Judgement: ୨୦୧୭ର ସାମରିକ ଅଭିଯାନରେ ପ୍ରାୟ ୧୦ ହଜାର ଲୋକଙ୍କ ମୃତ୍ୟୁ ହୋଇଛି: ଅନ୍ତର୍ଜାତୀୟ ନ୍ୟାୟାଳୟ
ମ୍ୟାମାର ସେନା ୨୦୧୭ରେ ରୋହିଙ୍ଗ୍ୟା ମୁସଲିମ୍ ସଂଖ୍ୟାଲଘୁଙ୍କ ବିରୋଧରେ ଚଳାଇଥିବା ସାମରିକ ଅଭିଯାନରେ ହଜାର ହଜାର ସାଧାରଣ ନାଗରିକଙ୍କୁ ହତ୍ୟା କରିଥିଲା। ଏଥିସହ ବ୍ୟାପକ ଯୌନ ହିଂସା, ଶିଶୁଙ୍କ ଉପରେ ଅମାନବୀୟ ଅତ୍ୟାଚାର...

ଦି ହେଗ୍: ମ୍ୟାମାର ସେନା ୨୦୧୭ରେ ରୋହିଙ୍ଗ୍ୟା ମୁସଲିମ୍ ସଂଖ୍ୟାଲଘୁଙ୍କ ବିରୋଧରେ ଚଳାଇଥିବା ସାମରିକ ଅଭିଯାନରେ ହଜାର ହଜାର ସାଧାରଣ ନାଗରିକଙ୍କୁ ହତ୍ୟା କରିଥିଲା। ଏଥିସହ ବ୍ୟାପକ ଯୌନ ହିଂସା, ଶିଶୁଙ୍କ ଉପରେ ଅମାନବୀୟ ଅତ୍ୟାଚାର ଏବଂ ବାଂଲାଦେଶକୁ ପଳାୟନ କରୁଥିବା ରୋହିଙ୍ଗ୍ୟାଙ୍କ ଉପରେ ଆକ୍ରମଣ କରାଯାଇଥିଲା। ଗୁରୁବାର ନେଦରଲାଣ୍ଡ୍ର ଦି ହେଗ୍ସ୍ଥିତ ଅନ୍ତର୍ଜାତୀୟ ନ୍ୟାୟାଳୟ (ଆଇସିଜେ) ଏହି ତଥ୍ୟ ପ୍ରକାଶ କରିଛନ୍ତି। ୨୦୧୭ର ସାମରିକ ଅଭିଯାନରେ ପ୍ରାୟ ୧୦ ହଜାର ରୋହିଙ୍ଗ୍ୟାଙ୍କୁ ହତ୍ୟା କରାଯାଇଥିବା ଆକଳନ ପ୍ରମାଣ ଦ୍ୱାରା ସମର୍ଥିତ ବୋଲି ଅଦାଲତ କହିଛନ୍ତି।
ଆଇସିଜେ ଅଧ୍ୟକ୍ଷ ବିଚାରପତି ୟୁଜି ଇୱାସାୱା ଗୁରୁବାର ସକାଳ ୧୦ଟାରେ ଦି ହେଗ୍ସ୍ଥିତ ପିସ୍ ପ୍ୟାଲେସ୍ରେ ୧୫ ଜଣିଆ ଖଣ୍ଡପୀଠଙ୍କ ରାୟ ପାଠ ଆରମ୍ଭ କରିଥିଲେ। ଏହି ମାମଲାରେ ରୋହିଙ୍ଗ୍ୟାଙ୍କ ବିରୋଧରେ ହତ୍ୟା, ଗଣଦୁଷ୍କର୍ମ, ଗାଁ ଜାଳିଦେବା ଓ ଶିଶୁଙ୍କ ଉପରେ ଅତ୍ୟାଚାର ଭଳି ଘଟଣାର ପ୍ରମାଣ ଉପସ୍ଥାପନ କରାଯାଇଥିଲା। ଅଦାଲତଙ୍କ କହିବା ଅନୁଯାୟୀ, ମ୍ୟାମାର ସୁରକ୍ଷା ବାହିନୀ ରୋହିଙ୍ଗ୍ୟାଙ୍କୁ ହତ୍ୟା କରିବା ସହ ସେମାନଙ୍କ ପଳାୟନ ସମୟରେ ମଧ୍ୟ ଆକ୍ରମଣ କରିଥିଲା।
ପଶ୍ଚିମ ଆଫ୍ରିକୀୟ ଦେଶ ଗାମ୍ବିଆ ୨୦୧୯ ନଭେମ୍ବର ୧୧ରେ ମ୍ୟାମାର ବିରୋଧରେ ଏହି ମାମଲା ଦାଏର କରିଥିଲା। ୧୯୪୮ର ଜାତିସଂଘ ନରସଂହାର ନିରୋଧୀ ସନ୍ଧିର ଉଲ୍ଲଂଘନ କରି ମ୍ୟାମାର ରୋହିଙ୍ଗ୍ୟାଙ୍କୁ ନିପାତ କରିବାକୁ ଉଦ୍ୟମ କରିଥିବା ଗାମ୍ବିଆ ଅଭିଯୋଗ କରିଥିଲା। ମାମଲାରେ ୫୭ ସଦସ୍ୟ ବିଶିଷ୍ଟ ଇସଲାମିକ୍ ସହଯୋଗ ସଂଗଠନ (ଓଆଇସି)ର ସମର୍ଥନ ମଧ୍ୟ ରହିଛି। ଏହାର ଶୁଣାଣିରେ କାନାଡା, ଫ୍ରାନ୍ସ, ଜର୍ମାନୀ, ବ୍ରିଟେନ୍ ସମେତ ୧୧ଟି ଦେଶ ମଧ୍ୟ ହସ୍ତକ୍ଷେପ କରିଥିଲେ।
୨୦୧୭ ଅଗଷ୍ଟରେ ମ୍ୟାମାରର ରାଖାଇନ୍ ପ୍ରଦେଶରେ ସେନା ଅଭିଯାନ ଆରମ୍ଭ କରିଥିଲା। ଏହାର ପରିଣାମରେ ପ୍ରାୟ ୭ ଲକ୍ଷ ୩୦ ହଜାର ରୋହିଙ୍ଗ୍ୟା ଦେଶ ଛାଡ଼ି ବାଂଲାଦେଶ ପଳାଇଥିଲେ। ବର୍ତ୍ତମାନ ବାଂଲାଦେଶର କକ୍ସବଜାର ଶରଣାର୍ଥୀ ଶିବିରରେ ପ୍ରାୟ ୧୨ ଲକ୍ଷ ରୋହିଙ୍ଗ୍ୟା ରହୁଛନ୍ତି। ମ୍ୟାମାର ସରକାର ଏହି ଅଭିଯୋଗକୁ ଅସ୍ୱୀକାର କରିଆସିଛନ୍ତି। ସେନାର ଅଭିଯାନ ଆତଙ୍କବାଦୀଙ୍କ ବିରୋଧରେ ଏକ ପ୍ରତିରକ୍ଷାମୂଳକ ପଦକ୍ଷେପ ଥିଲା ବୋଲି ମ୍ୟାମାରର ପ୍ରତିନିଧି କୋ କୋ ହ୍ଲାଇଙ୍ଗ୍ ଅଦାଲତରେ ଯୁକ୍ତି ରଖିଥିଲେ। ଅନ୍ୟପକ୍ଷରେ, ଗାମ୍ବିଆ ମ୍ୟାମାରକୁ କ୍ଷତିପୂରଣ ଦେବା, ରୋହିଙ୍ଗ୍ୟାଙ୍କୁ ନାଗରିକତା ପ୍ରଦାନ କରିବା ଓ ସୁରକ୍ଷିତ ଭାବେ ସ୍ୱଦେଶ ଫେରିବାର ଅଧିକାର ଦେବାକୁ ଦାବି କରିଛି। ଆଇସିଜେଙ୍କ ରାୟ ଅନ୍ତିମ ଓ ଆଇନଗତ ଭାବେ ବାଧ୍ୟତାମୂଳକ ହେଲେ ମଧ୍ୟ ଏହାକୁ କାର୍ଯ୍ୟକାରୀ କରାଇବା ପାଇଁ ଅଦାଲତଙ୍କ ପାଖରେ ସିଧାସଳଖ କ୍ଷମତା ନାହିଁ।
ସୌଜନ୍ୟ ସମ୍ବାଦ




