Tata Power strike : ଟାଟା ପାୱାର କର୍ମଚାରୀଙ୍କ ଆନ୍ଦୋଳନ, ସରକାର ଲାଗୁ କଲେ ‘ଏସମା’

ଭୁବନେଶ୍ଵର, ୧୩/୧୦ : ଟାଟା ପାୱାର କର୍ମଚାରୀଙ୍କ ଆନ୍ଦୋଳନ ଘଟଣା । ସରକାର ଲାଗୁ କଲେ ‘ଏସମା’ । ଧର୍ମଘଟ ଯୋଗୁଁ ନିରବଚ୍ଛିନ୍ନ ବିଦ୍ୟୁତ୍ ସରବରାହ ଗୁରୁତର ଭାବେ ବ୍ୟାହତ ହୋଇପାରେ । ଏହାଦ୍ଵାରା ସାଧାରଣ ଜନତା ଓ ଅତ୍ୟାବଶ୍ୟକ ସେବା ଯୋଗାଣକାରୀ ପ୍ରତିଷ୍ଠାନଗୁଡ଼ିକ ପାଇଁ ସମସ୍ୟା ସୃଷ୍ଟି କରିବା ସହ ଆଇନ-ଶୃଙ୍ଖଳା ପରିସ୍ଥିତି ମଧ୍ୟ ଉପୁଜିପାରେ । ଏହାକୁ ଦୃଷ୍ଟିରେ ରଖି ଗୃହ ବିଭାଗ ପକ୍ଷରୁ ‘ଅତ୍ୟାବଶ୍ୟକ ସେବା ରକ୍ଷଣାବେକ୍ଷଣ ଆଇନ, ୧୯୮୮’ (ESMA) ଲାଗୁ କରାଯାଇଛି । ଯଦି ସଂଘ/କର୍ମଚାରୀଙ୍କ ଦ୍ୱାରା କୌଣସି କାର୍ଯ୍ୟ ଉଲ୍ଲଂଘନ ହୁଏ, ତେବେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି ।
TPCODL ଅଧୀନସ୍ଥ ଅଞ୍ଚଳରେ ଅକ୍ଟୋବର ୧ ତାରିଖରୁ BMS ଓଡ଼ିଶା ସହ ଅନୁବନ୍ଧିତ ‘ନିଖିଳ ଓଡ଼ିଶା ବିଦ୍ୟୁତ୍ ମଜଦୂର ମହାସଂଘ’ (NOBMM) ର ସଦସ୍ୟମାନେ ସାଧାରଣ ସମ୍ପାଦକ ସତ୍ୟବ୍ରତ ପରିଡ଼ାଙ୍କ ନେତୃତ୍ୱରେ ବିକ୍ଷୋଭ ଓ ଧର୍ମଘଟ ଜାରି ରଖିଛନ୍ତି। ଆଲୋଚନା ଓ ବୁଝାମଣା ମାଧ୍ୟମରେ ସମାଧାନରେ ପହଞ୍ଚିବା ପାଇଁ TPCODL କର୍ତ୍ତୃକ୍ଷପକ୍ଷଙ୍କ ପ୍ରୟାସ ସତ୍ତ୍ୱେ, ଆନ୍ଦୋଳନକାରୀମାନେ କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ କରିବା ସହିତ ନିଜର ବିକ୍ଷୋଭ ଓ ଗଣ-ଆନ୍ଦୋଳନ ଜାରି ରଖିପାରନ୍ତି ବୋଲି ଆଶଙ୍କା କରାଯାଉଛି । ଏହା ଫଳରେ ବ୍ୟାପକ ବିଦ୍ୟୁତ୍ ସରବରାହ ବ୍ୟାହତ ହେବା ସହ ଜନସାଧାରଣଙ୍କ ପାଇଁ ଗୁରୁତର ଅସୁବିଧା ସୃଷ୍ଟି ହୋଇପାରେ ।
TPCODL ଅଧୀନରେ ଓଡ଼ିଶାର ୯ଟି ଜିଲ୍ଲାରେ ବିଦ୍ୟୁତ୍ ବିତରଣ ଦାୟିତ୍ୱ ରହିଛି । ଏଥିରେ କଟକ ଓ ଭୁବନେଶ୍ୱର ଭଳି ପ୍ରମୁଖ ସହର ମଧ୍ୟ ସାମିଲ ଅଛି । ତେଣୁ ଯଦି ଆନ୍ଦୋଳନ ତୀବ୍ର ହୁଏ ଏବଂ କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ ହୁଏ, ତେବେ ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥା ପ୍ରଭାବିତ ହେବାର ଆଶଙ୍କା ରହିଛି । ଏହାଦ୍ୱାରା ସାଧାରଣ ଉପଭୋକ୍ତାଙ୍କ ସମେତ ହସ୍ପିଟାଲ୍ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସେବା ପ୍ରତିଷ୍ଠାନଗୁଡ଼ିକ ମଧ୍ୟ ଅସୁବିଧାରେ ପଡ଼ିପାରନ୍ତି । ଏଥିସହ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି ।
ଅନ୍ୟପଟେ, ବିଦ୍ୟୁତ୍ ଭଳି ଅତ୍ୟାବଶ୍ୟକ ସେବାକୁ ସ୍ୱାଭାବିକ ରଖିବା ପାଇଁ ରାଜ୍ୟ ସରକାର ଅତ୍ୟାବଶ୍ୟକ ସେବା ରକ୍ଷଣାବେକ୍ଷଣ ଆଇନ, ୧୯୮୮ ବା ESMA ଲାଗୁ କରିଛନ୍ତି । ଗୃହ ବିଭାଗର ୨୧ ମେ ୨୦୨୬ ତାରିଖର ଆଦେଶ ଅନୁଯାୟୀ GRIDCO, OPTCL, OHPC, OPGC ଏବଂ ବିଦ୍ୟୁତ୍ ବିତରଣ କମ୍ପାନୀଗୁଡ଼ିକ ପାଇଁ ଏହି ଆଇନ ଛଅ ମାସ ପର୍ଯ୍ୟନ୍ତ ଲାଗୁ କରାଯାଇଥିବା ଉଲ୍ଲେଖ ରହିଛି । ଏହି ଆଦେଶର କାର୍ଯ୍ୟକାଳ ୨୦ ନଭେମ୍ବର ୨୦୨୬ ପର୍ଯ୍ୟନ୍ତ ରହିଛି । ଏପରି ସ୍ଥିତିରେ ବିଦ୍ୟୁତ୍ ସେବାକୁ ନିରବଚ୍ଛିନ୍ନ ରଖିବା ପାଇଁ ତୁରନ୍ତ ହସ୍ତକ୍ଷେପ ଆବଶ୍ୟକ ବୋଲି ସମ୍ପୃକ୍ତ ଚିଠିରେ ଉଲ୍ଲେଖ କରାଯାଇଛି ।ତେବେ ଏହି ଆନ୍ଦୋଳନର ସମାଧାନ କେବେ ହେବ ? କର୍ମଚାରୀଙ୍କ ଦାବି ଓ ପରିଚାଳନା କର୍ତ୍ତୃପକ୍ଷଙ୍କ ମଧ୍ୟରେ କେବେ ସହମତି ହେବ ? ତାହା ଉପରେ ଏବେ ସମସ୍ତଙ୍କ ନଜର ।
ସୌଜନ୍ୟ ପ୍ରମେୟ




