ଦେଶ ବିଦେଶ

ଭାରତୀୟ ଗଣତନ୍ତ୍ରକୁ ‘ପବିତ୍ର’ କହିଲେ ରାହୁଲ; ‘ଅସୁସ୍ଥ’ ଶୁଣି ବିଜେପିର ଆକ୍ରମଣ

ଆଲୋଚନା ସମୟରେ ଜଣେ ଛାତ୍ର ରାହୁଲଙ୍କୁ ପଚାରିଥିଲେ, ନିର୍ବାଚନରେ ଅନିୟମିତତା ହେଉଥିବା ବିରୋଧୀ ଦଳ ଅଭିଯୋଗ କରୁଥିବାବେଳେ ନିର୍ବାଚନ ବର୍ଜନ କରୁନାହାନ୍ତି କାହିଁକି ? ଏହାର ଉତ୍ତରରେ ରାହୁଲ କହିଥିଲେ, “ଭାରତୀୟ ଗଣତନ୍ତ୍ର ମୋ ପାଇଁ ପବିତ୍ର । ଏଥିରେ ସମସ୍ୟା ରହିଛି ବୋଲି କହିବା ପାଇଁ ମୋତେ ୧୦୦, ୨୦୦ କିମ୍ବା ୩୦୦ ପ୍ରତିଶତ ପ୍ରମାଣ ଆବଶ୍ୟକ ।”

ନୂଆଦିଲ୍ଲୀ : ଭାରତୀୟ ଗଣତନ୍ତ୍ରକୁ ‘ଅସୁସ୍ଥ’ (ସିକ୍) ବୋଲି ରାହୁଲ ଗାନ୍ଧୀ କହିଥିବା ଅଭିଯୋଗ କରି ବିଜେପି ତାଙ୍କୁ ଘେରିଥିବାବେଳେ ତାଙ୍କ ଭାଷଣର ଭିଡିଓରେ କିନ୍ତୁ ସେ ‘ପବିତ୍ର’ (ସେକ୍ରେଡ୍‌) ବୋଲି କହିଥିବା ସ୍ପଷ୍ଟ ହୋଇଛି । ଆମେରିକାର ସିକାଗୋ ବିଶ୍ୱବିଦ୍ୟାଳୟରେ ବୁଧବାର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା ବେଳେ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଏହି ମନ୍ତବ୍ୟ ଦେଇଥିଲେ ।

ଆଲୋଚନା ସମୟରେ ଜଣେ ଛାତ୍ର ରାହୁଲଙ୍କୁ ପଚାରିଥିଲେ, ନିର୍ବାଚନରେ ଅନିୟମିତତା ହେଉଥିବା ବିରୋଧୀ ଦଳ ଅଭିଯୋଗ କରୁଥିବାବେଳେ ନିର୍ବାଚନ ବର୍ଜନ କରୁନାହାନ୍ତି କାହିଁକି ? ଏହାର ଉତ୍ତରରେ ରାହୁଲ କହିଥିଲେ, “ଭାରତୀୟ ଗଣତନ୍ତ୍ର ମୋ ପାଇଁ ପବିତ୍ର । ଏଥିରେ ସମସ୍ୟା ରହିଛି ବୋଲି କହିବା ପାଇଁ ମୋତେ ୧୦୦, ୨୦୦ କିମ୍ବା ୩୦୦ ପ୍ରତିଶତ ପ୍ରମାଣ ଆବଶ୍ୟକ ।” ବିନା ପ୍ରମାଣରେ ଗଣତନ୍ତ୍ରକୁ ନେଇ ଏପରି ମନ୍ତବ୍ୟ ଦେବାକୁ ସେ ଚାହାନ୍ତି ନାହିଁ ବୋଲି କହିଥିଲେ ।

ବିରୋଧୀ ଦଳ ନିର୍ବାଚନ ଲଢ଼ିବା ବନ୍ଦ କରିଦେଲେ ଗଣତନ୍ତ୍ରର ନିର୍ବାଚନୀ ବ୍ୟବସ୍ଥାର ବୈଧତା ଶେଷ ହୋଇଯିବ । ଏହାଦ୍ୱାରା ବିରୋଧୀ ଦଳର କର୍ମୀମାନେ ମଧ୍ୟ ନିରାଶ ହେବେ । ତେଣୁ ନିର୍ବାଚନ ବର୍ଜନ ନ କରି ବ୍ୟବସ୍ଥାରେ ଥିବା ଅନିୟମିତତାକୁ ଲୋକଙ୍କ ସାମ୍ନାକୁ ଆଣିବା ହେଉଛି ବିରୋଧୀଙ୍କ ରଣନୀତି ବୋଲି ସେ କହିଥିଲେ । ନିର୍ବାଚନ ଆୟୋଗ ମଧ୍ୟରୁ କିଛି ତଥ୍ୟ ମିଳୁଥିବା ଏବଂ ବ୍ୟବସ୍ଥାରେ ପରିବର୍ତ୍ତନ ଆସିବାକୁ ବେଶି ସମୟ ନାହିଁ ବୋଲି ମଧ୍ୟ ସେ ଦାବି କରିଥିଲେ ।

ତେବେ ବିଜେପି ମୁଖପାତ୍ର ପ୍ରଦୀପ ଭଣ୍ଡାରୀ ରାହୁଲଙ୍କ ଭାଷଣର ଏକ ଭିଡିଓ ଏକ୍ସରେ ସେୟାର କରି ସେ ଭାରତୀୟ ଗଣତନ୍ତ୍ରକୁ ‘ଅସୁସ୍ଥ’ ବୋଲି କହିଥିବା ଅଭିଯୋଗ କରିଥିଲେ । ରାହୁଲଙ୍କୁ ସେ ‘ଭାରତ ବିରୋଧୀ ପ୍ରଚାରର ନେତା’ ବୋଲି ଆକ୍ଷେପ କରିଥିଲେ । ଏହାପରେ ବିଜେପି ମୁଖପାତ୍ର ଅଜୟ ଆଲୋକ ମଧ୍ୟ ରାହୁଲଙ୍କୁ ଅସଂଗତ ମନ୍ତବ୍ୟ ଦେଉଥିବା ନେଇ ସମାଲୋଚନା କରିଥିଲେ ।

 

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button