Student Union Election: କଲେଜ କ୍ୟାମ୍ପସରେ ବୋମାମାଡ଼, ଗୋଷ୍ଠୀସଂଘର୍ଷ ଅଣାୟତ୍ତ, ୨୦ରୁ ଅଧିକ କଲେଜରେ ଛାତ୍ର ସଂସଦ ନିର୍ବାଚନ ବାତିଲ

ଭୁବନେଶ୍ୱର,୧୩/୧୦: ରାଜ୍ୟର ୩୫୯ଟି ଉଚ୍ଚ ଶିକ୍ଷାନୁଷ୍ଠାନରେ ଛାତ୍ର ସଂସଦ ନିର୍ବାଚନ ୧୫ ତାରିଖରେ । ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ଏବେ ବିଭିନ୍ନ ପଦ ପାଇଁ ୬ ହଜାର ୮୯୧ ଜଣ ପ୍ରାର୍ଥୀ ପ୍ରଚାର ଜୋରଦାର କଲେଣି । ସେହିପରି ୧୩ ବିଶ୍ୱବିଦ୍ୟାଳୟରେ ୩୫୮ ଜଣ ନିର୍ବାଚନ ଲଢ଼ୁଛନ୍ତି । ୮ ହଜାର ୭୮୫ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ଏଥିରୁ ୧୨୧୬ ଜଣଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଥିଲା । ୪୪୩ ଜଣ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବା ପରେ ଚୂଡ଼ାନ୍ତ ତାଲିକା ତଥା ପ୍ରଚାର ମଇଦାନରେ ୬ ହଜାର ୮୯୧ଜଣ ରହିଛନ୍ତି । ଏଥିରୁ ୧୩ ବିଶ୍ୱବିଦ୍ୟାଳୟ ପାଇଁ ନାମାଙ୍କନ ଭରିଥିବା ୪୫୧ ଜଣଙ୍କ ମଧ୍ୟରୁ ୫୫ଜଣଙ୍କ ନାକଚ ହୋଇଥିଲା। ୩୮ଜଣ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଥିଲେ । ଏବେ ଏହି ୧୩ ବିଶ୍ୱବିଦ୍ୟାଳୟରେ ୩୫୮ଜଣ ନିର୍ବାଚନ ଲଢ଼ୁଛନ୍ତି ।
ଅନ୍ୟପଟେ ରାଜ୍ୟରେ ୨୦ରୁ ଅଧିକ କଲେଜରେ ନିର୍ବାଚନ ବାତିଲ କରାଯାଇଛି । ପ୍ରାୟ ଅଧିକାଂଶ ସ୍ଥାନରେ ଉତ୍ତେଜନା ମଧ୍ୟ ସୃଷ୍ଟି ହୋଇଛି । ପ୍ରଥମେ ଯାଜପୁର ଜିଲ୍ଲା ବ୍ୟାସନଗର କଲେଜରରେ ବୋମା ମାଡ଼ ଯୋଗୁ ନିର୍ବାଚନ ବାତିଲ କରାଯାଇଥିଲା । ଭଦ୍ରକ ମହିଳା କଲେଜ ଓ ଭଣ୍ଡାରୀପୋଖରୀ ସ୍ଥିତ ନାଆମୀ କଲେଜରେ ନିର୍ବାଚନୀ ହିଂସା ପାଇଁ କଲେଜ କର୍ତ୍ତୃପକ୍ଷ ନିଜ ଆଡୁ଼ ନିର୍ବାଚନ ବାତିଲ କରିଛନ୍ତି । ଏତିକି ନୁହେଁ, ନବରଙ୍ଗପୁରର ମଡେଲ ଡିଗ୍ରୀ, ପୁରୀ ଜିଲ୍ଲାର ଗୋପ ଡିଗ୍ରୀ କଲେଜ, ଦେବଗଡ଼ କଲେଜ, ଜଗତ୍ସିଂହପୁର ଜିଲ୍ଲାର ଦୁଇଟି ଡିଗ୍ରୀ କଲେଜରେ ମଧ୍ୟ ନିର୍ବାଚନ ବାତିଲ କରାଯାଇଛି । ସେହିପରି ରାଜଧାନୀର କ୍ୟାପିଟାଲ ଆଇନ ବିଶ୍ୱବିଦ୍ୟାଳୟରେ ମଧ୍ୟ ନିର୍ବାଚନ ବାତିଲ ପ୍ରଥମରୁ କରାଯାଇଛି ।
ନୂଆପଡ଼ା ଖଡ଼ିଆଳ ସ୍ୱୟଂଶାସିତ କଲେଜ, କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ୟୁକେ ମହାବୀର କଲେଜ ସମେତ ଜଗତ୍ସିଂହପୁର ଜିଲ୍ଲାରେ ୨ଟି କଲେଜରେ ନିର୍ବାଚନ ବାତିଲ କରାଯାଇଛି । ଏପରିକି ଜିଲ୍ଲାରେ ୧୪ଟି କଲେଜରେ ଭିତ୍ତିଭୂମି ଅଭାବରୁ ନିର୍ବାଚନ ବାତିଲ ଆଗୁଆ କରାଯାଇଥିଲା । କେବଳ ଏତିକି ନୁହେଁ ନୟାଗଡ଼ର ପଠାଣିସାମନ୍ତ କଲେଜ ସମେତ ୪ଟି କଲେଜରେ ମଧ୍ୟ ନିର୍ବାଚନ ବନ୍ଦ ହୋଇଛି । ବୋମାମାଡ଼ ଘଟଣାକୁ ନେଇ ବାଙ୍କୀ ସ୍ୱୟଂଶାସିତ କଲେଜରେ ଛାତ୍ର ସଂସଦ ନିର୍ବାଚନ ବାତିଲ କରାଯାଇଛି । ସେହିପରି କେନ୍ଦ୍ରାପଡ଼ା ଆଳିର ଲକ୍ଷ୍ମୀ ବରାହ କଲେଜରେ ପ୍ରିନ୍ସିପାଲଙ୍କୁ ଅଣଛାତ୍ର ଆକ୍ରମଣ ଉଦ୍ୟମ ଯୋଗୁ ନିର୍ବାଚନ ବାତିଲ କରାଯାଇଛି । ସାଲେପୁରର ଜପକୁଦ କଲେଜରେ ଗୋଷ୍ଠୀ ସଂଘର୍ଷ ପାଇଁ ନିର୍ବାଚନ ବାତିଲ କରାଯାଇଛି ।
କେବଳ ନିର୍ବାଚନ ବାତିଲ ହୋଇଛି ତାହା ନୁହେଁ, ପ୍ରାୟ ଅଧିକାଂଶ ସ୍ଥାନରେ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସରେ ହିଂସା, ଗଣ୍ଡଗୋଳ ଆଦି ଦେଖିବାକୁ ମିଳୁଛି । ରାଜଧାନୀର ଉତ୍କଳ ବିଶ୍ୱବିଦ୍ୟାଳୟରେ ଦିନରେ ହଷ୍ଟେଲ ଗଣ୍ଡଗୋଳ ଆଉ ରାତିରେ ବୋମା ମାଡ଼ ଅଭିଯୋଗରେ ଉତ୍ତେଜନା ପ୍ରକାଶ ପାଇଥିଲା । ପ୍ରାର୍ଥୀମାନେ ନିଜ ସମର୍ଥକଙ୍କ ସହ ଆନ୍ଦୋଳନରେ ମଧ୍ୟ ରାତି ଅଧ ଯାଏ ବସିଥିଲେ ।
ସେହିପରି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ନାମାଙ୍କନ ପାଇଁ ବିଜ୍ଞପ୍ତିକୁ ନେଇ ଉତ୍ତେଜନା, ଅଣଛାତ୍ରୀ ପ୍ରବେଶକୁ ଉତ୍ତେଜନା ଆଉ ପୋଷ୍ଟର ମରାକୁ ନେଇ ମଧ୍ୟ ଉତ୍ତେଜନା ପ୍ରକାଶ ପାଇଛି । କ୍ୟାପିଟାଲ ଆଇନ ମହାବିଦ୍ୟାଳୟରେ ନିର୍ବାଚନ ବନ୍ଦକୁ ନେଇ ରାସ୍ତାରେ ଛାତ୍ରଛାତ୍ରୀ ବସି ଆନ୍ଦୋଳନ କରିଥିଲେ । ଦେବରାୟ କଲେଜରେ ନିର୍ବାଚନୀ ହିଂସାକୁ ନେଇ ହଣାକଟା ହୋଇଥିଲା । ଏକାମ୍ର କଲେଜରେ ନାମାଙ୍କନ ଦିନ ଚାପା ଉତ୍ତେଜନା ଦେଖିବାକୁ ମିଳିଥିଲା । ଏଥିସହ ବିଜେବି କଲେଜର ଜଣେ ସଭାପତି ପ୍ରାର୍ଥୀଙ୍କୁ ପିପିଲି ପାଖେ ବନ୍ଧୁ ମିଳନ ଭୋଜିରେ ଆକ୍ରମଣ କରାଯାଇଛି ।
ସୌଜନ୍ୟ ପ୍ରମେୟ




