Droupadi Murmu Odisha visit: ପୁଣି ପରିବର୍ତ୍ତନ ହେଲା ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମ: ଦୁଇଦିନ ପରିବର୍ତ୍ତେ ତିନି ଦିନ ହେବ
ପୁଣି ପରିବର୍ତ୍ତନ ହେଲା ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ। ଦୁଇ ଦିନ ପରିବର୍ତ୍ତେ ତିନି ଦିନ ହେଲା କାର୍ଯ୍ୟକ୍ରମ। ଓଡିଶାକୁ ମହାମହିମଙ୍କ ତିନିଦିନିଆ ଗସ୍ତ କାର୍ଯ୍ୟକ୍ରମ। ନଭେମ୍ବର ୩ରୁ ୫ ତାରିଖ ଯାଏଁ ରାଇରଙ୍ଗପୁରରେ ରହିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।...

ରାଇରଙ୍ଗପୁର (ତୁଷାର କାନ୍ତ ମହାନ୍ତ): ପୁଣି ପରିବର୍ତ୍ତନ ହେଲା ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ। ଦୁଇ ଦିନ ପରିବର୍ତ୍ତେ ତିନି ଦିନ ହେଲା କାର୍ଯ୍ୟକ୍ରମ। ଓଡିଶାକୁ ମହାମହିମଙ୍କ ତିନିଦିନିଆ ଗସ୍ତ କାର୍ଯ୍ୟକ୍ରମ। ନଭେମ୍ବର ୩ରୁ ୫ ତାରିଖ ଯାଏଁ ରାଇରଙ୍ଗପୁରରେ ରହିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଗସ୍ତ ଅବସରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ, ଲୋକାର୍ପଣ ସହ ରେଳ ଯୋଗାଯୋଗ, ସ୍ୱାସ୍ଥ୍ୟସେବା, କ୍ରୀଡ଼ା ଓ ଆଦିବାସୀ ସଂସ୍କୃତିକୁ ମିଳିବ ଗୁରୁତ୍ୱ।
ମା’ କିଚେକେଶ୍ୱରୀଙ୍କ ଦର୍ଶନରୁ ଆରମ୍ଭ କରି ଜାହେର ଥାନର ବିକାଶ ଏବଂ ନୂତନ ଏକ୍ସପ୍ରେସ ଟ୍ରେନ୍ର ଶୁଭାରମ୍ଭ ଯାଏଁ ରହିଛି ଅନେକ କାର୍ଯ୍ୟକ୍ରମ ରହିଛି। ନିଜ ଜନ୍ମମାଟି ମୟୂରଭଞ୍ଜ ଜିଲ୍ଲାକୁ ଆସୁଛନ୍ତି ଦେଶର ପ୍ରଥମ ନାଗରିକ ତଥା ଓଡ଼ିଶାର ଗୌରବ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ନଭେମ୍ବର ୩ ତାରିଖରୁ ଆରମ୍ଭ ହେବ ତାଙ୍କର ତିନିଦିନିଆ ମୟୂରଭଞ୍ଜ ଗସ୍ତ। ଏହି ଗସ୍ତରେ ଧାର୍ମିକ ଅନୁଷ୍ଠାନ ପରିଦର୍ଶନ, ପୂର୍ବତନ ସୈନିକଙ୍କ ପରିବାରକୁ ସମ୍ମାନ, ସ୍ୱାସ୍ଥ୍ୟସେବାର ସମ୍ପ୍ରସାରଣ, ରେଳ ଭିତ୍ତିଭୂମିର ବିକାଶ ଏବଂ ଆଦିବାସୀ ପରମ୍ପରାର ସୁରକ୍ଷା ଉପରେ ରହିବ ବିଶେଷ ଗୁରୁତ୍ୱ।
ରାଷ୍ଟ୍ରପତିଙ୍କ ସପ୍ତମ ଥର ପାଇଁ ଗସ୍ତ
ପ୍ରଥମ ଦିନ ଅର୍ଥାତ୍ ନଭେମ୍ବର ୩ ତାରିଖରେ ରାଷ୍ଟ୍ରପତି ଭବନରୁ ପ୍ରସ୍ଥାନ କରିବେ ରାଷ୍ଟ୍ରପତି। ପଶ୍ଚିମବଙ୍ଗସ୍ଥ କଲେଇଇକୁଣ୍ଡା ବିମାନବନ୍ଦରରେ ପହଞ୍ଚିବା ପରେ ସଡ଼କ ପଥରେ ମୟୂରଭଞ୍ଜ ଅଭିମୁଖେ ଯାତ୍ରା କରିବେ। ଏହି ସମୟରେ ରାଷ୍ଟ୍ରପତି ଝାଡ଼ଖଣ୍ଡର ବହଡାଗୋଡା ଫରେଷ୍ଟ ଗେଷ୍ଟହାଉସରେ ମଧ୍ୟାହ୍ନ ଭୋଜନ କରିବା ପରେ ଅପରାହ୍ନରେ ବହଳଦାସ୍ଥ ପ୍ରସିଦ୍ଧ ମା’ କିଚେକେଶ୍ୱରୀ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା ଓ ଆରତିରେ ସାମିଲ ହେବେ। ପରେ ରାଇରଙ୍ଗପୁର ସ୍ଥିତ ବାସଭବନରେ ପହଞ୍ଚି ରାତ୍ରିଯାପନ କରିବେ।
ଧାର୍ମିକ ଓ ସାମାଜିକ କାର୍ଯ୍ୟକ୍ରମ
ନଭେମ୍ବର ୪ତାରିଖ ଗସ୍ତର ଦ୍ୱିତୀୟ ଦିନରେ ଧାର୍ମିକ ଓ ସାମାଜିକ କାର୍ଯ୍ୟକ୍ରମ ସହ ସ୍ୱାସ୍ଥ୍ୟ, କ୍ରୀଡ଼ା ଏବଂ ରେଳ ଭିତ୍ତିଭୂମିକୁ ମିଳିବ ପ୍ରାଧାନ୍ୟ। ସକାଳେ ରାଇରଙ୍ଗପୁରର ମହୁଲଡିହାସ୍ଥିତ ଲକ୍ଷ୍ମୀ ମଣ୍ଡପରେ ପୂଜାର୍ଚ୍ଚନା ପରେ ନବନିର୍ମିତ ପ୍ରତିରକ୍ଷା ଏକ୍ସ-ସର୍ଭିସମ୍ୟାନ୍ ସିଏସ୍ଡି କ୍ୟାଣ୍ଟିନ୍ ପରିଦର୍ଶନ କରିବେ। ଏହି ଅବସରରେ ମୟୂରଭଞ୍ଜ ଜିଲ୍ଲାର ତିନିଜଣ ବୀର ନାରୀଙ୍କୁ ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଛି।ଏହାପରେ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଏବଂ ପି.ଡି. ହିନ୍ଦୁଜା ହସ୍ପିଟାଲ୍ ଆଣ୍ଡ ମେଡିକାଲ୍ ରିସର୍ଚ୍ଚ ସେଣ୍ଟର ମଧ୍ୟରେ ନେଫ୍ରୋଲୋଜି ମେଡିକାଲ୍ କ୍ୟାମ୍ପ ପାଇଁ ବୁଝାମଣାପତ୍ର ସ୍ୱାକ୍ଷର ହେବ। ଏଥିସହ ମେଡିକାଲ୍ ଭ୍ୟାନ୍ର ଶୁଭାରମ୍ଭ କରାଯିବ। ଏହି ପଦକ୍ଷେପ ଜିଲ୍ଲାରେ ବୃକକ୍ ରୋଗ ସମ୍ପର୍କିତ ସ୍ୱାସ୍ଥ୍ୟସେବାର ସମ୍ପ୍ରସାରଣ ଦିଗରେ ଗୁରୁତ୍ୱପୂର୍ଣ୍ଣ ହେବ। ପରେ ପ୍ରାୟ ୧୨୦ ଜଣ ଜାହେର ଥାନର ମୁଖିଆଙ୍କ ସହ ଆଲୋଚନା କରିବେ ରାଷ୍ଟ୍ରପତି। ଆଦିବାସୀ ସମାଜର ପରମ୍ପରା, ସଂସ୍କୃତି ଓ ପୂଜାସ୍ଥଳୀର ସୁରକ୍ଷା ଏହି ଆଲୋଚନାର ମୁଖ୍ୟ ଆକର୍ଷଣ ରହିବ।
ସୌଜନ୍ୟ ସମ୍ବାଦ




