ରାଜ୍ୟ

Fake ATMA Recruitment Advertisement ଆତ୍ମା ଯୋଜନାରେ ବିଟିଏସ୍‌ ଓ ଏଟିଏମ୍‌ ପଦବି ପାଇଁ ନକଲି ବିଜ୍ଞାପନ, କୃଷି ବିଭାଗ ପକ୍ଷରୁ ଥାନାରେ ମାମଲା

ATMA ଯୋଜନାରେ ୧୦୫ଟି BTM ଓ ୨୩୫ଟି ATM ପଦବି ପାଇଁ ପ୍ରସାରିତ ନିଯୁକ୍ତି ବିଜ୍ଞାପନକୁ ନକଲି ବୋଲି ସ୍ପଷ୍ଟ କରିଛି ଓଡ଼ିଶା କୃଷି ବିଭାଗ। ଏହା ବିରୋଧରେ ଖଣ୍ଡଗିରି ଥାନାରେ ଏତଲା ଦିଆଯାଇଥିବାବେଳେ ଚାକିରି ଆଶାୟୀଙ୍କୁ ଟଙ୍କା କିମ୍ବା ବ୍ୟକ୍ତିଗତ କାଗଜପତ୍ର ନଦେବାକୁ ସତର୍କ କରାଯାଇଛି।

ଭୁବନେଶ୍ୱର:  ରାଜ୍ୟ ସରକାରଙ୍କ କୃଷି ପ୍ରଯୁକ୍ତିବିଦ୍ୟା ପରିଚାଳନା ସଂସ୍ଥା ( ଆତ୍ମା/ATMA) ଅଧୀନରେ ବିଟିଏସ୍‌ ଓ ଏଟିଏମ୍‌ ପଦବି ନିମନ୍ତେ ନିଯୁକ୍ତି ବିଜ୍ଞାପନ ସମ୍ପ୍ରତି ବିଭିନ୍ନ ସାମାଜିକ ଗଣମାଧ୍ୟମ ଓ ପ୍ରଚାରପତ୍ର ମାଧ୍ୟମରେ ଖୁବ୍‌ ପ୍ରସାରିତ ହେଉଛି। ଏହି ସମସ୍ତ ନକଲି ଓ ଏଥିପ୍ରତି ସତର୍କ ରହିବାକୁ ଆଜି କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ସଚେତନ କରାଯାଇଛି। ଏହାସହ ବିଭାଗ ପକ୍ଷରୁ ଏନେଇ ଖଣ୍ଡଗିରି ଥାନାରେ ଏତଲା ଦିଆଯାଇଛି।

ଆଜି କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଏହି ନକଲି ବିଜ୍ଞାପନ ସମ୍ପର୍କରେ ସ୍ପଷ୍ଟୀକରଣ ଦେଇଛି।  ଏଥିରେ କୁହାଯାଇଛି, ଏହି ନକଲି ବିଜ୍ଞାପନରେ ରାଜ୍ୟ ସରକାରଙ୍କ ‘କୃଷି ପ୍ରଯୁକ୍ତିବିଦ୍ୟା ପରିଚାଳନା ସଂସ୍ଥା’ (ATMA) ଅଧୀନରେ “ଏଜେନ୍ସି ପେ’ରୋଲ୍” (Agency Payroll) ଭିତ୍ତିରେ ଜରୁରୀକାଳୀନ ନିଯୁକ୍ତି ହେଉଥିବା ଦର୍ଶାଯାଇଛି। ଏଥିରେ ବିଭିନ୍ନ ଜିଲ୍ଲା ମୁଖ୍ୟାଳୟ ଏବଂ ବ୍ଲକ ସ୍ତରରେ ମାସିକ ₹୩୫,୦୦୦/- ଦରମାରେ ୧୦୫ଟି ବ୍ଲକ ଟେକ୍ନୋଲୋଜି ମ୍ୟାନେଜର (BTM) ଏବଂ ମାସିକ ₹୩୦,୦୦୦/- ଦରମାରେ ୨୩୫ଟି ଆସିଷ୍ଟାଣ୍ଟ ଟେକ୍ନୋଲୋଜି ମ୍ୟାନେଜର (ATM) ପଦବୀ ଖାଲି ଥିବା ନେଇ ମିଥ୍ୟା ତଥ୍ୟ ପ୍ରଦାନ କରାଯାଇଛି।

ଏହି ବିଜ୍ଞାପନଟି ସମ୍ପୂର୍ଣ୍ଣ ମନଗଢ଼ା, ଭିତ୍ତିହୀନ ଏବଂ ଅଣ-ଅଧିକୃତ ଏବଂ ବିଭାଗ କିମ୍ବା ଇମେଜ୍ (IMAGE) ପକ୍ଷରୁ ଏଭଳି କୌଣସି ବିଜ୍ଞାପନ ପ୍ରକାଶ କରାଯାଇ ନାହିଁ। ଏହି ଠକେଇରେ ସମ୍ପୃକ୍ତ ଅପରାଧୀଙ୍କ ବିରୋଧରେ ତଦନ୍ତ କରି କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ‘ଇମେଜ୍’ (IMAGE) ପକ୍ଷରୁ ଭୁବନେଶ୍ୱରସ୍ଥିତ ଖଣ୍ଡଗିରି ଥାନା ଭାରପ୍ରାପ୍ତ ଅଧିକାରୀଙ୍କ ନିକଟରେ ଆନୁଷ୍ଠାନିକ ଭାବେ ଏତଲା ଦାୟର କରାଯାଇଛି (ପତ୍ର ସଂଖ୍ୟା: ୫୭୮୦, ତା. ୨୬.୧୧.୨୦୨୬) ଏବଂ ଏ ସମ୍ପର୍କରେ ଭୁବନେଶ୍ୱର ଡିସିପିଙ୍କୁ ମଧ୍ୟ ଅବଗତ କରାଯାଇଛି।

ବିଭାଗ ପକ୍ଷରୁ ଆଶାୟୀ ଚାକିରି ପ୍ରାର୍ଥୀମାନଙ୍କୁ ସତର୍କ କରି କୁହାଯାଇଛି, ସମସ୍ତ ପ୍ରକୃତ ଓ ଅଧିକୃତ ନିଯୁକ୍ତି ବିଜ୍ଞାପନ ଏବଂ ସୂଚନା କେବଳ ଓଡ଼ିଶା ସରକାରଙ୍କ ସରକାରୀ ୱେବସାଇଟ୍ (Portals) ଏବଂ ସ୍ୱୀକୃତିପ୍ରାପ୍ତ ମୁଦ୍ରିତ ଗଣମାଧ୍ୟମ (Print Media) ଜରିଆରେ ହିଁ ପ୍ରକାଶିତ ହୋଇଥାଏ। ଏଣୁ  ସେମାନେ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଥିବା ଏଭଳି କୌଣସି ବିଭ୍ରାନ୍ତିକର ପୋଷ୍ଟକୁ ବିଶ୍ୱାସ କରନ୍ତୁ ନାହିଁ। ‘ଆତ୍ମା’ (ATMA) ଯୋଜନାରେ ନିଯୁକ୍ତି ଦେବାର ପ୍ରତିଶ୍ରୁତି ଦେଉଥିବା କୌଣସି ଅଣ-ଅଧିକୃତ ବ୍ୟକ୍ତି କିମ୍ବା ସଂସ୍ଥାକୁ ନିଜର ବ୍ୟକ୍ତିଗତ କାଗଜପତ୍ର ଦିଅନ୍ତୁ ନାହିଁ କିମ୍ବା କୌଣସି ପ୍ରକାର ଅର୍ଥ ପ୍ରଦାନ କରନ୍ତୁ ନାହିଁ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button