା ସହିତ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା।

ସୂଚନା ଅନୁଯାୟୀ, ଯାଜପୁର ରୋଡ୍‌ ଥାନା ଅନ୍ତର୍ଗତ ପହଙ୍ଗା ଅଞ୍ଚଳର ଶ୍ରୀକାନ୍ତ ଦାସ ସେପ୍ଟେମ୍ବର ୨୮ ତାରିଖରେ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ଏସ୍‌ସିବି ସ୍ଥାନାନ୍ତର କରାଯାଇଥିଲା। ମାନସିକ ସ୍ବାସ୍ଥ୍ୟ ପ୍ରତିଷ୍ଠାନରେ ଚିକିତ୍ସାଧୀନ ଥିବାବେଳେ ୨୯ ତାରିଖ ରାତି ପ୍ରାୟ ୯ଟା ବେଳେ ସେ ୱାର୍ଡରୁ ବାହାରକୁ ଆସିଥିଲେ। ତଳ ମହଲାର ଥିବା ଏକ ଶୌଚାଳୟରେ ସେ ଲୁଚି ରହିଥିଲେ। ୱାର୍ଡକୁ ନ ଯିବାରୁ ଦୁଇ ସୁରକ୍ଷାକର୍ମୀ ଓ ସାଦା ପୋଷାକରେ ଥିବା ଜଣେ ଏସ୍‌ସିବି କର୍ମଚାରୀ ପ୍ଲାଷ୍ଟିକ୍‌ ପାଇପରେ ଶ୍ରୀକାନ୍ତଙ୍କୁ ନିର୍ଘାତ ମାଡ଼ ମାରିଥିବା ପତ୍ନୀ ସସ୍ମିତା ଦାସ ଅଭିଯୋଗ ଆଣିଥିଲେ। ଶ୍ରୀକାନ୍ତ ଆହତ ଅବସ୍ଥାରେ ଏସ୍‌ସିବିରେ ଚିକିତ୍ସିତ ହେଉଥିବା ବେଳେ ୩୦ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା।

କୁଆଡ଼େ ଗଲା କର୍ତ୍ତୃପକ୍ଷଙ୍କ ତଦନ୍ତ ରିପୋର୍ଟ?

ମଙ୍ଗଳାବାଗ ଥାନା ପୁଲିସ ସିସି କ୍ୟାମେରା ଫୁଟେଜ ଏବଂ ମାନସିକ ସ୍ବାସ୍ଥ୍ୟ ପ୍ରତିଷ୍ଠାନରେ ଶ୍ରୀକାନ୍ତଙ୍କ ଚିକିତ୍ସା ସଂକ୍ରାନ୍ତ ରେକର୍ଡ ଜବତ କରି ଡ୍ୟୁଟିରେ ଥିବା ସମସ୍ତ କର୍ମଚାରୀ ଏବଂ ରୋଗୀଙ୍କ ଆଟେଣ୍ଡାଣ୍ଟଙ୍କୁ ପଚରାଉଚରା କରିଥିଲା। ୫ ଜଣଙ୍କୁ ପୁଲିସ ଏହି ଘଟଣାରେ ସାକ୍ଷୀ ଦର୍ଶାଇ ବୟାନ ରେକର୍ଡ କରିସାରିଛି। ଏହି ଘଟଣାକୁ ନେଇ ମାନବାଧିକାର କର୍ମୀ ଜୟନ୍ତ କୁମାର ଦାସ ଜାତୀୟ ମାନବାଧିକାର କମିସନ (ଏନ୍‌ଏଚ୍‌ଆରସି)ଙ୍କ ନିକଟରେ ଫେରାଦ ହୋଇଥିବା ବେଳେ ଏସ୍‌ସିବି ମଧ୍ୟ ଏହି ଘଟଣାକୁ ନେଇ ତଦନ୍ତ କରୁଛି। ଏଭଳି ସ୍ଥିତିରେ ମଙ୍ଗଳାବାଗ ଥାନା ପୁଲିସ ଉପରୋକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅନ୍ୟପଟେ ଶ୍ରୀକାନ୍ତଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ପୁଲିସର ହସ୍ତଗତ ହୋଇଛି। ଶରୀରରେ ଏକାଧିକ ସ୍ଥାନରେ ମାଡ଼ ଚିହ୍ନ ଥିବା ପୁଲିସ ଜାଣିବାକୁ ପାଇଛି। ଏହା ସହିତ ଲିଭର୍‌ ସିରୋସିସ୍, ହାର୍ଟରେ ସମସ୍ୟା ଥିବା ହିଷ୍ଟୋପାଥୋଲୋଜିକାଲ୍ ରିପୋର୍ଟରୁ ଜଣାପଡ଼ିଛି। ବହୁଦିନ ହେବ ଶ୍ରୀକାନ୍ତ ଏକାଧିକ ରୋଗରେ ଆକ୍ରାନ୍ତ ଥିବା ସନ୍ଦେହ କରାଯାଉଛି। ଶାରୀରିକ ଭାବେ ଅସୁସ୍ଥ ଥିବା ଜଣେ ରୋଗୀଙ୍କୁ ଏସ୍‌ସିବି ମାନସିକ ସ୍ବାସ୍ଥ୍ୟ ପ୍ରତିଷ୍ଠାନରେ ଅମାନୁଷିକ ଭାବେ ମାଡ଼ ମାରିବା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ସିଧାସଳଖ ଅଭିଯୋଗ ଆଣିଛନ୍ତି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button