ରାଜ୍ୟ

Bhubaneswar ଶିଳ୍ପାଞ୍ଚଳର ଅବସ୍ଥା ଏମିତି: ଶିଳ୍ପ ଜମିରେ ଚାଲିଛି ଗୋଦାମ ଘର, କବାଡ଼ିଖାନା; ଶସ୍ତାରେ ଜମି ନେଇ ମନଇଚ୍ଛା ବେପାର

  • ଶିଳ୍ପ ଜମିରେ ଗୋଦାମଘର, କବାଡ଼ିଖାନା
  • ଆବାସିକ ଘର, ହଷ୍ଟେଲ, ହୋଟେଲ, ଢାବା
  • ପୂର୍ବରୁ ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଉଚ୍ଛେଦ ହୋଇଥିଲା

ଭୁବନେଶ୍ବର, ୨୪/୧୧( ସତ୍ୟଜିତ୍ ରାଉତ): ନାଁକୁ ଶିଳ୍ପାଞ୍ଚଳ । ହେଲେ ଶିଳ୍ପ କମ୍, ଅନ୍ୟ ବ୍ୟବସାୟ ଅଧିକ । କେଉଁଠି ଚାଳିଆ ହୋଟେଲ ଛିଡ଼ା ହୋଇଛି, ଆଉ କେଉଁଠି ଚାଲିଛି କବାଡ଼ିଖାନା । ଖାଲି ସେତିକି ନୁହେଁ, ହଷ୍ଟେଲ ଓ ଗୋଦାମ ଘର ବି ମାଡ଼ିଗଲାଣି । ଏହା ହେଉଛି ଆମ ଶିଳ୍ପାଞ୍ଚଳର ବାସ୍ତବ ଚିତ୍ର । ରସୁଲଗଡ଼ ହେଉ କି ମଞ୍ଚେଶ୍ୱର, ଚନ୍ଦକା କି ଅନ୍ୟ ସବୁ ଶିଳ୍ପାଞ୍ଚଳରେ ଶିଳ୍ପ ବଦଳରେ ଗଢ଼ି ଉଠିଲାଣି ଏଭଳି କାରସାଦି ବେପାର । ଅନେକ ଜମି ହାତେଇ ଅନ୍ୟ ହାତକୁ ବି ଟେକିଦେଲେଣି । ଶିଳ୍ପ ସମୃଦ୍ଧ ହେବ ଓଡ଼ିଶା । ଶିଳ୍ପ ହେଲେ ଶିକ୍ଷିତ ଯୁବପିଢ଼ି ଚାକିରି ପାଇବେ, ନୂଆ ଉଦ୍ୟୋଗୀ ସୃଷ୍ଟି ହେବେ । ଏହି ଲକ୍ଷ୍ୟରେ ୮୦ ଦଶକରେ ଭୁବନେଶ୍ୱରରେ ଗଢ଼ି ଉଠିଥିଲା ମଞ୍ଚେଶ୍ୱର ଶିଳ୍ପାଞ୍ଚଳ । ପରେ ଅନ୍ୟ ଅନ୍ୟ ଶିଳ୍ପାଞ୍ଚଳ ଆରମ୍ଭ ହୋଇଥିଲା । କିନ୍ତୁ କିଛି ହାତଗଣତି ଶିଳ୍ପ ସଂସ୍ଥାକୁ ଛାଡ଼ିଦେଲେ, ଅନେକ ଲିଜ୍ଧାରୀ ଏହି ଜମିକୁ ଅନ୍ୟ କାର୍ଯ୍ୟରେ ବ୍ୟବହାର କରୁଛନ୍ତି । କାରଖାନା, ଲଘୁ ଉଦ୍ୟୋଗ ଓ ଅନ୍ୟାନ୍ୟ ଶିଳ୍ପର ଦେଖା ଦର୍ଶନ ନାହିଁ । ସରକାରଙ୍କଠୁ ଶସ୍ତାରେ ଜମି ହାତେଇବା ପରେ ମନଇଚ୍ଛା ବେପାରରେ ମାତିଛନ୍ତି ଅନେକ ।

ମଞ୍ଚେଶ୍ୱର ପଟୁ ଶିଳ୍ପାଞ୍ଚଳ ଆଡ଼କୁ ଗଲେ ବାମ ପାଶ୍ୱର୍ରେ ହୋଟେଲ, ଗାଡି ଗ୍ୟାରେଜ୍ ଏବଂ ଡାହାଣ ପାଶ୍ୱର୍ରେ କବାଡ଼ିଖାନା, ଶୋରୁମ୍ ଭର୍ତ୍ତି । ରସୁଲଗଡ଼ ଏକ୍ସପ୍ଲାନେଡ୍ ମଲ ଦେଇ ଭିତରକୁ ଗଲେ କିଛି ସ୍ଥାନରେ ଫ୍ଲେକ୍ସ ପ୍ରିଣ୍ଟିଂ ଦୋକାନ ସହ ଗୋଦାମ, ଝୁମ୍ପୁଡି ହୋଟେଲ କରି କବ୍ଜା କରି ଦେଇଛନ୍ତି । ଚନ୍ଦକା ଶିଳ୍ପାଞ୍ଚଳ ଅବସ୍ଥା ମଧ୍ୟ ସମାନ । ୟୁଏସ୍ବିଏମ୍ କଲେଜ ଗଳି ଦେଇ ଭିତରକୁ ଗଲେ ଡାହାଣ ପାର୍ଶ୍ୱରେ ଗୋଦାମ ଗୃହ, ବେକରୀ ସପ୍, ସିମେଣ୍ଟ ଗୋଦାମ । ଏମିତି ନୁହେଁ ଯେ, ଏସବୁ ଶିଳ୍ପାଞ୍ଚଳ ପୂରା ନଷ୍ଟଭ୍ରଷ୍ଟ ହୋଇଗଲାଣି । ଶିଳ୍ପାଞ୍ଚଳର କିଛି ସ୍ଥାନରେ ବିସ୍କୁଟ ଫ୍ୟାକ୍ଟ୍ରି, ପ୍ଲାଷ୍ଟିକ୍, ପ୍ରିଣ୍ଟିଂ, ଇଲେକଟ୍ରୋନିକ୍ସ, ଫୁଡ୍ ପ୍ରୋସେସିଂ, ସିମେଣ୍ଟ କାରଖାନା, ପାଣି, ପାଉଁରୁଟି ଫ୍ୟାକ୍ଟ୍ରି ଆଦି ଗଢ଼ି ଉଠିଛି । ଏଭଳି ହାତଗଣତି ଶିଳ୍ପାନୁଷ୍ଠାନକୁ ଛାଡ଼ିଦେଲେ, ବାକି ସବୁଠି ଯାହା ମନକୁ ଯାହା ଆସିଲା କରିଛନ୍ତି । ଶିଳ୍ପର ନାଁ ଗନ୍ଧ ନାହିଁ । ସରକାରୀ ଜମି ହାତେଇଥିବା ବହୁ ଉଦ୍ୟୋଗୀ ଶିଳ୍ପ ନ କରି ଜମି ବେପାର ବା ଭଡ଼ାରେ ଲାଗିଛନ୍ତି । ଶିଳ୍ପାଞ୍ଚଳର ମାତ୍ରାଧିକ କବାଡ଼ିଆ ଦୋକାନ ହୋଇଥିବାରୁ ଏହା ଆବର୍ଜନାରେ ପୂର୍ଣ୍ଣ ହୋଇପଡୁଛି । ଯାତାୟାତ ରାସ୍ତା ଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ କବାଡ଼ିଆ ବର୍ଜ୍ୟ ସାମଗ୍ରୀ ମନଇଚ୍ଛା ଗଦାକରି ରଖୁଛନ୍ତି ।

ଶିଳ୍ପ ସଂସ୍ଥା ଖୋଲିବା ସମୟରେ ରହିଥିବା ନିୟମକୁ ଦଳି ମକଚି ଦେଉଛନ୍ତି । ଏଥିପ୍ରତି ଶିଳ୍ପ ବିଭାଗ, ଇଡ୍କୋ କି ପ୍ରଦୂଷଣ ବୋର୍ଡ଼ କାହାର ହେଲେ ନଜର ପଡୁନାହିଁ । କିଛି ମାସ ପୂର୍ବରୁ ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଇଡ୍କୋ ନିର୍ଦ୍ଦେଶରେ ଜବରଦଖଲ ଉଚ୍ଛେଦ କରାଯାଇଥିଲା । ୫୦ରୁ ଅଧିକ ବେଆଇନ୍ ଦୋକାନକୁ ଭଙ୍ଗା ଯାଇଥିଲା । ହେଲେ କିଛି ମାସ ପରେ ପୁଣି ବେପାର ଆରମ୍ଭ ହୋଇଯାଇଥିଲା । ଏନେଇ ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଜଣେ ଜମି ମାଲିକ କହିଛନ୍ତି ଯେ ଯେଉଁ କାରଖାନା ପାଇଁ ଜମି ନେଉଥିଲୁ ତାହା ଚାଲିଲା ନାହିଁ, କ୍ଷତି ହେଲା । ବାଧ୍ୟ ହୋଇ ଅନ୍ୟ ବ୍ୟବସାୟ କରୁଛୁ । ଅନ୍ୟପକ୍ଷରେ ଇଡ୍କୋର ଜଣେ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି ଯେ ମଝିରେ ଏହା ଉପରେ ଯାଞ୍ଚ କରାଯାଏ । ପୂର୍ବରୁ ଅନେକ ଜମି ମାଲିକଙ୍କୁ ନୋଟିସ୍ ହୋଇଛି । ଆମ ନଜରକୁ ଯାହା ଆସିବ କାର୍ଯ୍ୟାନୁଷ୍ଠାନ ନିଆଯିବ ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button