Maoist surrender: ସୁକୁମାରେ ମାଓ ଡମ୍ପ ଠାବ, ଆତ୍ମସମର୍ପଣ କଲେ ୬ ହାର୍ଡକୋର ମାଓବାଦୀ

ମାଲକାନଗିରି,୧୩ \୧୦: ୬ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ । ଛତିଶଗଡ଼ ସୀମାନ୍ତ ବିଜାପୁର ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ୬ ଜଣ ହାର୍ଡକୋର ମାଓବାଦୀ । ଏମାନଙ୍କ ମଧ୍ୟରେ ଓଡ଼ିଶାରେ ସକ୍ରିୟ ଥିବା ୪ ଜଣ ଓ ପଶ୍ଚିମ ବସ୍ତର ଡିଭିଜନର ୨ ଜଣ ହାର୍ଡକୋର ମାଓବାଦୀ ରହିଛନ୍ତି । ଓଡ଼ିଶା କ୍ୟାଡରର ଏହି ୪ଜଣ ମାଓବାଦୀ PPCM ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ । ସେମାନଙ୍କ ନାଁରେ ପୁଲିସ ୩୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା ।
ଏମାନେ ଦୀର୍ଘବର୍ଷ ଧରି ମାଓସଙ୍ଗଠନରେ ସକ୍ରିୟ ରହିଥିବା ବେଳେ ଓଡିଶାରେ ଅନେକ ହିଂସାକାଣ୍ଡ ଘଟାଇଛନ୍ତି । ଓଡିଶାରେ ତାଙ୍କର ଶେଷ ଠିକଣା ଗଜପତି ଜିଲ୍ଲା ଥିଲା ବୋଲି କହିଛନ୍ତି ବିଜାପୁର ଏସପି । ତେବେ ଛତିଶଗଡ଼ ସରକାରଙ୍କ ଆତ୍ମସମର୍ପଣ ନୀତିରେ ଆକର୍ଷିତ ହୋଇ ଏମାନେ ବିଜାପୁର SPଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା ସମସ୍ତ ମାଓବାଦୀଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଚେକ୍ ପ୍ରଦାନ କରାଯାଇଛି । ଏମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ବିଜାପୁର SP କହିଛନ୍ତି ।
ସୁରକ୍ଷା ବାହିନୀର ନିରନ୍ତର ଅଭିଯାନ, ମାଓବାଦୀ ସଂଗଠନର ଦୁର୍ବଳତା ଏବଂ ହିଂସାତ୍ମକ ବିଚାରଧାରା ପ୍ରତି ନିରାଶା ଯୋଗୁଁ ସେମାନେ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି। ଡିଆରଜି ବିଜାପୁର, ସିଆରପିଏଫ୍ର ୧୭୦ତମ ବାଟାଲିୟନ ଓ ଜିଲ୍ଲା ପୁଲିସର ସମନ୍ୱିତ ପ୍ରୟାସ ଏଥିରେ ଗୁରୁତ୍ୱପୂର୍ଣ୍ଣ ରହିଥିଲା।
ସୌଜନ୍ୟ ପ୍ରମେୟ




