ରାଜ୍ୟ

Student Union Election: କଲେଜ କ୍ୟାମ୍ପସରେ ବୋମାମାଡ଼, ଗୋଷ୍ଠୀସଂଘର୍ଷ ଅଣାୟତ୍ତ, ୨୦ରୁ ଅଧିକ କଲେଜରେ ଛାତ୍ର ସଂସଦ ନିର୍ବାଚନ ବାତିଲ

ଭୁବନେଶ୍ୱର,୧୩/୧୦: ରାଜ୍ୟର  ୩୫୯ଟି ଉଚ୍ଚ ଶିକ୍ଷାନୁଷ୍ଠାନରେ ଛାତ୍ର ସଂସଦ  ନିର୍ବାଚନ ୧୫ ତାରିଖରେ । ପ୍ରାର୍ଥୀପତ୍ର  ପ୍ରତ୍ୟାହାର ପରେ ଏବେ ବିଭିନ୍ନ ପଦ ପାଇଁ  ୬ ହଜାର ୮୯୧ ଜଣ ପ୍ରାର୍ଥୀ ପ୍ରଚାର ଜୋରଦାର  କଲେଣି । ସେହିପରି ୧୩ ବିଶ୍ୱବିଦ୍ୟାଳୟରେ  ୩୫୮ ଜଣ ନିର୍ବାଚନ ଲଢ଼ୁଛନ୍ତି । ୮ ହଜାର ୭୮୫ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ଏଥିରୁ ୧୨୧୬ ଜଣଙ୍କ  ପ୍ରାର୍ଥୀପତ୍ର ନାକଚ ହୋଇଥିଲା । ୪୪୩  ଜଣ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବା ପରେ  ଚୂଡ଼ାନ୍ତ ତାଲିକା ତଥା ପ୍ରଚାର ମଇଦାନରେ ୬ ହଜାର ୮୯୧ଜଣ ରହିଛନ୍ତି । ଏଥିରୁ ୧୩  ବିଶ୍ୱବିଦ୍ୟାଳୟ ପାଇଁ ନାମାଙ୍କନ ଭରିଥିବା  ୪୫୧ ଜଣଙ୍କ ମଧ୍ୟରୁ ୫୫ଜଣଙ୍କ ନାକଚ  ହୋଇଥିଲା। ୩୮ଜଣ ପ୍ରାର୍ଥୀପତ୍ର ପ୍ରତ୍ୟାହାର  କରିଥିଲେ । ଏବେ ଏହି ୧୩ ବିଶ୍ୱବିଦ୍ୟାଳୟରେ  ୩୫୮ଜଣ ନିର୍ବାଚନ ଲଢ଼ୁଛନ୍ତି ।

ଅନ୍ୟପଟେ ରାଜ୍ୟରେ ୨୦ରୁ ଅଧିକ  କଲେଜରେ ନିର୍ବାଚନ ବାତିଲ କରାଯାଇଛି । ପ୍ରାୟ ଅଧିକାଂଶ ସ୍ଥାନରେ ଉତ୍ତେଜନା ମଧ୍ୟ  ସୃଷ୍ଟି ହୋଇଛି । ପ୍ରଥମେ ଯାଜପୁର ଜିଲ୍ଲା ବ୍ୟାସନଗର କଲେଜରରେ ବୋମା ମାଡ଼  ଯୋଗୁ ନିର୍ବାଚନ ବାତିଲ କରାଯାଇଥିଲା ।  ଭଦ୍ରକ ମହିଳା କଲେଜ ଓ ଭଣ୍ଡାରୀପୋଖରୀ  ସ୍ଥିତ ନାଆମୀ କଲେଜରେ ନିର୍ବାଚନୀ ହିଂସା ପାଇଁ କଲେଜ କର୍ତ୍ତୃପକ୍ଷ ନିଜ ଆଡୁ଼  ନିର୍ବାଚନ ବାତିଲ କରିଛନ୍ତି । ଏତିକି ନୁହେଁ,  ନବରଙ୍ଗପୁରର ମଡେଲ ଡିଗ୍ରୀ, ପୁରୀ  ଜିଲ୍ଲାର ଗୋପ ଡିଗ୍ରୀ କଲେଜ, ଦେବଗଡ଼ କଲେଜ, ଜଗତ୍‌ସିଂହପୁର ଜିଲ୍ଲାର ଦୁଇଟି  ଡିଗ୍ରୀ କଲେଜରେ ମଧ୍ୟ ନିର୍ବାଚନ ବାତିଲ  କରାଯାଇଛି । ସେହିପରି ରାଜଧାନୀର କ୍ୟାପିଟାଲ  ଆଇନ ବିଶ୍ୱବିଦ୍ୟାଳୟରେ ମଧ୍ୟ ନିର୍ବାଚନ ବାତିଲ ପ୍ରଥମରୁ କରାଯାଇଛି ।

ନୂଆପଡ଼ା ଖଡ଼ିଆଳ ସ୍ୱୟଂଶାସିତ କଲେଜ, କେନ୍ଦ୍ରାପଡ଼ା  ପଟ୍ଟାମୁଣ୍ଡାଇ ୟୁକେ ମହାବୀର କଲେଜ ସମେତ ଜଗତ୍‌ସିଂହପୁର  ଜିଲ୍ଲାରେ ୨ଟି କଲେଜରେ ନିର୍ବାଚନ ବାତିଲ କରାଯାଇଛି ।  ଏପରିକି ଜିଲ୍ଲାରେ ୧୪ଟି କଲେଜରେ ଭିତ୍ତିଭୂମି ଅଭାବରୁ  ନିର୍ବାଚନ ବାତିଲ ଆଗୁଆ କରାଯାଇଥିଲା । କେବଳ ଏତିକି ନୁହେଁ  ନୟାଗଡ଼ର ପଠାଣିସାମନ୍ତ କଲେଜ ସମେତ ୪ଟି କଲେଜରେ  ମଧ୍ୟ ନିର୍ବାଚନ ବନ୍ଦ ହୋଇଛି । ବୋମାମାଡ଼ ଘଟଣାକୁ ନେଇ ବାଙ୍କୀ ସ୍ୱୟଂଶାସିତ କଲେଜରେ ଛାତ୍ର ସଂସଦ ନିର୍ବାଚନ  ବାତିଲ କରାଯାଇଛି । ସେହିପରି କେନ୍ଦ୍ରାପଡ଼ା ଆଳିର ଲକ୍ଷ୍ମୀ  ବରାହ କଲେଜରେ ପ୍ରିନ୍ସିପାଲଙ୍କୁ ଅଣଛାତ୍ର ଆକ୍ରମଣ ଉଦ୍ୟମ  ଯୋଗୁ ନିର୍ବାଚନ ବାତିଲ କରାଯାଇଛି । ସାଲେପୁରର ଜପକୁଦ  କଲେଜରେ ଗୋଷ୍ଠୀ ସଂଘର୍ଷ ପାଇଁ ନିର୍ବାଚନ ବାତିଲ କରାଯାଇଛି ।

କେବଳ ନିର୍ବାଚନ ବାତିଲ ହୋଇଛି ତାହା ନୁହେଁ, ପ୍ରାୟ  ଅଧିକାଂଶ ସ୍ଥାନରେ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସରେ  ହିଂସା, ଗଣ୍ଡଗୋଳ ଆଦି ଦେଖିବାକୁ ମିଳୁଛି । ରାଜଧାନୀର  ଉତ୍କଳ ବିଶ୍ୱବିଦ୍ୟାଳୟରେ ଦିନରେ ହଷ୍ଟେଲ ଗଣ୍ଡଗୋଳ ଆଉ  ରାତିରେ ବୋମା ମାଡ଼ ଅଭିଯୋଗରେ ଉତ୍ତେଜନା ପ୍ରକାଶ  ପାଇଥିଲା । ପ୍ରାର୍ଥୀମାନେ ନିଜ ସମର୍ଥକଙ୍କ ସହ ଆନ୍ଦୋଳନରେ  ମଧ୍ୟ ରାତି ଅଧ ଯାଏ ବସିଥିଲେ ।

ସେହିପରି ରମାଦେବୀ  ମହିଳା ବିଶ୍ୱବିଦ୍ୟାଳୟରେ ନାମାଙ୍କନ ପାଇଁ ବିଜ୍ଞପ୍ତିକୁ ନେଇ ଉତ୍ତେଜନା, ଅଣଛାତ୍ରୀ ପ୍ରବେଶକୁ ଉତ୍ତେଜନା ଆଉ ପୋଷ୍ଟର  ମରାକୁ ନେଇ ମଧ୍ୟ ଉତ୍ତେଜନା ପ୍ରକାଶ ପାଇଛି । କ୍ୟାପିଟାଲ  ଆଇନ ମହାବିଦ୍ୟାଳୟରେ ନିର୍ବାଚନ ବନ୍ଦକୁ ନେଇ ରାସ୍ତାରେ  ଛାତ୍ରଛାତ୍ରୀ ବସି ଆନ୍ଦୋଳନ କରିଥିଲେ । ଦେବରାୟ କଲେଜରେ ନିର୍ବାଚନୀ ହିଂସାକୁ ନେଇ ହଣାକଟା ହୋଇଥିଲା । ଏକାମ୍ର  କଲେଜରେ ନାମାଙ୍କନ ଦିନ ଚାପା ଉତ୍ତେଜନା ଦେଖିବାକୁ ମିଳିଥିଲା । ଏଥିସହ ବିଜେବି କଲେଜର ଜଣେ ସଭାପତି ପ୍ରାର୍ଥୀଙ୍କୁ ପିପିଲି ପାଖେ ବନ୍ଧୁ ମିଳନ ଭୋଜିରେ ଆକ୍ରମଣ  କରାଯାଇଛି ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button