ଦେଶ ବିଦେଶ

Sonia Gandhi: ନାଗରିକତା ପୂର୍ବରୁ ଭୋଟର ତାଲିକାରେ ସୋନିଆଙ୍କ ନାମ ଆସିଲା କେମିତି?

କଂଗ୍ରେସର ବରିଷ୍ଠ ନେତ୍ରୀ ସୋନିଆ ଗାନ୍ଧୀଙ୍କ ନାମ ଭାରତୀୟ ନାଗରିକତା ହାସଲ କରିବା ପୂର୍ବରୁ ଭୋଟର ତାଲିକାରେ ସାମିଲ ହୋଇଥିବା ଅଭିଯୋଗକୁ ନେଇ ଆଇନଗତ ପ୍ରକ୍ରିୟା ଆଗକୁ ବଢ଼ିଛି।

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତ୍ରୀ ସୋନିଆ ଗାନ୍ଧୀଙ୍କ ନାମ ଭାରତୀୟ ନାଗରିକତା ହାସଲ କରିବା ପୂର୍ବରୁ ଭୋଟର ତାଲିକାରେ ସାମିଲ ହୋଇଥିବା ଅଭିଯୋଗକୁ ନେଇ ଆଇନଗତ ପ୍ରକ୍ରିୟା ଆଗକୁ ବଢ଼ିଛି। ଏହି ଘଟଣାରେ ଏତଲା ରୁଜୁ କରିବାକୁ ହୋଇଥିବା ଆବେଦନ ଉପରେ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ବୁଧବାର ଦିଲ୍ଲୀ ପୁଲିସ୍‌କୁ ଆକ୍ସନ୍ ଟେକେନ୍ ରିପୋର୍ଟ (ଏଟିଆର୍‌) ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅତିରିକ୍ତ ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ୍ ବିନୋଦ ଯୋଶୀ ଏହି ନିର୍ଦ୍ଦେଶ ଦେଇଥିବା ବେଳେ ଆସନ୍ତା ୨୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ତଦନ୍ତ ପାଇଁ ଦାବି କରିଛନ୍ତି ଆବେଦନକାରୀ
ଆଇନଜୀବୀ ବିକାଶ ତ୍ରିପାଠୀ ୨୦୨୫ ଅଗଷ୍ଟ ୨୪ରେ ଏହି ଅଭିଯୋଗ ଦାଖଲ କରିଥିଲେ। ତାଙ୍କ ଅଭିଯୋଗ ଅନୁଯାୟୀ, ସୋନିଆଙ୍କ ନାମ ୧୯୮୦ ମସିହାରେ ନୂଆଦିଲ୍ଲୀ ନିର୍ବାଚନମଣ୍ଡଳୀର ଭୋଟର ତାଲିକାରେ ସ୍ଥାନ ପାଇଥିଲା। କିନ୍ତୁ ସେ ଏହାର ପ୍ରାୟ ତିନିବର୍ଷ ପରେ, ଅର୍ଥାତ୍ ୧୯୮୩ ଏପ୍ରିଲ୍‌ରେ ଭାରତୀୟ ନାଗରିକତା ଗ୍ରହଣ କରିଥିଲେ। ତେଣୁ ନାଗରିକତା ପାଇବା ପୂର୍ବରୁ ତାଙ୍କ ନାମ କିପରି ଭୋଟର ତାଲିକାରେ ସାମିଲ ହେଲା ଏବଂ ଏଥିପାଇଁ ଜାଲ୍ ଦସ୍ତାବିଜ୍ ବ୍ୟବହାର କରାଯାଇଥିଲା କି ନାହିଁ, ତାହାର ତଦନ୍ତ ପାଇଁ ଆବେଦନକାରୀ ଦାବି କରିଛନ୍ତି।

ଅତିରିକ୍ତ ଦସ୍ତାବିଜ୍ ଦାଖଲ କରିବାକୁ ଅନୁମତି
ତାଙ୍କ ଅଭିଯୋଗ ଅନୁଯାୟୀ, ୧୯୮୨ରେ ଭୋଟର ତାଲିକାରୁ ସୋନିଆଙ୍କ ନାମ ବାଦ୍ ପଡ଼ିଥିଲା ଏବଂ ୧୯୮୩ରେ ପୁନର୍ବାର ସାମିଲ ହୋଇଥିଲା। ବୁଧବାର ଶୁଣାଣି ସମୟରେ ଆବେଦନକାରୀ ୧୯୮୦, ୧୯୮୧ ଓ ୧୯୮୩ ମସିହାର ଭୋଟର ତାଲିକାର ପ୍ରମାଣିତ ନକଲ କୋର୍ଟରେ ଦାଖଲ କରିଥିଲେ। ତେବେ କୋର୍ଟ ତାଙ୍କୁ ଏହି ତାଲିକାଗୁଡ଼ିକର ମୂଳ ପ୍ରମାଣିତ ନକଲ ଦାଖଲ କରିବାକୁ କହିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଓକିଲ ଅଜୟ ବର୍ମନ ଉପସ୍ଥିତ ଥିଲେ। ନଭେମ୍ବର ୧୧ରେ ମଧ୍ୟ କୋର୍ଟ ଅତିରିକ୍ତ ଦସ୍ତାବିଜ୍ ଦାଖଲ କରିବାକୁ ଅନୁମତି ଦେଇଥିଲେ।

ପୂର୍ବ ଆଦେଶକୁ ରଦ୍ଦ, ମାମଲାର ପୁନର୍ବିଚାର
ଉଲ୍ଲେଖଯୋଗ୍ୟ, ଏହି ଅଭିଯୋଗ ଉପରେ ଏତଲା ରୁଜୁ କରିବାକୁ ପୂର୍ବରୁ ମାଜିଷ୍ଟ୍ରେଟ୍ କୋର୍ଟ ମନା କରିଦେଇଥିଲେ। ଏହା ବିରୋଧରେ ଆବେଦନକାରୀ ସେସନ୍ସ କୋର୍ଟରେ ଆବେଦନ କରିଥିଲେ। ସେପ୍ଟେମ୍ବର ୨୧ରେ ସ୍ୱତନ୍ତ୍ର ବିଚାରପତି ବିଶାଳ ଗୋଗ୍ନେ ପୂର୍ବ ଆଦେଶକୁ ରଦ୍ଦ କରି ମାମଲାର ପୁନର୍ବିଚାର ପାଇଁ ମାଜିଷ୍ଟ୍ରେଟ୍ କୋର୍ଟକୁ ପଠାଇଥିଲେ। ପୂର୍ବ ଆଦେଶରେ ଯଥାର୍ଥ କାରଣ ଦର୍ଶାଯାଇ ନ ଥିବା ସେ ମତ ଦେଇଥିଲେ।

 

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button