Odisha Inflation high: ଦରଦାମ୍ ଚାପରେ ଅଣନିଶ୍ବାସୀ ଖାଉଟି, ଓଡ଼ିଶା ଦେଶର ଦ୍ବିତୀୟ ମହଙ୍ଗା ବଜାର, ଗ୍ରାମାଞ୍ଚଳରେ ଚାପ ଅଧିକ

ଭୁବନେଶ୍ୱର,୧୩/୧୦: ଦରଦାମ୍ ଚାପରେ ଅଣନିଃଶ୍ୱାସୀ ଖାଉଟି । ଯଦି ଓଡ଼ିଶା କଥା କୁହାଯାଏ ତା’ହେଲେ ଏହା ଏବେ ଦେଶର ଦ୍ୱିତୀୟ ମହଙ୍ଗା ବଜାର । ଅର୍ଥାତ୍ ଦେଶର ଅନ୍ୟାନ୍ୟ ପ୍ରାନ୍ତ ତୁଳନାରେ ରାଜ୍ୟବାସୀ ବିଭିନ୍ନ ସାମଗ୍ରୀ ଏବଂ ସେବା ପାଇଁ ଅଧିକ ଟଙ୍କା ଗଣୁଛନ୍ତି । ଗତ ସେପ୍ଟେମ୍ବର ମାସରେ ରାଜ୍ୟରେ ଖୁଚୁରା ମୁଦ୍ରାସ୍ଫୀତି ୬% ପାର୍ କରି ୬.୭୦% ଛୁଇଁଛି । ଏହା ଜାତୀୟ ହାରାହାରି ୫.୫୪% ତୁଳନାରେ ୧.୧୬% ଅଧିକ ।
ପରିସଂଖ୍ୟାନ ଏବଂ ଯୋଜନା କାର୍ଯ୍ୟାନ୍ୱୟନ ମନ୍ତ୍ରାଳୟ ପକ୍ଷରୁ ସୋମବାର ଜାରି ତଥ୍ୟ ଅନୁସାରେ, ଗ୍ରାମୀଣ ଓଡ଼ିଶାରେ ସ୍ଥିତି ଅସମ୍ଭାଳ । ଗ୍ରାମାଞ୍ଚଳରେ ଦରଦାମ ବୃଦ୍ଧି ସ୍ତର ୭.୦୭% ରହିଛି । ଦେଶର ଅନ୍ୟ ପ୍ରାନ୍ତଗୁଡ଼ିକ ତୁଳନାରେ ଗ୍ରାମୀଣ ଓଡ଼ିଶାରେ ଲୋକଙ୍କ ଉପରେ ଚାପ ଅଧିକ ରହିଛି । ଅନ୍ୟପକ୍ଷରେ, ସହରାଞ୍ଚଳ ଓଡ଼ିଶାରେ ମୁଦ୍ରାସ୍ଫୀତି ୫.୨୩% ରହିଛି । ରାଜ୍ୟ ସ୍ତରରେ ତାମିଲନାଡୁରେ ମୁଦ୍ରାସ୍ଫୀତି ହାର ସବୁଠୁ ଅଧିକ ୬.୮୧% ରହିଛି । ୬.୭୦% ସହିତ ଓଡ଼ିଶା ଦ୍ୱିତୀୟ ସ୍ଥାନରେ, ୬.୬୮% ସହିତ ମଧ୍ୟ ପ୍ରଦେଶ ତୃତୀୟ ସ୍ଥାନରେ ରହିଛି । ତେଲଙ୍ଗାନାରେ ଏହା ୬.୬୪% ଏବଂ ଆନ୍ଧ୍ରପ୍ରଦେଶରେ ୬.୨୯% ରହିଛି ।
ପ୍ରକାଶଯୋଗ୍ୟ, ଅଗଷ୍ଟରେ ଓଡ଼ିଶାରେ ଖୁଚୁରା ମୁଦ୍ରାସ୍ଫୀତି ୫.୫% ଥିଲା । ସେପ୍ଟେମ୍ବରରେ ଏଥିରେ ୧.୨% ବୃଦ୍ଧି ଘଟିଛି । ଅର୍ଥାତ ମାସକୁ ମାସ ଦରଦାମ୍ ସ୍ଥିତି ଏଠାରେ ଉତ୍କଟ ହୋଇଚାଲିଛି । ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ(ଏନ୍ଏସ୍ଓ) ତଥ୍ୟ ଅନୁସାରେ, ଖାଦ୍ୟ ଦର ବୃଦ୍ଧି ଯୋଗୁ ସେପ୍ଟେମ୍ବରରେ ଦେଶର ଖୁଚୁରା ମୁଦ୍ରାସ୍ଫୀତି ୫.୫୪%କୁ ବୃଦ୍ଧି ପାଇଛି । ଚଳିତ ବର୍ଷ ରେକର୍ଡ ହୋଇଥିବା ଏହା ସର୍ବୋଚ୍ଚ ଦରଦାମ୍ ବୃଦ୍ଧି ହାର । ଅଗଷ୍ଟରେ ଏହା ୪.୮୩% ଥିଲା । ଭାରତୀୟ ରିଜର୍ଭ ବ୍ୟାଙ୍କ ମୁଦ୍ରାସ୍ଫୀତି ମୁକାବିଲା ପାଇଁ ରେପୋରେଟକୁ ୨୫ ବେସିସ୍ ପଏଣ୍ଟ ବଢ଼ାଇବାର ମାତ୍ର କେଇ ଦିନ ପରେ ମୁଦ୍ରାସ୍ଫୀତି ଅଙ୍କ ପ୍ରକାଶ ପାଇଛି । ନୂଆ ସିପିଆଇ ସିରିଜ୍ରେ ପ୍ରଥମ ଥର ପାଇଁ ଖୁଚୁରା ମୁଦ୍ରାସ୍ଫୀତି ୫% ପାର କରିଛି ।
ସୌଜନ୍ୟ ପ୍ରମେୟ




