Puri Jagannath: କାର୍ତ୍ତିକ ପୂର୍ଣ୍ଣମୀରେ ମହାପ୍ରଭୁଙ୍କ ରାଜାଧିରାଜ ବେଶ; ମହଣ ମହଣ ସୁନାରେ ଅଳଙ୍କୃତ ହେବେ ଶ୍ରୀବିଗ୍ରହ

ପୁରୀ, ୨୪/୧୧: ମଙ୍ଗଳବାର କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ମହାପ୍ରଭୁଙ୍କ ସୁନାବେଶ ନୀତି । ରତ୍ନସିଂହାସନରୂଢ଼ ମହାପ୍ରଭୁଙ୍କୁ ରାଜାଧିରାଜ ତଥା ସୁନାବେଶରେ ଦର୍ଶନ କରିବେ ହଜାର ହଜାର ଭକ୍ତ । ଏହି ବେଶରେ ଶ୍ରୀବିଗ୍ରହଙ୍କୁ ବହୁମୂଲ୍ୟ ଅଳଙ୍କାର ସବୁ ଲାଗି କରାଯିବ । ବଡ଼ଠାକୁର ଶ୍ରୀବଳଭଦ୍ର ହଳ ମୂଷଳ ଓ ମହାପ୍ରଭୁ ଶ୍ରୀଜଗନ୍ନାଥ ଶଙ୍ଖ ଓ ଚକ୍ର ଆୟୁଧ ଧାରଣ କରିବେ । ଦେବୀ ସୁଭଦ୍ରାଙ୍କୁ ଅନ୍ୟାନ୍ୟ ସ୍ୱର୍ଣ୍ଣ ଅଳଙ୍କାର ସହ ୨ଟି ଆୟୁଧ ତଥା ତଡ଼ଗୀ ଲାଗି କରାଯିବ ।
ଏପଟେ କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ମହୋଦଧି ତଥା ତୀର୍ଥ ପୁଷ୍କରିଣୀରେ ବୁଡ଼ ପକାଇ ବୋଇତ ଭସାଇବା ଉଦ୍ଦେଶ୍ୟରେ ହବିଷ୍ୟାଳିମାନେ ପ୍ରସ୍ତୁତି ଆରମ୍ଭ କରିଛନ୍ତି । କଦଳୀ ବାହୁଙ୍ଗା ସହ ସୋଲ ଓ ରଙ୍ଗୀନ କାଗଜରେ ପ୍ରସ୍ତୁତ ଭଳିକିଭଳି ଡଙ୍ଗା ମିଳୁଛି । ବଜାରରେ ମିଳୁଥିବା ଡଙ୍ଗା କିଣି ବସାକୁ ଫେରୁଛନ୍ତି । ଅନ୍ଧାରୁଆରୁ ସ୍ନାନ ପାଇଁ ତୀର୍ଥ ପୁଷ୍କରିଣୀରେ ସୁରକ୍ଷା ଓ ଉଜ୍ୱଳ ଆଲୋକ ବ୍ୟବସ୍ଥା କରାଯାଇଛି । ବୋଇତ ଭସାଇବା ପରେ ସୁନା ବେଶ ଦର୍ଶନ ପାଇଁ ସିଂହଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିବେ ଦର୍ଶନାର୍ଥୀ । କିଛି ଶ୍ରଦ୍ଧାଳୁ ଆଜି ବିଳମ୍ବିତ ରାତିରେ ତୀର୍ଥ ପୁଷ୍କରିଣୀରେ ଡଙ୍ଗା ଭସାଇଛନ୍ତି ।
ସୌଜନ୍ୟ ସମ୍ବାଦ




