Puri Khaja : ଶତାବ୍ଦୀ ପୁରୁଣା ସ୍ୱାଦରେ ଭେଜାଲ୍, ଶୁଦ୍ଧ ଖଜା ନାମରେ ଲୋକଙ୍କ ବିଶ୍ୱାସ ସହ ଖେଳୁଛନ୍ତି ଅସାଧୁ ବ୍ୟବସାୟୀ

ପୁରୀ, ୧୩/୧୦ : ପୁରୀକୁ ଆସୁଥିବା ଅଧିକାଂଶ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ଘରକୁ ଫେରିବା ବେଳେ ସାଥୀରେ ନେଇଯାଇଥାନ୍ତି ଖଜା ପୁଡ଼ିଆ । ଶ୍ରୀମନ୍ଦିର ଭିତରୁ ଯଦି ଏହି ଶୁଖିଲି ମହାପ୍ରସାଦ ମଗାଇ ନହୁଏ, ଶ୍ରୀମନ୍ଦିର ବାହାର ଦୋକାନମାନଙ୍କରେ ମିଳୁଥିବା ଭଲ ଖାସ୍ତା ଖଜା ଲୋକେ କିଣି ନେଇଥାନ୍ତି । ଶ୍ରୀକ୍ଷେତ୍ରବାସୀ ମଧ୍ୟ ଦୂରଦୂରାନ୍ତ ବନ୍ଧୁବାନ୍ଧବଙ୍କ ଘରକୁ ଗଲେ ସାଥିରେ ଖଜା, ଲୁଣି ଖୁରୁମା, ଜଗନ୍ନାଥବଲ୍ଲଭ, ମଗଜ ଲଡ଼ୁ ପ୍ରଭୃତି ଶୁଖିଲି ଭୋଗ ଧରି ଯାଆନ୍ତି । ଶ୍ରୀମନ୍ଦିର ଭିତରେ ସ୍ୱଚ୍ଛ ବାତାବରଣ ଓ ଭଲ ଘିଅରେ ଖଜା ପ୍ରସ୍ତୁତ ହେଉଥିବାରୁ ଏହାର ଦର ଉଚ୍ଚା ରହିଥାଏ । ଶ୍ରୀମନ୍ଦିର ବାହାରେ କିନ୍ତୁ ଦର ଟିକେ କମ୍ ଥାଏ । ହେଲେ ଅଧିକାଂଶ ଦୋକାନୀ ସ୍ୱଚ୍ଛତା ପ୍ରତି ବିଶେଷ ଧ୍ୟାନ ଦେଉନାହାନ୍ତି । କିଛି ଅସାଧୁ ବ୍ୟବସାୟୀ ଶୁଦ୍ଧ ଓ ସୁସ୍ୱାଦୁ ଖଜା ନାମରେ ଏବେ ଲୋକଙ୍କ ବିଶ୍ୱାସ ସହ ଖେଳୁଛନ୍ତି । ବାସି ମଇଦା, ବାସି ସିରା, ଅସ୍ୱାସ୍ଥ୍ୟକର ପରିବେଶ, ନିମ୍ନମାନର ତେଲ ବ୍ୟବହାର କରି ଖଜା ପ୍ରସ୍ତୁତ କରୁଛନ୍ତି । ବିହାର, ପଶ୍ଚିମବଙ୍ଗ ପ୍ରଭୃତି ରାଜ୍ୟ ବାହାରୁ ମେସିନ୍ ଆଣି ପୁରୀରେ ଖଜା ବ୍ୟବସାୟ ଜମାଇ ବସିଛନ୍ତି ଅନେକ ପ୍ରଭାବଶାଳୀ । ଯାହା ପାରମ୍ପରିକ ଖଜା ପ୍ରସ୍ତୁତି, ଏହାର ସ୍ୱାଦ ଓ ଶୁଦ୍ଧତାରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଖାଦ୍ୟ ନିରାପତ୍ତା ବିଭାଗ ନାମକୁ ମାତ୍ର ଚଢ଼ଉ କରି ଦାୟିତ୍ୱ ସାରିଦେଉଛି । ନିୟମିତ ଧରପଗଡ଼ କରାଗଲେ ଖଜା ଦୋକାନୀ ଓ ଖଜା ଭାଟି ମାଲିକ ଶୁଦ୍ଧତା ରକ୍ଷା କରନ୍ତେ । ଯାତ୍ରୀମାନେ ମଧ୍ୟ ଭଲ ଖଜା କିଣି ଖାଆନ୍ତେ । ହେଲେ ପ୍ରାଶାସନିକ ସମନ୍ୱୟ ଅଭାବ ଓ ଆନ୍ତରିକତା ଅଭାବରୁ ଖଜା ଖାଇବା ମଜା ସଜା ପାଲଟିଯାଉଛି । ପୂର୍ବରୁ ନିରବ ଥିବା ପ୍ରଶାସନ ଗତ ମାସରେ ଦୁଇ ଦିନ ମେଗା ଚଢ଼ାଉ ପରେ ହଠାତ୍ ନିରବ ହୋଇଥିବା ପଛରେ କ’ଣ ଉଦ୍ଦେଶ୍ୟ ତାହା ଚର୍ଚ୍ଚାର ବିଷୟ ହୋଇଛି ।
ସୌଜନ୍ୟ ପ୍ରମେୟ




