ରାଜ୍ୟ

Malkangiri: ମାଲକାନଗିରିରେ ରାଜ୍ୟସ୍ତରୀୟ ଜନଜାତୀୟ ଗୌରବ ଦିବସ ସମାରୋହ: ସ୍ବାବଲମ୍ବୀ ହେବେ ୮ ଲକ୍ଷ ପରିବାର

ଜନଜାତି ହେଉଛନ୍ତି ଦେଶର ସବୁଠାରୁ ସ୍ୱତନ୍ତ୍ର ଓ ଗୁରୁତ୍ୱପୂର୍ଣ୍ଣ ବର୍ଗ। ସେମାନଙ୍କ ସଶକ୍ତୀକରଣ ବିନା ସମୃଦ୍ଧ ଓଡ଼ିଶା, ବିକଶିତ ଭାରତ ଗଠନ ଅସମ୍ଭବ। ମହାନ ସ୍ୱାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ୧୫୧ତମ ଜୟନ୍ତୀ ତଥା ମାଲକାନଗିରିରେ ରାଜ୍ୟସ୍ତରୀୟ...

ମାଲକାନଗିରି: ଜନଜାତି ହେଉଛନ୍ତି ଦେଶର ସବୁଠାରୁ ସ୍ୱତନ୍ତ୍ର ଓ ଗୁରୁତ୍ୱପୂର୍ଣ୍ଣ ବର୍ଗ। ସେମାନଙ୍କ ସଶକ୍ତୀକରଣ ବିନା ସମୃଦ୍ଧ ଓଡ଼ିଶା, ବିକଶିତ ଭାରତ ଗଠନ ଅସମ୍ଭବ। ମହାନ ସ୍ୱାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ୧୫୧ତମ ଜୟନ୍ତୀ ତଥା ମାଲକାନଗିରିରେ ରାଜ୍ୟସ୍ତରୀୟ ଜନଜାତୀୟ ଗୌରବ ଦିବସ ସମାରୋହରେ ଯୋଗ ଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଜନସମାବେଶକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଥିଲେ, ମାଲକାନଗିରି ଜନସଂଖ୍ୟାର ୫୮ ପ୍ରତିଶତ ହେଉଛନ୍ତି ଜନଜାତି ବର୍ଗ। ପ୍ରଶାସନିକ ଦୃଷ୍ଟିରୁ ମାଲକାନଗିରିକୁ ଆମେ ସର୍ବାଧିକ ଗୁରୁତ୍ୱ ଦେଉଛୁ। ଜିଲ୍ଲାରେ ଖୁବ୍‌ଶୀଘ୍ର ୪୨୦୦ କୋଟି ଟଙ୍କା ବିନିଯୋଗରେ ଦୁଇଟି ଶିଳ୍ପ ପ୍ରତିଷ୍ଠା ହେବାକୁ ଯାଉଛି।

ମହାରାଷ୍ଟ୍ରର ଗଡଚିରୋଲିଠାରେ ଆୟୋଜିତ ଜାତୀୟସ୍ତରୀୟ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ଆଭାସୀ ମାଧ୍ୟମରେ ଯୋଗଦେଇ ଉଦ୍‌ବୋଧନ ଦେବା ପରେ ମାଲକାନଗିରିରେ ରାଜ୍ୟସ୍ତରୀୟ ସମାବେଶ ଆରମ୍ଭ ହୋଇଥିଲା। ଏହି ଗୌରବମୟ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମାଲକାନଗିରି ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପାଇଁ ୧୬୧ କୋଟି ଟଙ୍କାର ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପ ଭେଟି ଦେଇଥିଲେ। ଜନଜାତି ଛାତ୍ରଛାତ୍ରୀଙ୍କ ଶିକ୍ଷାର ପ୍ରସାର ନିମନ୍ତେ ୫୫ କୋଟି ଟଙ୍କାରେ ନିର୍ମିତ ୨୮ଟି ନୂତନ ଛାତ୍ରାବାସକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିବା ସହ ଜିଲ୍ଲାର ଭିତ୍ତିଭୂମି ଓ ସାମଗ୍ରିକ ଉନ୍ନତି ପାଇଁ ୧୦୬ କୋଟି ଟଙ୍କା ବିନିଯୋଗରେ ୩୫ଟି ନୂତନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ‘ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିସନ ୨.୦’ରେ ଆଗାମୀ ୫ ବର୍ଷରେ ୧୯ଟି ଜିଲ୍ଲାର ୧୩୪ଟି ବ୍ଲକରେ ପ୍ରାୟ ୮ ଲକ୍ଷ ଅନୁସୂଚିତ ଜନଜାତି ଓ ବିଶେଷ ଅନୁନ୍ନତ ଜନଜାତି ପରିବାରକୁ ସଶକ୍ତ କରିବାର ଲକ୍ଷ୍ୟ ରଖାଯାଇଥିବା ମୁଖ୍ୟମନ୍ତ୍ରୀ କହିଥିଲେ। ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ପାଇଁ ଓଡ଼ିଶାକୁ ୪ ଲକ୍ଷ ଘର ଆବଣ୍ଟନ ହୋଇଥିଲା। ତାଙ୍କର ବ୍ୟକ୍ତିଗତ ଅନୁରୋଧ ପରେ ଏହାକୁ ଆଉ ୧ ଲକ୍ଷ ବଢ଼ାଯାଇ ୫ ଲକ୍ଷ ଘର ଆବଣ୍ଟନ କରାଯାଇଛି। ଆହୁରି ୧ ଲକ୍ଷ ଘର ପାଇଁ ଅନୁରୋଧ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ‘ଧରତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ’ ଅଧୀନରେ ଓଡ଼ିଶାର ୨୭ଟି ଜିଲ୍ଲାର ୭ ହଜାର ୬୬୭ଟି ଗ୍ରାମକୁ ସାମିଲ କରାଯାଇ ପକ୍କାଘର, ପାନୀୟ ଜଳ, ସଡ଼କ, ସ୍ୱାସ୍ଥ୍ୟ ଓ ଶିକ୍ଷାର ସୁବିଧା ଯୋଗାଇ ଦିଆଯାଉଛି।

୧୬୧ କୋଟିର ପ୍ରକଳ୍ପ ଭେଟି ଦେଲେ ମୁଖ୍ୟମନ୍ତ୍ରୀ
ଖୁବ୍‌ଶୀଘ୍ର ପ୍ରତିଷ୍ଠା ହେବ ୪୨୦୦ କୋଟିର ୨ ଶିଳ୍ପ

ଉଚ୍ଚଶିକ୍ଷା କ୍ଷେତ୍ରରେ ଇଞ୍ଜିନିୟରିଂ ଓ ମେଡିକାଲ ପାଠ୍ୟକ୍ରମରେ ଅନୁସୂଚିତ ଜନଜାତି ବର୍ଗଙ୍କ ପାଇଁ ୨୨.୫ ପ୍ରତିଶତ, ଅନୁସୂଚିତ ଜାତିଙ୍କ ପାଇଁ ୧୬.୨୫ ପ୍ରତିଶତ ଏବଂ ପଛୁଆ ବର୍ଗଙ୍କ ପାଇଁ ୧୧.୨୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯିବା ସହିତ ଓଡ଼ିଶାରେ ଏକକାଳୀନ ୨୪ଟି ନୂତନ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ କାର୍ଯ୍ୟକ୍ଷମ ହୋଇ ମୋଟ ସଂଖ୍ୟା ୭୧ରେ ପହଞ୍ଚିଛି। ମାଲକାନଗିରି ଭଳି ଦୁର୍ଗମ ଅଞ୍ଚଳର ମାଆଟିଏ ଗ୍ୟାସ ସିଲିଣ୍ଡରରେ ରୋଷେଇ ଏବଂ ମୋବାଇଲ ଫୋନ୍ ମାଧ୍ୟମରେ ଡିଜିଟାଲ ପେମେଣ୍ଟ କରିବା ହିଁ ବିକଶିତ ଭାରତର ପ୍ରକୃତ ପ୍ରମାଣ। ମାଲକାନଗିରିର ଦୁର୍ଗମ ଅଞ୍ଚଳରୁ ଆସି ବଣ୍ଡା ଜନଜାତିର ମଙ୍ଗଳା ମୁଦୁଲି ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଏବଂ ଦିଦାୟୀ ଜନଜାତିର ଚମ୍ପା ରାସପେଦା ବାଲେଶ୍ୱର ଫକୀରମୋହନ ମେଡିକାଲ କଲେଜରେ ଡାକ୍ତରୀ ଶିକ୍ଷା ଗ୍ରହଣ କରୁଥିବାବେଳେ ବଣ୍ଡା ଜନଜାତିର ବିନି ମୁଦୁଲି ଏବଂ ଆଦିବାସୀ ସମ୍ପ୍ରଦାୟର ଶ୍ୟାମା ମାଢ଼ୀ ଓଡ଼ିଶା ପ୍ରଶାସନିକ ସେବାରେ ଉତ୍ତୀର୍ଣ୍ଣ ହେବା ନୂତନ ପିଢ଼ି ପାଇଁ ଏକ ବଡ଼ ପ୍ରେରଣା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଦିଦାୟୀ ଜନଜାତି ବର୍ଗର ୨ ପିଏଚ୍‌ଡି ଛାତ୍ର ଏବଂ ଜଣେ ସମାଜସେବୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button