ଦେଶ ବିଦେଶ

Award: ଜାତୀୟ ସ୍ତରରେ ଗଞ୍ଜାମର ଗୌରବ ବଢ଼ାଇଲା ଆସିକା ପୌର ପରିଷଦ

ସ୍ୱଚ୍ଛତା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରି ଜାତୀୟ ସ୍ତରରେ ଗଞ୍ଜାମ ଜିଲ୍ଲାର ଗୌରବ ବୃଦ୍ଧି କରିଛି ଆସିକା ପୌରପରିଷଦ। ସ୍ୱଚ୍ଛ ସର୍ବେକ୍ଷଣ ପୁରସ୍କାର ୨୦୨୫-୨୬ରେ ୨୦ ହଜାରରୁ ୫୦ ହଜାର ଜନସଂଖ୍ୟା ବିଶିଷ୍ଟ କ୍ଷୁଦ୍ର ସହର ବର୍ଗରେ ଆସିକା...

ଛତ୍ରପୁର: ସ୍ୱଚ୍ଛତା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରି ଜାତୀୟ ସ୍ତରରେ ଗଞ୍ଜାମ ଜିଲ୍ଲାର ଗୌରବ ବୃଦ୍ଧି କରିଛି ଆସିକା ପୌରପରିଷଦ। ସ୍ୱଚ୍ଛ ସର୍ବେକ୍ଷଣ ପୁରସ୍କାର ୨୦୨୫-୨୬ରେ ୨୦ ହଜାରରୁ ୫୦ ହଜାର ଜନସଂଖ୍ୟା ବିଶିଷ୍ଟ କ୍ଷୁଦ୍ର ସହର ବର୍ଗରେ ଆସିକା ପୌରପରିଷଦ ଜାତୀୟ ସ୍ତରରେ ଦ୍ୱିତୀୟ ସ୍ଥାନ ହାସଲ କରିଛି। ଏହି ସଫଳତା ପାଇଁ ପୌରପରିଷଦକୁ ‘ସ୍ୱଚ୍ଛ ସହର ରାଙ୍କ୍‌-୨’ ସମ୍ମାନ ପ୍ରଦାନ କରାଯାଇଛି।

ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନଠାରେ ବୁଧବାର ଆୟୋଜିତ ଜାତୀୟସ୍ତରୀୟ ପୁରସ୍କାର ବିତରଣ ସମାରୋହରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ପୁରସ୍କାର ପ୍ରଦାନ କରିଥିଲେ।  ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ବିଭାଗର ସ୍ୱତନ୍ତ୍ର ସଚିବ ତଥା ସ୍ୱଚ୍ଛ ଭାରତ ମିସନ (ସହରାଞ୍ଚଳ)ର ମିସନ ନିର୍ଦ୍ଦେଶକ ବିନୟ କୁମାର ଦାଶ, ଗଞ୍ଜାମ ଜିଲ୍ଲା ନଗର ଉନ୍ନୟନ ସଂସ୍ଥା (ଡୁଡା)ର ପ୍ରକଳ୍ପ ନିର୍ଦ୍ଦେଶକ ସମୀର କୁମାର ଜେନା,  ଆସିକା ପୌରପରିଷଦର ଅଧ୍ୟକ୍ଷା ବିନିତା ସ୍ୱାଇଁ ଏବଂ ଆସିକା ପୌରପରିଷଦର ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଆଶାଲତା ରଚାମାଳା ରାଷ୍ଟ୍ରପତିଙ୍କଠାରୁ ଏହି ସମ୍ମାନଜନକ ପୁରସ୍କାର ଗ୍ରହଣ କରିଥିଲେ।

ଓଡ଼ିଶାର ତିନୋଟି ସହର (ଆସିକା, ଭୁବନେଶ୍ୱର ଓ ପୁରୀ) ଏହି ସର୍ବେକ୍ଷଣରେ ପୁରସ୍କୃତ ହୋଇଥିବା ବେଳେ ଆସିକାର ଏହି ଜାତୀୟସ୍ତରୀୟ ସଫଳତା ଗଞ୍ଜାମ ଜିଲ୍ଲା ପାଇଁ ଗର୍ବ ଓ ଗୌରବର ବିଷୟ ପାଲଟିଛି। ଏହି ଉପଲବ୍ଧି ପାଇଁ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ସଫଳତା ପଛରେ ରହିଥିବା ଅଧିକାରୀ, କର୍ମଚାରୀ ଓ ପୌରବାସୀଙ୍କ ନିଷ୍ଠାପର ଉଦ୍ୟମକୁ ପ୍ରଶଂସା କରିଛନ୍ତି।

ଉଲ୍ଲେଖଯୋଗ୍ୟ, ସ୍ୱଚ୍ଛ ସର୍ବେକ୍ଷଣ ହେଉଛି ଦେଶର ସହରାଞ୍ଚଳଗୁଡ଼ିକର ସ୍ୱଚ୍ଛତା, ପରିମଳ ବ୍ୟବସ୍ଥା ଓ ଆବର୍ଜନା ପରିଚାଳନାର ମାନ ଆକଳନ କରୁଥିବା ଏକ ଜାତୀୟସ୍ତରୀୟ ମୂଲ୍ୟାୟନ ପ୍ରକ୍ରିୟା। ଏହି ସର୍ବେକ୍ଷଣରେ ସହରଗୁଡ଼ିକର ସ୍ୱଚ୍ଛତା ପ୍ରଦର୍ଶନକୁ ବିଭିନ୍ନ ମାନଦଣ୍ଡରେ ମୂଲ୍ୟାୟନ କରାଯାଇ ଶ୍ରେଷ୍ଠ ସହରଗୁଡ଼ିକୁ ପୁରସ୍କୃତ କରାଯାଇଥାଏ। ଆସିକା ପୌରପରିଷଦର ଏହି ସଫଳତା ସ୍ୱଚ୍ଛତା ଓ ସହରାଞ୍ଚଳ ପରିମଳ କ୍ଷେତ୍ରରେ ଅନ୍ୟ ସହରଗୁଡ଼ିକ ପାଇଁ ମଧ୍ୟ ପ୍ରେରଣାଦାୟକ ହୋଇଛି।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button